Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନବେଳେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି ଛତିକୁଡ଼ା-କିଡିଙ୍ଗ ରାସ୍ତା

କଳାହାଣ୍ଡି,୦୬/୧୦-କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ କିଡିଙ୍ଗ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି ରାସ୍ତା ସାରା ବିରାଟ ବିରାଟ ହୋଡିଂ ସବୁ ଲଗାଯାଇ ରାଜ୍ୟ ସରକାର ଏଇ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଉଥିବାବେଳେ ଛତିକୁଡ଼ା ଛକରୁ କିଡିଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ଏହା ଯମଯନ୍ତ୍ରଣା ପାଲଟିଛି ! ପ୍ରାୟ ଦଶ କିଲୋମିଟର ପର୍ଯ୍ୟନ୍ତ ଏଇ ରାସ୍ତାରେ ପାଞ୍ଚଶହରୁ ଉର୍ଦ୍ଧ୍ବ ଖାଲଖମା ଭର୍ତ୍ତି ହୋଇଥିବାବେଳେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାର ଆଶଙ୍କା ଲାଗିରହିଛି ! ଛତିକୁଡ଼ାରୁ ଶାନ୍ତପୁର, ଶାନ୍ତପୁରରୁ କଦଳୀଘାଟି, କଦଳୀଘାଟି ଛକରୁ ବଞ୍ଜାରୀଘାଟି ଓ ବଞ୍ଜାରୀଘାଟିରୁ କିଡ଼ିଙ୍ଗ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାବେଳେ ନିର୍ମାଣ ଦାୟିତ୍ବରେ ଥିବା ଠିକା ସଂସ୍ଥା ତାରାତାରିଣୀ କନଷ୍ଟ୍ରକସନ୍, ତଦାରଖ ଦାୟିତ୍ବରେ ଥିବା କଳାହାଣ୍ଡି ପୂର୍ତ୍ତ ବିଭାଗ ସମସ୍ତେ ଯେମିତି ଏଇ ରାସ୍ତା ପ୍ରତି ଆଖି ବୁଜି ଦେଇଛନ୍ତି ! ଠିକାସଂସ୍ଥା ତରଫରୁ ରାସ୍ତାର ଉଭୟ ପାର୍ଶ୍ବରେ ମୁରୁମ ବଦଳରେ ଚିକିଟା ମାଟି ପକାଇ ଦାୟିତ୍ବ ସାରି ଦିଆଯାଇଛି ! ଯଦ୍ବାରା ରାସ୍ତା ସାଇଡ ଦେବାକୁ ଯାଇ ମଧ୍ୟ ଯାନବାହନ ଦୁର୍ଘଟଣାର ଶିକାର ହେବା ଲକ୍ଷ୍ୟ କରାଯାଉଛି ! ସେହିପରି ରାସ୍ତାର ଖାଲଖମାରେ ଦିନାତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବାବେଳେ ଏହାକୁ ଗୁରୁତ୍ବର ସହିତ ନେବା ବଦଳରେ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଏଇ ଖାଲଖମାରେ ନାମକୁ ମାତ୍ର କ୍ରସରଗୁଣ୍ଡ ପକାଇ ଦିଆଯାଇଛି ! ତେବେ ଦୈନିକ ଶହଶହ ଭାରୀଯାନ ଚଳାଚଳ ହେଉଥିବାବେଳେ କ୍ରସରଗୁଣ୍ଡ ଉଡ଼ି ଏଇ ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ପାଇଁ ଆହୁରି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି ! ଦିନବେଳେ ରାସ୍ତା ସାରା କ୍ରସରଗୁଣ୍ଡ ଉଡ଼ି କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି ! ଏପରିକି ରାସ୍ତାରେ ଉଡୁଥିବା କ୍ରସର ଓ ଧୂଳିଗୁଣ୍ଡ ଯୋଗୁଁ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଥିବାବେଳେ ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗର ଦାୟିତ୍ବହୀନତା ଯୋଗୁଁ ରାସ୍ତାରେ ଯାତାୟତ କରୁଥିବା ଯାନବାହନ ବିଶେଷ କରି ବାଇକ ଆରୋହୀମାନେ ଦୁର୍ଘଟଣାରୁ ବର୍ତ୍ତିଗଲେ ବି ଶ୍ବାସ, ଟିବି ଓ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହେବା ନିଶ୍ଚିତ ହୋଇଯାଇଛି ! ଏଇ ରାସ୍ତା ଦେଇ ନେତା, ମନ୍ତ୍ରୀ, ଜନ ପ୍ରତିନିଧିଙ୍କ ସମେତ ପୂର୍ତ୍ତ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀମାନେ ଯାତାୟତ କରୁଥିଲେ ହେଁ କେମିତି କେଜାଣି ସେମାନଙ୍କ ନଜରରେ ଏହା ପଡୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ! ସେହିପରି ବାରମ୍ବାର ଦାବି ଓ ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମସ୍ୟାର କୌଣସି ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ଜନ ଅସନ୍ତୋଷ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ! ଏପରିକି ଜନ ଅସନ୍ତୋଷ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନର ରୂପ ନେବାକୁ ଯାଉଥିବା ସୂଚନା ମିଳିଛି ! ଏଣୁ ସମୟ ଥାଉଣୁ ବିଭାଗ ତରଫରୁ ତ୍ବରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ