Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଦ୍ରୋହ ଉପରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ପୀଠ କରିବେ ଶୁଣାଣି, କେନ୍ଦ୍ରର ଦାବି ଅଗ୍ରାହ୍ୟ

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବୃହତ ଖଣ୍ଡପୀଠ ଶୁଣାଣି କରିବେ। ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡ ସଂହିତା ୧୨୪ଏ ଆଧାରରେ ରାଜଦ୍ରୋହ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନଗୁଡ଼ିକୁ ପାଞ୍ଚ ଜଣ୍ଡିଆ ପୀଠକୁ ପଠାଇ ଦେଇଛନ୍ତି। ବୃହତ ଖଣ୍ଡପୀଠକୁ ମାମଲା ନ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟ ନିଜର ରେଜିଷ୍ଟର୍ଡ ଅଫିସକୁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ କାଗଜପତ୍ର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ଵାରା ପୀଠ ଗଠନ ସଂପର୍କରେ ନିର୍ଣ୍ଣୟ ନିଆଯାଇ ପାରିବ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ ତିନି ଜଣିଆ ପୀଠ କେଦାରନାଥ ନିଷ୍ପତ୍ତିକୁ ଉଲ୍ଲେଖ କରି ମାମଲାର ଶୁଣାଣି ପାଇଁ ବଡ଼ ପୀଠର ଆବଶ୍ୟକତା ଥିବା କହିଛନ୍ତି। ୧୯୬୨ର କେଦାରନାଥ ସିଂ ବନାମ ବିହାର ରାଜ୍ୟ ମାମଲାରେ ପାଞ୍ଚ ଜଣିଆ ପୀଠ ଦେଶଦ୍ରୋହ ଆଇନକୁ ବଳବତ୍ତର ରଖିଥିଲେ। ତେଣୁ ୩ ଜଣିଆ ଛୋଟ ପୀଠ ନିଷ୍ପତ୍ତିକୁ ଓଲଟାଇ ପାରିବେ ନାହିଁ। ତେଣୁ ଏହାକୁ ବୃହତ ପୀଠକୁ ପଠା ଯାଇଛି।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ କହିବାନୁସାରେ ସୁପ୍ରିମକୋର୍ଟ ଏହାର ଶୁଣାଣି ମାସେ ଯାଏ ଘୁଞ୍ଚାଇ ଦେଇଥିଲେ। ସରକାର କହିଥିଲେ ଯେ, ଦଣ୍ଡାତ୍ମକ ପ୍ରାବଧାନର ପୁନଃ ସମୀକ୍ଷା କରାଯାଉଛି। ଏହା ପରେ କେନ୍ଦ୍ର ସରକାର ଅଗଷ୍ଟ ୧୧ ତାରିଖରେ ଉପନିବେଶକାଳର ଆଇନକୁ ବଦଳାଇବା ପାଇଁ ଐତିହାସିକ ପଦକ୍ଷେପ ଉଠାଇ ଆଇପିସି, ଦଣ୍ଡ ପ୍ରକ୍ରିୟା ସଂହିତା(ସିଆରପିସି) ଓ ଭାରତୀୟ ସାକ୍ଷୀ ଅଧିନିୟମ ଉଚ୍ଛେଦ ପାଇଁ ଲୋକସଭାରେ ୩ ବିଧେୟକ ଉପସ୍ଥାପନ କରିଛନ୍ତି। ଏଥିରେ ଦେଶଦ୍ରୋହକୁ ରଦ୍ଦ କରିବା ଓ ଅପରାଧର ବ୍ୟାପକ ପରିଭାଷା ସହିତ ନୂତନ ପ୍ରାବଧାନ ଲାଗୁ କରାଯିବ ବୋଲି ଉଲ୍ଲେଖ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ