କଳାହାଣ୍ଡି,୨୦/୧୦-ରାୟଗଡ଼ା ଜିଲ୍ଲା ସୀମାନ୍ତ କାଶୀପୁର ବ୍ଲକ ଶୁଙ୍ଗେର ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କେରପାଇଠାରେ ସିଜିମାଳି ଖଣିଖନନକୁ ନେଇ ପ୍ରଶାସନ ଦ୍ବାରା ଆୟୋଜିତ ଜନଶୁଣାଣି ଶେଷ ହୋଇଛି ! ତେବେ ଉଭୟ ଜନଶୁଣାଣିରେ ସିଜିମାଳି ଖଣି ଖନନକୁ ସଂଖ୍ୟାଧିକ ସ୍ଥାନୀୟ ଲୋକେ ବିରୋଧ କରି ବକ୍ତବ୍ୟ ରଖିବା, ନାରାବାଜି କରିବା ସତ୍ତ୍ବେ କିଛି ଗଣମାଧ୍ୟମରେ ଜନଶୁଣାଣି କଂପାନୀ ଓ ଖଣିଖନନ ସପକ୍ଷରେ ଯାଇଥିବା ପ୍ରଚାର ଚାଲିଛି ! ପୂର୍ବରୁ ଜଳ, ଜମି, ଜଙ୍ଗଲର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା, ସ୍ବର ଉତ୍ତୋଳନ କରୁଥିବା ବ୍ୟକ୍ତିବିଶେଷଙ୍କୁ ବଳପୂର୍ବକ ଅପହରଣ ଓ ପୁଲିସ ଦ୍ବାରା ମିଥ୍ୟା ମକଦ୍ଦମା ଲଗାଇ ଗିରଫ କରାଯିବା ନେଇ ବିଭିନ୍ନ ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଅଭିଯୋଗ କରାଯାଉଛି ! ସେହିପରି ଜନଶୁଣାଣିକୁ ପ୍ରଭାବିତ କରିବାକୁ କଂପାନୀର ପ୍ରରୋଚନାରେ କାଶୀପୁର ଓ ଥୁଆମୂଳ ରାମପୁର ଅଞ୍ଚଳ ପୁଲିସ ଛାଉଣୀରେ ପରିଣତ ହୋଇଥିଲା ! ଏହାସତ୍ତ୍ବେ ବି ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ଖଣିଖନନ ବିରୋଧରେ ମତ ଦେବା କଂପାନୀ କର୍ତ୍ତ୍ରୁପକ୍ଷଙ୍କ ଚିନ୍ତା ବଢ଼ାଇଦେଇଛି ! ଏପରିକି ବିନା ପଲ୍ଲୀସଭାରେ ଜନଶୁଣାଣି କରିବାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇବା ଦେଖିବାକୁ ମିଳିଥିଲା ! ଖଣିଖନନ ହେଲେ ଯଦି ଉନ୍ନତି ହେବ ବୋଲି କୁହାଯାଉଛି, ତେବେ ରାୟଗଡ଼ାର, କଳାହାଣ୍ଡିର କେତେ ଉନ୍ନତି ହୋଇଛି ବୋଲି ଲୋକେ ପ୍ରଶ୍ନ କରିବା ମଧ୍ୟ ଚର୍ଚ୍ଚାର ବିଷୟ ସାଜିଥିଲା ! ସିଜିମାଳି ଖଣି ଖନନକୁ ବହୁସଂଖ୍ୟାରେ ଲୋକେ ନାସ୍ତିବାଣୀ ଶୁଣାଇଥିବାବେଳେ କଂପାନୀ ସପକ୍ଷରେ ମଧ୍ୟ ଲୋକେ ମତ ପ୍ରକାଶ କରିଥିଲେ ! ତେବେ ପୁଲିସ, ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କ ଉପସ୍ଥିତିରେ ଲୋକେ ନିଜ ନିଜର ମତ ରଖିଥିବାବେଳେ ଖଣିଖନନ ବିପକ୍ଷରେ ଦିଆଯାଇଥିବା ମତ ଓ ମନ୍ତବ୍ୟଗୁଡ଼ିକର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ! ହୁଏତ ଜନଶୁଣାଣି ଖଣିଖନନ ସପକ୍ଷରେ ଗଲା ବୋଲି କୁହାଯାଇପାରେ, ଏନେଇ କିଛି ଗଣମାଧ୍ୟମ ମଧ୍ୟ ଏକପାଖିଆ କଂପାନୀ ସପକ୍ଷରେ ଖବର ପ୍ରସାରଣ କରିଛନ୍ତି ! ଏହାସତ୍ତ୍ବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଅନେକ ଭିଡିଓ ଯାହା ଦେଖିଲେ ଲାଗୁଛି ସିଜିମାଳିରେ ଖଣିଖନନ ମୈତ୍ରୀ କଂପାନୀ ପାଇଁ ସହଜ ରାସ୍ତା ନୁହେଁ ! କଂପାନୀ ପୁଲିସ, ପ୍ରଶାସନ ଓ କିଛି ଗଣମାଧ୍ୟମକୁ ନିଜ ସପକ୍ଷରେ ନେବାରେ ସଫଳ ହୋଇଥିବାବେଳେ ବିରୋଧର ଅଗ୍ନିସ୍ଫୁଲିଙ୍ଗ ଏବେ ବି କେଉଁଠି ନା କେଉଁଠି ପାଉଁଶ ତଳର ନିଆଁ ହୋଇ ରହିଛି ! ଯାହା ଯେ କୌଣସି ପରିସ୍ଥିତିରେ ବିପର୍ଯ୍ୟୟ ପରିସ୍ଥିତି ସ୍ରୁଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ! ଏଇ ପରିପ୍ରେକ୍ଷୀରେ ଗ୍ରୀନ୍ କଳାହାଣ୍ଡିର ପ୍ରତିଷ୍ଠାତା ତଥା କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ମନ୍ତବ୍ୟ, ଲୋକେ ଡାକିଲେ କଂପାନୀ ବିପକ୍ଷବାଦୀଙ୍କୁ ସମର୍ଥନ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ! ସେହିପରି ଏଇ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ବଳପୂର୍ବକ ଅପହରଣ ଘଟଣାକୁ ନେଇ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ ହାଇକୋର୍ଟରେ ମାମଲା ରୁଜୁ କରିବା ! ଏସବୁକୁ ଲକ୍ଷ୍ୟ କରାଗଲେ ସିଜିମାଳିରେ ଖଣିଖନନ ସପକ୍ଷବାଦୀଙ୍କ ଉପରେ ବିପକ୍ଷବାଦୀ ଭାରି ପଡ଼ୁଛନ୍ତି ! ଏପରିକି ବିଭିନ୍ନ ଚାପ ଯୋଗୁଁ ଖଣିଖନନକୁ ବିରୋଧ କରୁଥିବା ଲୋକଙ୍କ ସ୍ବର ସାମାନ୍ୟ ଧିମେଇଯାଇଛି ସତ କିନ୍ତୁ ସ୍ଥାନୀୟ ଲୋକେ ଜୀବନ ଜୀବିକା ଓ ମାଆମାଟିର ସୁରକ୍ଷା ପାଇଁ ଯେଭଳି ସାହସର ସହିତ ଆଗକୁ ବଢ଼ୁଛନ୍ତି, ଏହା ସିଜିମାଳି ଖଣିଖନନ ପ୍ରକ୍ରିୟାକୁ ଗଭୀର ଭାବେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ! ଏସବୁକୁ ପର୍ଯ୍ୟାଲୋଚନା କଲେ ସିଜିମାଳିରେ ଖଣିଖନନ ମୈତ୍ରୀ କଂପାନୀ ପାଇଁ ଦୁର୍ବାର ସ୍ବପ୍ନ ହୋଇ ଉଭା ହେବନି ତ ବୋଲି ଆଶଙ୍କା କରାଯାଉଛି ! ଅପରପକ୍ଷରେ ଖଣି ଖନନ ହେଲେ, ଶିଳ୍ପ ସ୍ଥାପନ ହେଲେ ଅଞ୍ଚଳରେ ବିକାଶ ଆସିବ ବୋଲି କହୁଥିବା ଲୋକେ ଏକପ୍ରକାର ସନ୍ଦିହାନ ହୋଇପଡ଼ିଛନ୍ତି !