କଳାହାଣ୍ଡିରେ ନୋହିଲା OPSC ପରୀକ୍ଷା କେନ୍ଦ୍ର : ହରଡ଼ଘଣାରେ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ


କଳାହାଣ୍ଡି,୧୪/୧୦-ଆସନ୍ତାକାଲି ୧୫ ତାରିଖ ରବିବାର ଦିନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଓପିଏସସି ପ୍ରିଲିମ୍ସ ପରୀକ୍ଷା ! ଦୁଇଟି ସିଟିଂରେ ହେବାକୁ ଥିବା ଏଇ ପରୀକ୍ଷା ପାଇଁ ରାଜ୍ୟ ବ୍ୟାପି ହଜାର ହଜାର ପରୀକ୍ଷାର୍ଥୀ ଉତ୍ସାହିତ ଅଛନ୍ତି ! ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଆୟୋଜିତ ଏଇ ପରୀକ୍ଷାକୁ ନେଇ ରାଜ୍ୟର ସବୁ ଜିଲ୍ଲାର ପରୀକ୍ଷାର୍ଥୀ ଆଶା ବାନ୍ଧି ବସିଥିବାବେଳେ ଜିଲ୍ଲାରୁ ୩୦୦ କିମି ଦୂର ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ କଳାହାଣ୍ଡି ଜିଲ୍ଲାର ପରୀକ୍ଷାର୍ଥୀମାନେ ନିରାଶ ହୋଇପଡ଼ିଛନ୍ତି ! ଏପରିକି ବହୁ ପରୀକ୍ଷାର୍ଥୀ ସମ୍ବଲପୁରକୁ ଯିବାକୁ ଅଗ୍ରୀମ ଟ୍ରେନ୍ ଟିକେଟ୍ କରିଥିବାବେଳେ ଆଜି ହଠାତ୍ ସମଲେଶ୍ବରୀ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହୋଇଯିବାରୁ ଜିଲ୍ଲାର ବହୁ ପରୀକ୍ଷାର୍ଥୀ ସମ୍ବଲପୁର ଯିବାକୁ ନେଇ ହଇରାଣ ହୋଇଛନ୍ତି ! ଏପରିକି ବିଭିନ୍ନ ସ୍ଥାନରେ କର୍ମଜୀବୀ ଆଶାୟୀଙ୍କ ସମେତ ମହିଳା ବିଶେଷ କରି ଗୃହିଣୀମାନେ ବେଶ୍ ହଇରାଣ ହୋଇଛନ୍ତି ! ସେହିପରି ସମ୍ବଲପୁରରେ ରହିବା ବ୍ୟବସ୍ଥା, ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାତାୟତ ବ୍ୟବସ୍ଥା ଆଦିରେ ଘୋର ସମସ୍ୟା ଦେଖାଦେଇଥିବାବେଳେ କଳାହାଣ୍ଡି ଜିଲ୍ଲାର ବହୁ ପରୀକ୍ଷାର୍ଥୀ ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ ଆସନ୍ତାକାଲି ପରୀକ୍ଷା ଦେବାକୁ ବାଧ୍ୟ ହେବେ ବୋଲି ବହୁ ପରୀକ୍ଷାର୍ଥୀ ପ୍ରକାଶ କରିଛନ୍ତି ! ଅପରପକ୍ଷରେ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଆୟୋଜିତ ଓପିଏସସି ପରୀକ୍ଷା କେନ୍ଦ୍ର କଳାହାଣ୍ଡିରେ କରିବାକୁ ବହୁଦିନ ହେଲା ଦାବି ହେଉଥିଲେ ହେଁ ଜିଲ୍ଲାବାସୀଙ୍କ ଏଇ ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରି ଆସିଛନ୍ତି ଲୋକସେବା ଆୟୋଗ ଓ ରାଜ୍ୟ ସରକାର ! ଜିଲ୍ଲାରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ, କୃଷି ମହାବିଦ୍ୟାଳୟ, ଆଇଟିଆଇ, ପଲିଟେକନିକ୍ ସମେତ ଦଶରୁ ଅଧିକ ଉପଯୁକ୍ତ ଭିତ୍ତିଭୂମି ଥିବା ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ରହିଥିଲେ ହେଁ ଏସବୁ ପ୍ରତି ଧ୍ୟାନ ଦିଆଯାଉନାହିଁ ! ଏପରିକି ଜିଲ୍ଲାରେ ବିଭିନ୍ନ କେନ୍ଦ୍ରୀୟ ପ୍ରବେଶିକା ଓ ଜାତୀୟ ସ୍ତରୀୟ ପରୀକ୍ଷା ସବୁ ସଫଳତାର ସହ ପରିଚାଳନା କରାଯାଉଥିବାବେଳେ ଓପିଏସସି ପରୀକ୍ଷା କେନ୍ଦ୍ର କରାଗଲେ ଅସୁବିଧା କେଉଁଠି ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲ ପ୍ରଶ୍ନ ଉଠାଇଛନ୍ତି ! ଜିଲ୍ଲାର ଗ୍ରାମାଞ୍ଚଳ ଓ କର୍ମଜୀବୀ ପରୀକ୍ଷାର୍ଥୀମାନଙ୍କ ସ୍ବାର୍ଥ ଦୃଷ୍ଚିରୁ ଆଜି ପର୍ଯ୍ୟନ୍ତ କେହି ନେତା, ଜନପ୍ରତିନିଧି ସ୍ବର ଉତ୍ତୋଳନ ନକରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ! ଯାହାଫଳରେ ସମ୍ବଲପୁର ସମେତ ଅନ୍ୟାନ୍ୟ ଦୂରଦୁରାନ୍ତରର ପରୀକ୍ଷାକେନ୍ଦ୍ରକୁ ଯାଇ ଜିଲ୍ଲାର ପରୀକ୍ଷାର୍ଥୀମାନେ ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି ବୋଲି ଅଭିଯୋଗ ହେଉଛି ! ଏନେଇ ବର୍ଷକ ତଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କଳାହାଣ୍ଡି ଜିଲ୍ଲାରେ ଓପିଏସସିର ପରୀକ୍ଷା କେନ୍ଦ୍ର କରାଯିବାକୁ ଦାବି କରାଯାଇଥିଲା ! ଏହା ପରେପରେ ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ମଧ୍ୟ କଳାହାଣ୍ଡିରେ ପରୀକ୍ଷା କେନ୍ଦ୍ର କରାଯିବା ନେଇ ସବୁଜ ସଙ୍କେତ ମିଳିଥିଲା ! ତେବେ ଇତିମଧ୍ୟରେ ବର୍ଷଟିଏ ବିତିସାରିଥିଲେ ହେଁ ନିଜ ଘୋଷଣାକୁ ନା ସରକାର ନା ଲୋକସେବା ଆୟୋଗ କେହି ମଧ୍ୟ କାର୍ଯ୍ୟକାରୀ କଲେ ନାହିଁ ! ଯାହାଫଳରେ ଆଜି ଜିଲ୍ଲାର ଶତାଧିକ ପରୀକ୍ଷାର୍ଥୀଙ୍କୁ ହଇରାଣ ହେବାକୁ ପଡ଼ିଛି ! ଏଣୁ ପୂର୍ବ ଘୋଷଣା ମୁତାବକ ରାଜ୍ୟ ସରକାର ଏବଂ ଲୋକସେବା ଆୟୋଗ କଳାହାଣ୍ଡିରେ ପରୀକ୍ଷାକେନ୍ଦ୍ର କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର ପ୍ରମୁଖ ଦାବି କରିଛନ୍ତି ! ଏହାସହିତ ଫେଡେରେସନ ତରଫରୁ ପୁଣିଥରେ ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ତାଣ୍ଡି ଓ ଶ୍ରୀ କୁମାର ପ୍ରକାଶ କରିଛନ୍ତି !