Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁଜକ୍ଲିକ୍ ଉପରେ ଚଢାଉ, ସାମ୍ବାଦିକ ଅଭିସାର ଓ ଉର୍ମିଳେଶଙ୍କୁ ଟେକି ଆଣିଲା ପୋଲିସ, ଲ୍ୟାପଟପ୍ ଓ ମୋବାଇଲ ଜବତ

ନୂଆଦିଲ୍ଲୀ: ଅନଲାଇନ ପୋର୍ଟାଲ୍ ନ୍ୟୁଜ କ୍ଲିକ୍ ଉପରେ ଘନ ଘନ ଚଢାଉ ଓ କାର୍ଯ୍ୟାନୁଷ୍ଠାନ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମଙ୍ଗଳବାର ସକାଳେ ନ୍ୟୁଜକ୍ଲିକ୍ ସହ ସମ୍ଵନ୍ଧିତ ୩୦ଟି ସ୍ଥାନ ଉପରେ ଚଢାଉ କରିଛି। କାର୍ଯ୍ୟାଳୟ ବ୍ୟତୀତ କିଛି ସାମ୍ବାଦିକଙ୍କ ଘର ଉପରେ ମଧ୍ୟ ଚଢାଉ ହୋଇଛି। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫଣ୍ଡିଂକୁ ନେଇ ଚଢାଉ କରି ସାରିଥିଲା। ଏବେ କେନ୍ଦ୍ରୀୟ ଏଜେନ୍ସିରୁ ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ସ୍ପେଶାଲ ସେଲ୍ ଏହି ମିଡିଆ ଫର୍ମ ଉପରେ ଚଢାଉ କରିଛି।

ନ୍ୟୁଜକ୍ଲିକର କିଛି ସାମ୍ବାଦିକଙ୍କ ଲ୍ୟାପଟପ୍ ଓ ମୋବାଇନ ଫୋନରୁ ଡମ୍ପ ଡାଟା ଜବତ କରାଯାଇଛି। ସାମ୍ବାଦିକ ଅଭିସାର ଶର୍ମା ଓ ଉର୍ମିଳେଶଙ୍କୁ ଲୋଧି ରୋଡ୍ ସ୍ପେଶାଲ ସେଲ୍ ଦପ୍ତର ଅଣା ଯାଇଛି। ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ଅଭିସାର ଶର୍ମାଙ୍କୁ ନୋଏଡା ଏକ୍ସଟେନସନ ସ୍ଥିତ ତାଙ୍କ ବାସଭବନରେ ପଚରା ଉଚୁରା କରାଯାଇଥିଲା। ଏହା ପରେ ସ୍ପେଶାଲ ସେଲର ଟିମ ତାଙ୍କୁ ସାଙ୍ଗ ନେଇ ଯାଇଛନ୍ତି। ସକାଳେ ସ୍ପେଶାଲ ଟିମ୍ ଯେତେବେଳେ ଅଭିସାରଙ୍କ ଘରେ ପହଞ୍ଚିଲେ, ତୁରନ୍ତ ତାଙ୍କ ମୋବାଇଲ ଫୋନ ଓ ଲ୍ୟାପଟପ୍ ଜବତ କରିଥିଲେ।

ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ଅଗଷ୍ଟ ୧୭ରେ ୟୁଏପିଏ ଓ ଭାରତୀୟ ଦଣ୍ଡ ସଂହିତାର ଅନ୍ୟ ଧାରା ଆଧାରରେ କେସ୍ ରୁଜୁ କରାଯାଇଥିଲା। ଏହି କ୍ରମରେ ଆଜି ଚଢାଉ କରାଯାଇଛି। ଅଭିସାର ଶର୍ମା ଏକ୍ସରେ ଟୁଇଟ୍ କରିଛନ୍ତି ଯେ, ପୋଲିସ ମୋ ଘରେ ଚଢାଉ କରି ମୋର ଫୋନ ଓ ଲ୍ୟାପଟପ୍ ଜବତ କରିଛି।ଏହି ଚଢାଉକୁ ନେଇ ପ୍ରେସ୍ କ୍ଲବ ଅଫ ଇଣ୍ଡିଆ ଏକ୍ସରେ ଲେଖିଛନ୍ତି, ନ୍ୟୁଜକ୍ଲିକ ସହ ଜଡ଼ିତ ସାମ୍ବାଦିକ ଓ ଲେଖକଙ୍କ ଘର ଉପରେ ଚଢାଉ ବହୁତ ଚିନ୍ତାଜନକ। ଆମେ ଲଗାତାର ଏହା ଉପରେ ନଜର ରଖିଛୁ। ପ୍ରେସ୍ କ୍ଲବ ଅଫ ଇଣ୍ଡିଆ ଅଦ୍ୟାବଧି ସାମ୍ବାଦିକଙ୍କ ସମର୍ଥନ କରି ଆସିଛି। ସଂସ୍ଥା ଦାବି କରିଛି ଯେ, ସରକାର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବିସ୍ତୃତ ସୂଚନା ଦିଅନ୍ତୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ