ଏଲ୍ ଆଣ୍ଡ ଟି କମ୍ପାନୀ କବଜାରେ ଲାଞ୍ଜିଗଡ଼ ଆଦିବାସୀ ସ୍କୁଲ ଓ ହଷ୍ଟେଲ


କଳାହାଣ୍ଡି,୧୧/୧୦-କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳର ଆଦିବାସୀ ଛାତ୍ରଙ୍କ ପାଇଁ ଲାଞ୍ଜିଗଡ଼ ସହର ଉପକଣ୍ଠ ବଂଶଧାରା ନଦୀ ତଟରେ ନିର୍ମାଣ କରାଯାଇଛି ଆଦିବାସୀ ସ୍କୁଲ ଓ ଛାତ୍ରାବାସ ! ଆଦିମ ଜନଜାତିଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମିତ ଏଇ ସ୍କୁଲରେ ଆଦିମ ଜନଜାତି ଶ୍ରେଣୀର ଛାତ୍ରମାନେ ଅନ୍ତେବାସୀ ଭାବେ ରହି ପାଠ ପଢ଼ିବାର ଉଦ୍ଦେଶ୍ୟ ରହିଥିଲା ! ତେବେ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ ହେଲା, ଯେଉଁ ସ୍କୁଲରେ ଆଦିମ ଜନଜାତିର ଛାତ୍ରମାନେ ପାଠ ପଢ଼ିବା କଥା, ନିଜର ଭବିଷ୍ୟତ ଗଢ଼ିବା କଥା ସେଇ ସ୍କୁଲକୁ ଅନଧିକାର ଭାବେ କବଜା କରିଛି ଏଲ୍ ଏଣ୍ଡ ଟି କଂପାନୀ ! ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ସାଧାରଣ ଓ ଘରୋଇ ବ୍ୟବହାରରୁ ଦୂରେଇ ରଖିବାକୁ କଡ଼ା ନିର୍ଦ୍ଦେଶନାମା ରହିଥିଲେ ହେଁ ଏହାକୁ ବେଖାତିର କରି ଏଲ୍ ଏଣ୍ଡ ଟି କଂପାନୀ ଏଇ ସ୍କୁଲକୁ ମାଡ଼ି ବସି କବଜା କରିବା ସହିତ ଜୋରଜବରଦସ୍ତ ନିଜର ଦୁଇଶହରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ତିନିବର୍ଷ ହେଲା ରଖିଛି ! ଏଭଳି ବେଆଇନ ଭାବେ ସରକାରୀ ସଂପତ୍ତି ତାହା ବି ଆଦିମ ଜନଜାତିର ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲ ଓ ଛାତ୍ରାବାସକୁ କବଜା କରି ରଖିବା ଘଟଣାକୁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି ! ଏଲ୍ ଏଣ୍ଡ ଟି କଂପାନୀର ଏଇ ବେଆଇନ କବଜାକୁ ବିରୋଧ କରି ଗତ ଅଗଷ୍ଟ ୯ ତାରିଖ ଦିନ ବିଶ୍ବ ଆଦିବାସୀ ଦିନ ନିୟମଗିରି ସୁରକ୍ଷା ସମିତି ତରଫରୁ ଏଇ ଛାତ୍ରାବାସ ଘେରାଉ କରାଯାଇଥିଲା ! ଏହାସତ୍ତ୍ବେ ଏଲ୍ ଏଣ୍ଡ ଟି କଂପାନୀ ଏଇ ଛାତ୍ରାବାସକୁ କବଜା କରି ରଖିଛି ! ସୂଚନାଯୋଗ୍ୟ, ଗତ ୨୦୨୯-୨୦ରେ ମହାମାରୀ କୋଭିଡ଼ର ଭୟାବହତା ସମୟରେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଏଇ ଛାତ୍ରାବାସକୁ ସାମୟିକ ଭାବେ ବ୍ୟବହାର କରିବାକୁ ଏଲ୍ ଏଣ୍ଡ ଟି କଂପାନୀକୁ ଅନୁମତି ଦେଇଥିବାବେଳେ ଆଜି ପର୍ଯ୍ୟନ୍ତ ଏଲ୍ ଏଣ୍ଡ ଟି କଂପାନୀ ଏଠାରୁ ହଟିନାହିଁ ! ଏଇ ସ୍କୁଲ ଓ ଛାତ୍ରାବାସକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ପ୍ରୟାସ କରାଯାଉଥିବାବେଳେ କଂପାନୀର ଶ୍ରମିକ ଓ କର୍ମଚାରୀମାନେ ମାଡ଼ି ବସିଥିବାରୁ ଏଥିରେ ସମସ୍ୟା ଦେଖାଦେଇଛି ! କିଛିଦିନ ତଳେ ସ୍କୁଲ ଓ ହଷ୍ଟେଲ ଖାଲି କରିବାକୁ ମଙ୍ଗଳ ବିଭାଗ ଚିଠି କରିଥିଲେ ହେଁ ଏଲ୍ ଏଣ୍ଡ ଟି କଂପାନୀ ଏହାକୁ ଖାତିର କରୁନି ! ସେହିପରି ସ୍କୁଲ ଓ ହଷ୍ଟେଲ ବ୍ୟବହ୍ରୁତ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବ୍ରୁଦ୍ଧି ପାଉଥିବାବେଳେ କିଛିଦିନ ତଳେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ ମଧ୍ୟ ଏଇ ସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି କଂପାନୀ କର୍ମକର୍ତ୍ତାଙ୍କୁ ତାଗିଦ୍ କରିଥିବା ଜଣାପଡ଼ିଛି ! ଅପରପକ୍ଷରେ କୋଭିଡ ସମୟରେ ଜିଲ୍ଲା ପ୍ରଶାସନକୁ ଅନୁନୟ ବିନୟ କରି ନିଜ କର୍ମଚାରୀଙ୍କୁ ସାମୟିକ ଭାବେ ରଖିବା ସହିତ ଏହାର ମରାମତି ଓ ରକ୍ଷଣାବେକ୍ଷଣ କରିବା ପାଇଁ ଏଲ୍ ଏଣ୍ଡ ଟି କଂପାନୀ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ତାହା ବି କରାଯାଇନାହିଁ ! ଓଲଟା ତିନିବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନରେ ନିର୍ମିତ ସ୍କୁଲ ଓ ହଷ୍ଟେଲକୁ ବେଆଇନ ଭାବେ କବଜା କରି ରଖିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ! ଏଣୁ ଏଲ୍ ଏଣ୍ଡ ଟି କଂପାନୀ ନିଜ ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ସ୍କୁଲ ଓ ହଷ୍ଟେଲର ମରାମତି କରିବା ସହିତ ତୁରନ୍ତ ଏଇ ଶିକ୍ଷାନୁଷ୍ଠାନକୁ ଖାଲି କରିବାକୁ ସାଧାରଣରେ ଦାବି ହେଉଛି ! ନଚେତ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନିବର୍ଷର ଭଡ଼ା ଓ ଫାଇନ୍ ଆଦାୟ କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହେଉଛି !