Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରୁ ଫେରିଲେ କୁନି ବିଜ୍ଞାନୀ ସୌମ୍ୟ ରଂଜନ ସିଂହ ଓ ଖୁସୁବୁ ସାହୁ : ରେଳଷ୍ଟେସନରେ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା

କଳାହାଣ୍ଡି,୧୪/୧୦-କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଳେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୌମ୍ୟ ରଂଜନ ସିଂହ କୃତିତ୍ୱ ହାସଲ କରି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ବିଭାଗର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ପ୍ରକାଶ ଥାଉକି ରାଜ୍ୟ ଯସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ମନୋନୀତ ହୋଇ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିଲେ ।୨୭ଟି ପ୍ରକଳ୍ପ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଗୋକୁଳେଶ୍ଵର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗଦୀଶ ପଧାନଙ୍କ ମାର୍ଗଦର୍ଶନରେ ଛାତ୍ର ସୌମ୍ୟ ରଞ୍ଜନ ସିଂହଙ୍କ ଦ୍ଵାରା ପ୍ରସ୍ତୁତ ” ନିରାପଦ ସିଲେଇ” ପ୍ରକଳ୍ପ ଓ ଗାଈଗାଁ ରାଜୀବ ଜୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଖିରୋଦ୍ରି ସାହାଙ୍କ ମାର୍ଗଦର୍ଶନରେ ଛାତ୍ରୀ ଖୁସବୁ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ” ମଲ୍ଟି ପର୍ପସ ହ୍ୱିଲ୍ ଚେୟାର” ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଥିଲା। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରଦର୍ଶିତ ସମୁଦାୟ ୭୪୧ ଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ୬୦ଟି ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ତନ୍ମଧ୍ୟରୁ ଓଡ଼ିଶାର ୫ଟି ପ୍ରକଳ୍ପ ଶ୍ରେଷ୍ଠ ତାଲିକାରେ ରହିଥିବାବେଳେ କଳାହାଣ୍ଡିର ସୌମ୍ୟ ରଂଜନ ସିଂହ ଙ୍କ ‘ନିରାପଦ ସିଲେଇ’ ପ୍ରକଳ୍ପଟି ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହେବା ସଂଗେସଂଗେ ଜାପାନରେ ଆୟୋଜନ ହେବାକୁ ଥିବା ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛି । ଏହି ସଫଳତା ପାଇଁ କେସିଙ୍ଗା ତଥା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏଇ ଅବସରରେ ଆଜି ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀଙ୍କ ସହ ଛାତ୍ର ସୌମ୍ୟ ରଂଜନ ସିଂହ ଓ ଛାତ୍ରୀ ଖୁସବୁ ସାହୁ ଭବାନୀପାଟଣା ରେଳ ଷ୍ଟେସନଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ରେଳ ଷ୍ଟେସନଠାରେ ଉପସ୍ଥିତ ରହି କଳାହାଣ୍ଡି ଟିମ୍ କୁ ସ୍ବାଗତ କରିଥିଲେ । ଏହି ଟିମରେ ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ଜଗଦୀଶ ପଧାନ, ଜ୍ଞାନରଞ୍ଜନ ପାତ୍ର, ଜୟଦେବ ସାହୁ ଏବଂ ଯଶୋବନ୍ତ ସିଂହ ପ୍ରମୁଖ ସାମିଲ ଅଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ, ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ସଂଯୋଜକ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ