ରେତ୍ ଓ ସାନ୍ଦୁଲରୁ ସ୍ଥାୟୀ ଜଳସେଚନର ବ୍ୟବସ୍ଥା ଦାବି : ନଚେତ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ, ଆଗକୁ ଭୋଟବର୍ଜନ ଚେତାବନୀ


କଳାହାଣ୍ଡି,୨୦/୧୦-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଂଚାୟତ ଅନ୍ତର୍ଗତ ଗୋପାଳପୁର, ଭାଲୁଚଂଚରା ଓ ପାଟଭାଲେର ଗାଁ ! ତିନିଗୋଟି ଗାଁରେ ତିନିଶହରୁ ଉର୍ଦ୍ଧ୍ୱ ଚାଷୀ ପରିବାର ବସବାସ କରୁଥିବାବେଳେ ଇନ୍ଦ୍ରଭରସାରେ ଚାଷକାର୍ଯ୍ୟ କରନ୍ତି । ଗୋଟିଏ ମାତ୍ର ଖରିଫ ଚାଷ କରିବା ସମୟରେ ବର୍ଷାଭାବ, ମରୁଡି ପରିସ୍ଥିତି ଯୋଗୁଁ ଚାଷୀକୂଳ ହନ୍ତସନ୍ତ ହେଉଥିବାବେଳେ ଜଳସେଚନର କୌଣସି ସୁବିଧା ନଥିବାରୁ ନାନାଦି ଦହଗଞ୍ଜର ଶିକାର ହୁଅନ୍ତି । ଏପରିକି ଗତ ପାଂଚବର୍ଷରୁ ଅଧିକ ସମୟ ହେଲା ତିନିଗୋଟି ଗାଁକୁ ସାନ୍ଦୁଲ ନଦୀର ଲୁହରାଘାନିଠାରେ ଆନିକଟ ଜରିଆରେ ଜଳସେଚନ ପ୍ରସ୍ତାବ ରହିଥିବାବେଳେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ସେହିପରି ତିନିଗୋଟି ଗାଁର ଅତି ନିକଟରେ ରେତ୍ ଜଳସେଚନ ପ୍ରକଳ୍ପ ରହିଥିବାବେଳେ ଏଥିରୁ ଜଳସେଚନରୁ ମଧ୍ୟ ଏଇ ତିନୋଟି ଗାଁର ଚାଷୀମାନେ ବଂଚିତ ହୋଇରହିଛନ୍ତି । ଏହାକୁ ନେଇ ଚାଷୀମାନେ ବାରମ୍ବାର ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦ୍ୱାରସ୍ତ ହୋଇ ନିରାଶ ହୋଇପଡିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଜଳସେଚନର କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଅଂଚଳର ଶହଶହ ଏକର ଜମିରେ ଚାଷକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରିନାହିଁ । ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଲିଖିତ ଭାବେ ଦାବି କରିଛନ୍ତି ! ଏହାସହିତ ଆସନ୍ତା ସପ୍ତାହକ ମଧ୍ୟରେ ଦାବିବପୂରଣ ପାଇଁ ପ୍ରଶାସନ ଓ ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ନମିଳିଲେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବା ସହିତ ଭବାନୀପାଟଣା-ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ କଦଳୀଘାଟି ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ! ଏହାସହିତ ଦାବି ପୂରଣ ନହେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ସେମାନେ ନିଷ୍ପତ୍ତି ନେଇଥିବା ପ୍ରଶାସନକୁ ରୋକଠୋକ ଭାବେ ଜଣାଇଛନ୍ତି ! ରେତ୍ ଜଳସେଚନ ପ୍ରକଳ୍ପରୁ କେନାଲ ସଂଯୋଗ କରି ଗୋପାଳପୁର, ଭାଲୁଚଂଚରା ଓ ପାଟଭାଲେର ଗ୍ରାମର ଚାଷଜମିକୁ ଜଳସେଚନର ବ୍ୟବସ୍ଥା ପାଇଁ ପଦକ୍ଷେପ ନେବା ଓ ସାନ୍ଦୁଲ ନଦୀ ଲୁହରାଘାନିରେ ପ୍ରସ୍ତାବିତ ଆନିକଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ଭଳି ଦୁଇଦଫା ଦାବି ନେଇ ଅଞ୍ଚଳର ଚାଷୀମାନେ ଆଜି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ୍-ଟି ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ସେହିପରି ବାରମ୍ବାର ମରୁଡି ଜନିତ ଫସଲହାନୀର ଶିକାର ହେଉଥିବା ଓ ଜଳସେଚନର ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ ରହିଥିବା ଅଞ୍ଚଳର ଚାଷୀ ସମୂହ ଅତିମାତ୍ରାରେ ଅତିଷ୍ଠ ହୋଇପଡ଼ିବା ସହିତ ଆସନ୍ତା ସାତଦିନ ମଧ୍ୟରେ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କୌଣସି ନିର୍ଭର ପ୍ରତିଶ୍ରୁତି ନପାଇଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ୬ ନମ୍ବର ରାଜ୍ୟ ରାଜପଥ କଦଳୀଘାଟି ଛକରେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ! ଏଇମର୍ମରେ ଚାଷୀମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ! ଏପରିକି ନିରାଶ ଚାଷୀ ଓ ଅଞ୍ଚଳବାସୀ ଆଗାମୀ ଦିନରେ ଭୋଟବର୍ଜନ କରିବା ଭଳି ଚରମ ନିଷ୍ପତ୍ତି ନେବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଅଞ୍ଚଳର ଚାଷୀମାନଙ୍କ ମଧ୍ୟରୁ ପୁରୁଷୋତ୍ତମ ପୁଟେଲ, ସୁରେନ୍ଦ୍ର ମାଝୀ, ବୈବ ପୁଟେଲ, ଦୁର୍ଯ୍ୟୋଧନ ମାଝୀ, ସଞ୍ଜୟ ପାଢ଼ୀ, ଦୟାସାଗର ପଧାନ, ବାଟି ମାଝୀ, ତପିନ୍ଦ୍ର ପଧାନ, ଲକ୍ଷ୍ମଣ ବାଗ, ଗୋପାଳ କରୁଆଁ, କହ୍ନେଇ ପଧାନ, ଯୁଧିଷ୍ଟିର କରୁଆଁ, ନୀଲେଶ ପାଢ଼ୀ, ମଣିରାମ ସେନାପତି, ଧନେଶ୍ବର ଗଉଡ଼, ଲଛ ଗଉଡ଼, ଚୈତନ୍ୟ ମାଝୀ, ବାବାଜୀ ଗଉଡ଼, ସହଦେବ କରୁଆଁ, ବୀରେନ୍ କୁମାର ପାଢୀ, ସୁଶୀଲ କୁମାର ବାଗ, ସୁଶାନ୍ତ ଗଉଡ଼ଙ୍କ ନେତ୍ରୁତ୍ବରେ ଚାଷୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ !