Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରରେ ଲ୍ୟାଣ୍ଡିଂ ପଏଣ୍ଟର ନାଁ ଶିବଶକ୍ତି, ଅଗଷ୍ଟ ୨୩ ତାରିଖ ଜାତୀୟ ମହାକାଶ ଦିବସ ଭାବେ ପାଳନ ହେବ: ମୋଦୀ

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଯେଉଁ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିଛି ସେହି ସ୍ଥାନର ନାମ ଶିବଶକ୍ତି। ଶନିବାର ଏହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ବେଙ୍ଗାଲୁରୁରେ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟଓ୍ଵର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ଚନ୍ଦ୍ରଯାନ-୩ ମିଶନରେ ସାମିଲ୍ ଇସ୍ରୋ ପ୍ରମୁଖ ଏସ ସୋମନାଥ ଓ ଇସ୍ରୋ ଦଳର ଅନ୍ୟ ବୈଜ୍ଞାନିକଙ୍କୁ ଭେଟିଛନ୍ତି ଏବଂ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଚନ୍ଦ୍ରର ଯେଉଁ ସ୍ଥାନରେ ଲ୍ୟାଣ୍ଡର ଅବତରଣ କରିଛି ସେହି ସ୍ଥାନ ଶିବଶକ୍ତି ଭାବେ ପରିଚିତ ହେବ। ଏଥିସହ ସେ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ବେଙ୍ଗାଲୁରୁରେ ନିଜ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଭାବୁକ ହୋଇ ପଡ଼ିଥିଲେ। ସେ କହିଛନ୍ତି ମୁଁ ଶୀଘ୍ର ଆପଣଙ୍କୁ ଭେଟିବାକୁ ଚାହୁଁଥିଲି। ଆପଣଙ୍କୁ ସଲାମ କରୁଛି, ଆପଣଙ୍କ ପ୍ରୟାସକୁ ସଲାମ କରୁଛି। ମୁଁ ଆଜି ଭିନ୍ନ ଖୁସି ଅନୁଭବ କରି ପାରୁଥିବା ପିଏମ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରର ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ନିଜର ପଦଚିହ୍ନ ଛାଡ଼ିଛି ସେହି ପଏଣ୍ଟକୁ ତ୍ରିରଙ୍ଗା କୁହାଯିବ। ଏହି ତ୍ରିରଙ୍ଗା ପଏଣ୍ଟ ଭାରତର ପ୍ରତ୍ୟେକ ପ୍ରୟାସର ପ୍ରେରଣା ସାଜିବ। ଏହି ତ୍ରିରଙ୍ଗା ପଏଣ୍ଟ ଆମକୁ ଏହି ଶିକ୍ଷା ଦେବ ଯେ କୌଣସି ବି ବିଫଳତାରେ ସବୁ ସମାପ୍ତ ହୁଏ ନାହିଁ। ପିଏମ ମୋଦୀ ବେଙ୍ଗାଲୁରୁରେ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟଓ୍ଵର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସ ଛାଡ଼ିବା ପୂର୍ବରୁ ହିନ୍ଦୁସ୍ତାନ ଏୟରୋନାଟିକ୍ସ ଲିମିଟେଡ ବିମାନ ବନ୍ଦର ବାହାରେ ଏକ ସଭାକୁ ସମ୍ବୋଧିତ କରିଛନ୍ତି।