ସ୍କୁଲ ପିଲାକୁ ନେଇ ଯାଉଥିବା ଡଙ୍ଗା ମଝି ନଦୀରେ ବୁଡିଲା, ଅନେକ ନିଖୋଜ

ମୁଜଫରପୁର: ବିହାରର ମୁଜଫରପୁରରେ ବଡ଼ ନୌକା ଦୁର୍ଘଟଣା ଘଟିଛି। ଗୟାଘାଟ ଥାନା ଅନ୍ତର୍ଗତ ବେନିବାଦ ଓପିରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବାଗମତୀ ନଦୀରେ ବୁଡି ଯାଇଛି। ଏହି ଦୁର୍ଘଟଣା ଗୁରୁବାର ମଧୁର ପଟ୍ଟି ଘାଟ ନିକଟରେ ଘଟିଛି। ଡଙ୍ଗାରେ ୩୨ ଜଣ ସ୍କୁଲ ପିଲା ଥିବା କୁହାଯାଉଛି। ନାବିକ ଓ ସ୍ଥାନୀୟ ଲୋକ ୧୮ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ପ୍ରାୟ ୧୨ ଜଣ ପିଲା ନିଖୋଜ ଅଛନ୍ତି। ସ୍ଥାନୀୟ ବୁଡ଼ାଳି ନିଖୋଜ ସ୍କୁଲ ପିଲାଙ୍କ ସନ୍ଧାନ ଜାରି ରଖିଛନ୍ତି।
ନିଖୋଜ ପିଲାଙ୍କ ଅଭିଭାବକଙ୍କ କାନ୍ଦ ବୋବାଳିରେ ମଧୁରିପଟ୍ଟି ଘାଟ ଫାଟି ପଡୁଛି। ଘାଟରେ ଅନେକ ପିଲାଙ୍କ ମାଆ ଅଚେତ ହୋଇ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ପିଲାମାନେ ପ୍ରତିଦିନ ଡଙ୍ଗାରେ ବାଗମତୀ ନଦୀ ଡେଇଁ ସ୍କୁଲ ଯାଆନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏସଡିଆରଏଫକୁ ଉଦ୍ଧାର କାର୍ଯ୍ୟ ପାଇଁ ଡକା ଯାଇଛି। ସ୍ଥାନୀୟ ବାସିନ୍ଦା ରାକେଶ କୁମାର କହିଛନ୍ତି ଯେ, ଡଙ୍ଗାରେ କ୍ଷମତାଠୁ ଅଧିକ ସ୍କୁଲ ପିଲା ବସିଥିଲେ। ଏହି କାରଣରୁ ନିୟନ୍ତ୍ରଣ ହରାଇ ଡଙ୍ଗାଟି ନଦୀ ମଝିରେ ବୁଡି ଯାଇଛି।