Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ନାହିଁ ଭ୍ଲାଦିମିର ପୁଟିନ, ୟୁକ୍ରେନ ଯୁଦ୍ଧ ଉପରେ ଫୋକସ୍

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗ ଦେବେ ନାହିଁ। ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ପୁଟିନ ସେପ୍ଟେମ୍ବରରେ ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ। ରୁଷ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ। ତାଙ୍କର ମୁଖ୍ୟ ଫୋକସ ୟୁକ୍ରେନ ଯୁଦ୍ଧ ଉପରେ ରହିଛି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ(ଆଇସିସି) ପୁଟିନଙ୍କ ଉପରେ ୟୁକ୍ରେନରେ ଯୁଦ୍ଧ କରି ଅପରାଧ କରିଥିବା ଅଭିଯୋଗରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି କରିଛି। ଏହାର ଅର୍ଥ ବିଦେଶ ଯାତ୍ରା ସମୟରେ ପୁଟିନଙ୍କ ଗିରଫଦାରୀର ବିପଦ ରହିଛି। ପୁଟିନ ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ବ୍ୟକ୍ତିଗତ ଭାବେ ଯୋଗ ଦେଇ ନ ଥିଲେ। ସେ ଭିଡିଓ କଲ୍ ଜରିଆରେ ସମ୍ମିଳନୀରେ ଭାଗ ନେଇଥିଲେ।

ସୂଚନାଯୋଗ୍ୟ, ଜି-୨୦ର ବିଶ୍ଵ ନେତାଙ୍କ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ତାରିଖ ନୂଆଦିଲ୍ଲୀରେ ଆୟୋଜିତ ହେବ। ଏହା ଭାରତରେ ବିଶ୍ଵ ନେତାଙ୍କ ସବୁଠୁ ବଡ଼ ସମ୍ମିଳନୀ ମଧ୍ୟରୁ ଏକ ହେବାର ସମ୍ଭାବନା ରହିଛି। ଭାରତ ଇଣ୍ଡୋନେସିଆଠୁ ୨୦୨୨ ଡିସେମ୍ବର ୧ ତାରିଖରେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ଵ ସମ୍ଭାଳିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଭାରତ ଯାତ୍ରାରେ ରହିବେ। ଏହି ଶିଖର ସମ୍ମିଳନୀରେ ଅନେକ ରାଷ୍ଟ୍ରଧ୍ୟକ୍ଷ ତଥା ସରକାରଙ୍କ ପ୍ରମୁଖ ଏବଂ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ