Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରଙ୍କ ଅନ୍ତରଆତ୍ମା ଦୋହଲି ଯିବା ଉଚିତ୍; ମୁସଲିମ ଛାତ୍ରଙ୍କୁ ମାଡ଼ ମରାଯିବା ଉପରେ ସୁପ୍ରିମକୋର୍ଟଙ୍କ କ୍ଷୋଭ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶାମଲିର ଏକ ଘରୋଇ ସ୍କୁଲରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ଵାରା ମାଡ଼ ମରାଯିବା ମାମଲାରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ଅଟେ ତେବେ ଘଟଣାରେ ସରକାରଙ୍କ ଅନ୍ତରଆତ୍ମା ଦୋହଲି ଯିବା ଉଚିତ୍। ମାମଲାରେ ଅଭିଯୋଗ ହୋଇଛି ଯେ, ସ୍କୁଲ ପ୍ରିନ୍ସିପାଲ ତୃପ୍ତା ତ୍ୟାଗୀ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ର ଦ୍ଵାରା ମାଡ଼ ମରାଇଥିଲେ। ଏପରିକି ସାଂପ୍ରଦାୟିକ ଟିପ୍ପଣୀ ମଧ୍ୟ କରିଥିଲେ।

ଏହି ଘଟଣାକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା। ମାତ୍ର ଶେଷରେ ପିଲାଙ୍କ ପରିଜନ ଏବଂ ପ୍ରିନ୍ସିପାଲଙ୍କ ମଧ୍ୟରେ ସାଲିସ୍ କଥା ସାମ୍ନାକୁ ଆସିଥିଲା। ଘଟଣାର ତଦନ୍ତ ଉପରେ ନଜର ରଖିବା ପାଇଁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଅଦାଲତ ମାମଲାକୁ ଗମ୍ଭୀର ଓ ଚିନ୍ତାଜନକ ଦର୍ଶାଇ କହିଛନ୍ତି, ଏହା ଜୀବନର ଅଧିକାର ସହ ଜଡ଼ିତ ମାମଲା। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ ତାରିଖ ଧାର୍ଯ୍ୟ କରିଛନ୍ତି। ଏଥିସହିତ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି ଯେ, ଏ ପର୍ଯ୍ୟନ୍ତ ଘଟଣାରେ ସାମିଲ ପିଲାଙ୍କ କାଉସେଲିଂ ପାଇଁ କଣ କରିଛନ୍ତି।

ସୁପ୍ରିମକୋର୍ଟ ମୁଜଫରନଗର ପୋଲିସ ପକ୍ଷରୁ ଦାୟର ଏଫଆଇଆର ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ପିଲାର ବାପା ଯେଉଁ ଅଭିଯୋଗ ଲଗାଇଥିଲେ, ଏଥିରେ ଏହା ଉଲ୍ଲେଖ ବି ନାହିଁ। ପିଲାର ବାପା ଦାବି କରିଥିଲେ ଯେ, ଧର୍ମ କାରଣରୁ ହି ତାଙ୍କ ପୁଅକୁ ମାଡ଼ ମରା ଯାଇଥିଲା। କିନ୍ତୁ ଏଫଆଇଆରେ ଏହା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ