୧୮ରେ କେରପାଇରେ ଜନଶୁଣାଣି : ପ୍ରକୃତି, ପରିବେଶ, ଜୈବବିବିଧତା ଚୂଲିକି ଗଲା : ବହୁରାଷ୍ଟ୍ରୀୟ କଂପାନୀ ସମର୍ଥନରେ ପୁଲିସ, ପ୍ରଶାସନ ଓ ନେତା


କଳାହାଣ୍ଡି,୧୫/୧୦-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତ ସିଜିମାଳି ପର୍ବତରେ ବକ୍ସାଇଟ ଖଣିଖନନ ପାଇଁ ଆସନ୍ତାକାଲି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେରଠାରେ ଜନଶୁଣାଣି ଅନୁଷ୍ଠିତ ହେବ ! ତାର ଦିନକ ପରେ ଆସନ୍ତା ୧୮ ତାରିଖ ଦିନ ସିଜିମାଳିର କଳାହାଣ୍ଡି ପାର୍ଶ୍ବ ଅର୍ଥାତ୍ କେରପାଇରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ! ଏଥିରେ ସ୍ଥାନୀୟ ଅଧିବାସୀ ଯୋଗଦେଇ ସିଜିମାଳିରେ ଖଣି ଖନନକୁ ନେଇ ନିଜ ନିଜର ମତ ଉପସ୍ଥାପନ କରିବେ ! ତେବେ ଖଣି ଖନନ ପାଇଁ ଜନସାଧାରଣଙ୍କଠାରୁ ଅନୁକୂଳ ମତ ସଂଗ୍ରହ କରିବାକୁ କଂପାନୀ ଦିନରାତି ଏକ କରିଦେଇଛି ! ଦିନେ ଯେଉଁ ପରିବେଶବିତ୍ ଓ ରାଜନେତାମାନଙ୍କ ଚାପରେ ନିୟମଗିରି ଖଣିଖନନ ସଂପର୍କିତ ଜନଶୁଣାଣି କଂପାନୀ ବିପକ୍ଷରେ ଯାଇଥିଲା ! ଆଜି ସେସବୁ ଗତିରୋଧ ହଟାଇବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତି ଶେଷ ହୋଇଛି ! ପରିବେଶବିତ୍, ସ୍ଥାନୀୟ ଆନ୍ଦୋଳନକାରୀ ଆଦିଙ୍କୁ ରାସ୍ତାରୁ ହଟାଇବାକୁ ବହୁରାଷ୍ଟ୍ରୀୟ କଂପାନୀ ଇଶାରାରେ କାହା ନାଁରେ ମିଥ୍ୟା ମକଦ୍ଦମା ତ କାହାକୁ ଧମକଚମକ ଦିଆଯାଉଥିବା ନେଇ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି ! ଏପରିକି କଂପାନୀକୁ ସମର୍ଥନ କରି ପ୍ରଶାସନ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଥିବାବେଳେ ଥୁଆମୂଳ ରାମପୁର ଅଞ୍ଚଳ ଏବେ ପୁଲିସଛାଉଣୀରେ ପରିଣତ ହୋଇଛି ! ପୂର୍ବରୁ ଖଣି ଖନନ ହେଲେ ପ୍ରକୃତି, ପରିବେଶ ଓ ଜୈବବିବିଧତା ନଷ୍ଟ ହୋଇଯିବ ବୋଲି ଗଳାଫଟାଇ ଚିତ୍କାର କରୁଥିବା ନେତା ଓ ଜନପ୍ରତିନିଧିମାନଙ୍କ ସ୍ବର ଏବେ ନରମିଯାଇଛି ! ସେମାନେ ସିଜିମାଳି ପ୍ରସଙ୍ଗରେ ଅସମ୍ଭବବ ନିରବ ରହିବା ସେମାନଙ୍କ ଦୋହରାନୀତି ବୋଲି ଅଭିଯୋଗ ହେଉଛି ! କାରଣ ସିଜିମାଳିରେ ଖଣି ଖନନ ହେଲେ ସତେ ଯେମିତି ଆଉ ପ୍ରଦୂଷଣ ହେବ ନାହିଁ, ପ୍ରକୃତି, ପରିବେଶ ଓ ଜୈବବିବିଧତା ନଷ୍ଟ ହେବ ନାହିଁ ! ଏ ସଂପର୍କରେ କେହି ବି ସତେ ଯେମିତି ମୁହଁ ଖୋଲିବାକୁ ରାଜି ନୁହଁନ୍ତି ! ଏପରିସ୍ଥଳେ ଲୋକେ ମଧ୍ୟ ଖଣି ଖନନକୁ ସମର୍ଥନ କରିବାକୁ ଆଗେଇ ଆସିବା ପ୍ରାୟୋଜିତ କାର୍ଯ୍ୟକ୍ରମର ଅଂଶବିଶେଷ ଭଳି ମନେ ହେଉଛି ! କାରଣ ସିଜିମାଳିରେ ଖଣି ଖନନକୁ ବିରୋଧ ତଥା ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ମିଥ୍ୟା ଗିରଫଦାରିର ପ୍ରତିବାଦରେ କଳାହାଣ୍ଡି ସଚେତନ ନାଗରିକ ମଞ୍ଚର ଆହ୍ବାନରେ ଛଅରୁ ଅଧିକ ସଂଗଠନର କର୍ମକର୍ତ୍ତାମାନେ ଗତ ୧୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେଇଥିଲେ ! କିନ୍ତୁ ଗଣଧାରଣା ପାଇଁ ପ୍ରଶାସନର ଅନୁମତି ଥିଲେ ହେଁ ସେମାନଙ୍କୁ ଧାରଣାସ୍ଥଳରେ ଟେଣ୍ଟ ଲଗାଇବାକୁ ଦିଆଗଲା ନାହିଁ ! ଫଳରେ ଧାରଣା ପ୍ରଦର୍ଶନକାରୀମାନେ ଡହଡହ ଖରାରେ ବସି ପ୍ରତିବାଦ କରିଥିଲେ ! ଏହାକୁ ନେଇ କଳାହାଣ୍ଡି ସଚେତନ ନାଗରିକ ମଞ୍ଚର ଆବାହକ ସତ୍ୟ ମାହାର ବିଷୋଦଗାର କରିବା ସହିତ କଂପାନୀ ଇଶାରାରେ ପ୍ରଶାସନ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ ! ଏଇ ପରିପ୍ରେକ୍ଷୀରେ ସିଜିମାଳି ଖଣିଖନନ ସଂପର୍କିତ ଜନଶୁଣାଣିକୁ ଏକପାଖିଆ କଂପାନୀ ସପକ୍ଷରେ କରାଯିବାକୁ ଜୋରଦାର ଉଦ୍ୟମ ହେଉଥିବା ଅଭିଯୋଗ ମଧ୍ୟ ଏବେ ସାମ୍ନାକୁ ଆସିଛି ! ଏଣୁ ଉଭୟ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଜନଶୁଣାଣି ଉପରେ ଗୁରୁତ୍ବ ଦେବାକୁ ସାଧାରଣରେ ଦାବି ହେଉଛି ! ଅପରପକ୍ଷରେ ଜନଶୁଣାଣିର ଫଳାଫଳ ଉପରେ ସିଜିମାଳି ଖଣି ଖନନ ଓ କଂପାନୀର ଭବିଷ୍ୟତ ନିର୍ଭର କରୁଥିବାରୁ କଂପାନୀ କର୍ତ୍ତୃପକ୍ଷଙ୍କ ଆଖିରୁ ରାତିର ନିଦ ହଜିଯାଇଛି !