Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟାରେ ଛାତ୍ର-ଛାତ୍ରୀଙ୍କ ଆତ୍ମହତ୍ୟା ୨୭କୁ ବୃଦ୍ଧି, ଜାଣନ୍ତୁ କାହିଁକି ହାରୁଛନ୍ତି ଜୀବନ

ନୂଆଦିଲ୍ଲୀ: ଦେଶର କୋଚଂ ହବ୍ ମଧ୍ୟରୁ ଅନ୍ୟତମ ରାଜସ୍ଥାନର କୋଟାରେ ନିଟ୍ ଓ ଜେଇଇ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର-ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ବଢିବାରେ ଲାଗିଛି। ଏହିକ୍ରମରେ ଜଣେ ୨୨ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଉ ଚିକିତ୍ସାର ଦୁଇ ଦିନ ପରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।

ଏହା ଅଭିଭାବକ ଏବଂ ପ୍ରଶାସନ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ସ୍ଵଳ୍ପ ବର୍ଷ ବୟସରେ ପାଠପଢା ସହ କ୍ୟାରିୟର ଓ ଅଭିଭାବକଙ୍କ ସ୍ଵପ୍ନ ପୂରା କରିବାରେ ବିଫଳ ହେବା ପରେ ମାନସିକ ଚାପରେ ପେଶି ହୋଇ କୋଟାରେ ଆତ୍ମହତ୍ୟା କରୁଥିବା ଛାତ୍ରଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ।
ରାଜସ୍ଥାନର କୋଟା ସହରକୁ ସମଗ୍ର ଦେଶର ଲକ୍ଷାଧିକ ଛାତ୍ର-ଛାତ୍ରୀ ନିଜର ଭବିଷ୍ୟତ ଗଢିବା ପାଇଁ ଆସୁଛନ୍ତି। ମଧ୍ୟବିତ୍ତ ପରିବାରର ମାଆ-ବାପା ନିଜ ପିଲାଙ୍କୁ କୋଟାରେ କୋଚିଂ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି। ନିଜର ସବୁ କଷ୍ଟ ଭୁଲି ପିଲାର କୋଚିଂ ପାଇଁ ଅର୍ଥ ସଞ୍ଜୟ କରିଥାନ୍ତି। ଏପରିକି ଜମି ଓ ସୁନା ଗହଣା ମଧ୍ୟ ବନ୍ଧା ପକାଇଥାନ୍ତି। ସଂପର୍କୀୟଙ୍କଠୁ ଉଧାରି ମଧ୍ୟ ଆଣିଥାନ୍ତି। ଆଉ ଏହା ମାନସିକ ଚାପ ପିଲାଙ୍କ ଉପରେ ମଧ୍ୟ ରହିଥାଏ।

କୋଟାରେ ବର୍ତ୍ତମାନ ୪୦୦୦ ପାଖାପାଖି ହୋଷ୍ଟେଲ ରହିଛି। ୪୦ ହଜାରରୁ ଅଧିକ ପିଜି ସଞ୍ଚାଳିତ ହେଉଛି। ଦୁଇ ଲକ୍ଷରୁ ଅଧିକ ଛାତ୍ର-ଛାତ୍ରୀ ନିଜ ଘରଠୁ ଦୂରରେ ରହି ନିଜର ଭବିଷ୍ୟତ ଗଠନ କରୁଛନ୍ତି। ମାତ୍ର ଦେଶର ଏହି ଭବିଷ୍ୟତ ସଂପ୍ରତି ମାନସିକ ଦୁଶ୍ଚିନ୍ତାରେ ରହୁଛି। ଆଖିରେ ଅସୁମାରୀ ସ୍ଵପ୍ନ ଥିବା ସତ୍ଵେ ନିରାଶ ଏବଂ ହତାଶାପଣ ସେମାନଙ୍କୁ ଛାଡ଼ୁନାହିଁ। ଲକ୍ଷାଧିକ ପିଲାଙ୍କ ଗହଣରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଫଳ ହେବା ପରେ ସେମାନେ ଏତେ ଭାଙ୍ଗି ପଡ଼ୁଛନ୍ତି ଯେ, ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣଉଛନ୍ତି। ଆସନ୍ତୁ ତଥ୍ୟ ଉପରେ ନଜର ପକାଇବା

୨୦୨୩ରେ ଜେଇ ଆଡଭାନ୍ସରେ ୧୧ ଲକ୍ଷ ୧୩ ହଜାର ପିଲା ପରୀକ୍ଷା ଦେଇଥିଲେ। ହେଲେ ଆଇଆଇଟିଏ ଏବଂ ନିଟ୍ ପାଇଁ ରହିଛି ମାତ୍ର ୪୧ ହଜାର ୩୩୯ ସିଟ୍। ସେହିପରି ଚଳିତ ବର୍ଷ ନିଟ୍ ୟଜି ୨୦୨୩ ପରୀକ୍ଷାରେ ବସିଥିଲେ ୨୦ ଲକ୍ଷ ୨୪ ହଜାର ପରୀକ୍ଷାର୍ଥୀ। କିନ୍ତୁ ସରକାରୀ ମେଡିକାଲ୍ କଲେଜର ସିଟ୍ ସଂଖ୍ୟା ହେଉଛି ୫୬ ହଜାର ୨୮୩। ଏଥିରୁ ଅନୁମେୟ କରି ପାରୁଥିବେ ସଂପ୍ରତି ପ୍ରତିଯୋଗିତା କେଉଁ ସ୍ତରରେ ପହଞ୍ଚିଲାଣି।
୨୦୨୦ ଏନସିଆରବିର ରିପୋର୍ଟ ଅନୁଯାୟୀ, ଦେଶରେ ଅଦ୍ୟାବଧି ୧୮ ବର୍ଷରୁ କମ ୧୧ ହଜାର ୩୯୬ ଜଣ ପିଲା ଆତ୍ମହତ୍ୟା କରିଛନ୍ତି।

କାହିଁକି ଆତ୍ମହତ୍ୟା କରୁଛନ୍ତି ଛାତ୍ର-ଛାତ୍ରୀ
ପ୍ରଥମତଃ ଘର ଲୋକଙ୍କ ସ୍ଵପ୍ନର ଅସୁମାରୀ ବୋଝ ସହ ଦିନକୁ ୧୪ ଘଣ୍ଟା ପାଠପଢା। ତା ସହ ପ୍ରତି ରବିବାର ସାପ୍ତାହିକ ପରୀକ୍ଷା। ଅର୍ଥାତ ପିଲାମାନଙ୍କୁ ବିଶ୍ରାମ ମଧ୍ୟ ନାହିଁ।

ଏକଲାପଣ ରହିବା ଏବଂ ମାନସିକ ଭାବେ କେହି ନ ବୁଝାଇବା। ସବୁଠୁ ବଡ଼ କଥା ପିଲା କେବଳ ଆଇଆଇଟି କିମ୍ବା ମେଡିକାଲ୍ ପଢିବାର ବାପା-ମାଆଙ୍କ ଚାପ।

ପରୀକ୍ଷାରେ ବିଫଳ ହେବା ଅର୍ଥ ପାଠପଢା ପାଇଁ କରାଯାଇଥିବା ଋଣ କେମିତି ପରିଶୋଧ ହେବ।

ଏବେ ନଜର ପକାଇବା କୋଟା ରିପୋର୍ଟ ଉପରେ
କୋଟାରେ କୋଚିଂ ଇଣ୍ଡଷ୍ଟ୍ରୀର ଆନୁମାଲିକ ମୂଲ୍ୟ ୧୨ ହଜାର କୋଟି ଟଙ୍କା। ଜଣେ ପିଲା ପିଛା ହାରହାରି କୋଚିଂ ଫି ହେଉଛି ୧ ଲକ୍ଷ। ପୁଣି ହଷ୍ଟେଲ କିମ୍ବା ପିଜି ଚାର୍ଜ ବାଦରେ ମାସକୁ ରହିବା ଏବଂ ଖାଇବା ଖର୍ଚ୍ଚ ହେଉଛି ୭ ହଜାର ଟଙ୍କା।

୨.୫ ଲକ୍ଷ ଛାତ୍ର-ଛାତ୍ରୀ, ୪ ହଜାର ହଷ୍ଟେଲ, ୪ ହଜାର ଶିକ୍ଷକ, ୪୦ ହଜାର ପିଜି

କେଉଁ ବର୍ଷ କେତେ ଆତ୍ମହତ୍ୟା କରିଛନ୍ତି ଛାତ୍ର-ଛାତ୍ରୀ
୨୦୧୫- ୧୭
୨୦୧୬- ୧୬
୨୦୧୭- ୭
୨୦୧୮- ୨୦
୨୦୧୯- ୮
୨୦୨୦- ୪
୨୦୨୧- ୦
୨୦୨୨- ୧୫
୨୦୨୩- ୨୭

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ