ସମଲିଙ୍ଗୀ ବିବାହ ଉପରେ ଆଇନ ହୋଇ ପାରିବ ନାହିଁ, କେବଳ ସମ୍ବିଧାନ ଆଧାରରେ ସୁରକ୍ଷାର ଅଧିକାର ରହିଛି: ସିଜେଆଇ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଅାଇନଗତ ସ୍ଵୀକୃତି ଦେବାକୁ ମନେ କଲେ ସୁପ୍ରିମକୋର୍ଟ। ସେମ ସେକ୍ସ ମ୍ୟାରେଜ ଅର୍ଥାତ ସମଲିଙ୍ଗୀ ବିବାହକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ପାଞ୍ଚ ଜଣିଆ ପୀଠ ରାୟ ଶୁଣାଇଛନ୍ତି। ରାୟ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସୁପ୍ରିମକୋର୍ଟ ବିଶେଷ ବିବାହ ଅଧିନିୟମର ପ୍ରାବଧାନକୁ ରଦ୍ଦ କରି ପାରିବେ ନାହିଁ। ଏଥିସହିତ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସେ ମନା କରି ଦେଇଛନ୍ତି। ତାଙ୍କ ମତରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିବ କି ନ ମିଳିବାର ନିଷ୍ପତ୍ତି ସଂସଦକୁ କରିବା ଉଚିତ୍।
ସିଜେଆଇ କହିଛନ୍ତି ସମଲିଙ୍ଗୀ ସମୁଦାୟ ବିରୋଧରେ ଭେଦଭାବ ରୋକିବା ପାଇଁ କେନ୍ଦ୍ର ଓ ପୋଲିସ ବଳକୁ ଅନେକ ଦିଗକୁ ଦୃଷ୍ଟିରେ ରଖି ଗାଇଡ୍ ଲାଇନ୍ ଜାରି କରିବା ଉଚିତ୍। ଚନ୍ଦ୍ରଚୂଡ଼ଙ୍କ ନିଷ୍ପତ୍ତି ପରେ ଜଷ୍ଟିସ ସଞ୍ଜୟ କିଶନ କୌଲ ମଧ୍ୟ ସମଲିଙ୍ଗୀ ବିବାହକୁ ନେଇ ନିଜର ତର୍କ ରଖିଛନ୍ତି। ସମଲିଙ୍ଗୀ ବିବାହ ଉପରେ ଚାରି ଜଜ ସିଜେଆଇ, ଜଷ୍ଟିସ କୌଲ, ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ ପିଏସ ନରସିମାହଙ୍କ ରାୟ ମଧ୍ୟରେ ଭିନ୍ନତା ଦେଖିବାକୁ ମିଳିଛି। ଜଷ୍ଟିସ ହିମା କୋହଲି ମଧ୍ୟ ଏହି ଖଣ୍ଡପୀଠର ଅଂଶ ଅଛନ୍ତି।
ତେବେ ସିଜେଆଇ ସମଲିଙ୍ଗୀ ଦମ୍ପତ୍ତିକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ଦେଇଛନ୍ତି। ସିଜେଆଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମଲିଙ୍ଗୀଙ୍କ ପାଇଁ ଉଚିତ୍ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି। ତେବେ ଜଷ୍ଟିସ ଭଟ୍ଟ କହିଛନ୍ତି, ସମଲିଙ୍ଗୀ ଦମ୍ପତ୍ତିକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅନୁମତି ଦେଇଥିବା ସିଜେଆଇଙ୍କ ରାୟରେ ସେ ଅସହମତ।
ସିଜେଆଇ କହିଛନ୍ତି, ଆମେ ସମଲିଙ୍ଗୀ ବ୍ୟକ୍ତିଙ୍କ ଅଧିକାର ଉପରେ ବିଚାର କରିବା ପାଇଁ ମୁଖ୍ୟ ସଚିବ ଓ ଅନ୍ୟ ପଦାଧିକାରୀଙ୍କ ସମେତ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସ୍ଵୀକାର କରୁଛୁ। କମିଟି ଏହାର ବିଚାର କରିବେ ଯେ, କଣ ସମଲିଙ୍ଗୀ ଦମ୍ପତ୍ତିଙ୍କୁ ରାସନ କାର୍ଡ, ଚିକିତ୍ସା ନିର୍ଣ୍ଣୟ, ଜେଲ୍ ଯାତ୍ରା, ଶବ ପ୍ରାପ୍ତ କରିବାର ଅଧିକାର ଆଧାରରେ ପରିବାର ଭାବେ ବିବେଚନା କରାଯିବ। ଆଇଟି ଅଧିନିୟମ ଆଧାରରେ ବିତ୍ତୀୟ ଲାଭ, ଗ୍ରାଚ୍ୟୁଟି, ପେନସନ ଆଦି ଉପରେ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଦେବେ।