Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ଲକଡାଉନ୍ ପରି ସ୍ଥିତି, ଚାରିଆଡେ ଖାଁ ଖାଁ, ରାସ୍ତାଘାଟ ଶୂନଶାନ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଲକଡାଉନ୍ ପରି ସ୍ଥିତି। କରୋନା ମହାମାରୀ ସମୟରେ ଯେମିତି ଚିତ୍ର ଦେଖିବାକୁ ମିଳିଥିଲା ଠିକ୍ ସମାନ ଚିତ୍ର ଏବେ ରାଜଧାନୀରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀକୁ ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀ ବର୍ଡରକୁ ଗୁରୁଗ୍ରାମ ଆଡ଼କୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି। ଏଠାରେ କୌଣସି ପ୍ରକାରର ଯାନବାହାନକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ଏପରିକି ଅଟୋ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି କାରଣରୁ କମ୍ପାନୀମାନଙ୍କରେ କାମ କରୁଥିବା ଲୋକଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀର ସମସ୍ତ ପ୍ରସ୍ତୁତି ପୂରା ହୋଇ ସାରିଛି। ଜଣେ ପରେ ଜଣେ ବିଦେଶୀ ଅତିଥିଙ୍କ ଭାରତ ଆଗମନ ହେବାରେ ଲାଗିଛି। ଜି-୨୦ ସମ୍ମିଳନୀକୁ ନେଇ ଦିଲ୍ଲୀର କିଛି ଅଞ୍ଚଳରେ କଟକଣା ଲଗାଯାଇଛି। ସେଠାରେ ସମସ୍ତ ଶିକ୍ଷାନୁଷ୍ଠାନ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଏମିତିରେ ଦିଲ୍ଲୀର ହାର୍ଟ କୁହାଯାଉଥିବା କନ୍ନାଟ ପ୍ଲେସରେ ମଧ୍ୟ ନିରବତା ଛାଇ ଯାଇଛି। କରୋନା ମହାମାରୀର ଲକଡାଉନ୍ ପରେ ପ୍ରଥମ ଥର ଦିଲ୍ଲୀରେ ଏମିତି ସ୍ଥିତି ଦେଖିବାକୁ ମିଳିଛି।

ନୂଆଦିଲ୍ଲୀର ଅନେକ ଅଞ୍ଚଳରେ ରାସ୍ତା ସିଲ୍ କରାଯାଇଛି। କନ୍ନାଟ ପ୍ଲେସରେ ଆଗାମୀ ଦିନ କେବଳ ଭିଆଇପି ଗତିବିଧି ଜାରି ରହିବ। ପୂରା ଅଞ୍ଚଳକୁ ନିୟନ୍ତ୍ରିତ କ୍ଷେତ୍ର ଘୋଷଣା କରାଯାଇଛି। ଏଠାରେ କେବଳ ସେହି ଲୋକମାନଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି, ଯାହାଙ୍କ ଘର ଏହି ଇଲାକାରେ ରହିଛି। ଏଥିସହ ଜରୁରୀ ସେବା ସଂପର୍କିତ କାମ ପାଇଁ ଲୋକଙ୍କ ଯିବା ଆସିବା ଅନୁମତି ଦିଆଯାଇଛି। ଏହି ଅଞ୍ଚଳରେ ସ୍ଥିତ ହସ୍ପିଟାଲ୍ ଖୋଲା ରହିଛି।

ଦିଲ୍ଲୀ ପୋଲିସ ଅନୁଯାୟୀ, ରାଜଧାନୀର ଯେଉଁ ଅଞ୍ଚଳରେ କଟକଣା ଲଗାଯାଇଛି, ସେଠାରେ ଜରୁରୀକାଳୀନ ସେବା ଉପରେ କୌଣସି ରୋକ୍ ନାହିଁ। ନୂଆଦିଲ୍ଲୀକୁ ପୋଲିସ ନିୟନ୍ତ୍ରିତ କ୍ଷେତ୍ର-୧, ନିୟନ୍ତ୍ରିତ କ୍ଷେତ୍ର-୨ ଓ ନିୟନ୍ତ୍ରିତ କ୍ଷେତ୍ର-୩ରେ ବଣ୍ଟା ଯାଇଛି। ନିୟନ୍ତ୍ରୀତ କ୍ଷେତ୍ର-୧ରେ ସୁରକ୍ଷା ବ୍ୟବସ୍ଥା ସବୁଠୁ ଅଧିକ କଡ଼ା ରହିଛି। କନ୍ନାଟ ପ୍ଲେସ୍ ମଧ୍ୟ ଏହି ଅଞ୍ଚଳରେ ଆସୁଛି। କରୋନା ମହାମାରୀ ସମୟରେ ଏହି ଧରଣର ଚିତ୍ର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ୩ ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ ରହିବା ସହ ଦୋକାନ ବଜାର ବନ୍ଦ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ