ପିଏମ ଓ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଉଡ଼ାଇ ଦେବାକୁ ଧମକ, ବଦଳରେ ଲରେନ୍ସ ବିଷ୍ନୋଇକୁ ମୁକ୍ତ କରିବାକୁ ଦାବି

ମୁମ୍ବାଇ: ମୁମ୍ବାଇ ପୋଲିସକୁ ଏକ ଧମକଭରା ମେଲ୍ ମିଳିଛି। ଏଥିରେ ପ୍ରଧାନମନ୍ତ୍ରୀ ଓ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଗୁରୁବାର ରାତିରେ ଏହି ମେଲରେ ଧମକ ଦେଇଥିବା ବ୍ୟକ୍ତି ଭାରତ ସରକାରଙ୍କୁ ୫୦୦ କୋଟି ଟଙ୍କା ଦାବି କରିଛି। ଏହା ସହିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇକୁ ମୁକ୍ତ କରିବାକୁ ଦାବି କରିଛି। ଲରେନ୍ସ ବର୍ତ୍ତମାନ ଦିଲ୍ଲୀର ମଣ୍ଡୋଲୀ ଜେଲରେ ଅଛି। ଇମେଲରେ ଏହା ମଧ୍ୟ କୁହାଯାଇଛି ଯେ, ଆତଙ୍କୀ ଗୋଷ୍ଠୀ ଆକ୍ରମଣ କରିବା ପୂର୍ବରୁ ନିଜ ଲୋକଙ୍କୁ ମୁତୟନ କରି ସାରିଛନ୍ତି।
ପୋଲିସ ଅନୁସାରେ ଏହି ଧମକଭରା ଇମେଲ୍ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)କୁ ପଠାଯାଇଥିଲା, ଯାହାର ସୂଚନା ମୁମ୍ବାଇ ପୋଲିସକୁ ଦିଆଯାଇଛି। କୁହାଯାଉଛି ଏହି ମେଲ୍ ୟୁରୋପରୁ ପଠାଯାଇଥିଲା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମେଲ ପରେ ସମସ୍ତ ସମନ୍ଧିତ ଏଜେନ୍ସିକୁ ସତର୍କ କରାଇ ଦିଆଯାଇଛି। ବିଦେଶରେ କୌଣସି ଜଣେ ଦୁର୍ବୃତ୍ତ ଏମିତି କାମ କରିଥିବା ପୋଲିସ କହିଛି। ଅନ୍ୟପଟେ ସମସ୍ତ କ୍ରିକେଟ୍ ମ୍ୟାଚର ସୁରକ୍ଷାର ସମୀକ୍ଷା କରାଯିବ ଓ ଆବଶ୍ୟକ ପଡ଼ିଲେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯିବ।
ଧମକଭରା ମେଲରେ କୁହାଯାଇଛି ଯେ, ଯଦି ସରକାର ଆମକୁ ୫୦୦ କୋଟି ଟଙ୍କା ଦେବେ ଏବଂ ଲରେନ୍ସ ବିଷ୍ନୋଇକୁ ମୁକ୍ତ କରିବାରେ ବିଫଳ ହେଲେ ଆମେ ପିଏମ ନରେନ୍ଦ୍ର ମୋଦୀ ଓ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଉଡ଼ାଇ ଦେବୁ। ଆକ୍ରମଣରେ ବ୍ୟବହୃତ ସାମଗ୍ରୀ ଭାରତରେ କିଣିଥିବା ମେଲରେ ଉଲ୍ଲେଖ ରହିଛି। ତୁମେ ଯେତେ ସୁରକ୍ଷା ବ୍ୟବସ୍ଥା କଲେ ମଧ୍ୟ ଆକ୍ରମଣକୁ ରୋକି ପାରିବ ନାହିଁ। ଯଦି କେହି ଆଲୋଚନା କରିବାକୁ ଚାହାନ୍ତି ତେବେ ଏହି ମେଲ୍ ଜରିଆରେ କଥା ହୋଇ ପାରିବେ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗୁରୁପତବନ୍ତ ସିଂ ପନ୍ନୁ ମଧ୍ୟ ବିଶ୍ଵକପ୍ ମ୍ୟାଚ୍ ଉପରେ ଆକ୍ରମଣ ଧମକ ଦେଇ ସାରିଛି।