Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମିତି ହେଲେ ଯୁଦ୍ଧକୁ ଆମେ ଡେଇଁବୁ; ଇସ୍ରାଏଲ ଓ ହମାସ ଲଢେଇକୁ ନେଇ ଇରାନକୁ ଆମେରିକାର ଚେତାବନୀ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଲଢେଇକୁ ନେଇ ଇରାନ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ଅନେକ ଥର ଧମକ ଦେଇ ସାରିଛି। ଇରାନର କହିବା କଥା ଯଦି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ ନ କରେ ତେବେ ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ। ଏମିତି ହେଲେ ଯୁଦ୍ଧର ଭୟାବହ ଆହୁରି ବଢିପାରେ। ଏବେ ଆମେରିକା ମଧ୍ୟ ଚେତାବନୀ ଦେଇ କହିଛି ଯେ, ଯଦି ଇରାନ କିମ୍ବା ତାର ସମର୍ଥିତ ଉଗ୍ରବାଦୀ ସଂଗଠନ ଯଦି କେଉଁଠି ବି ଆମେରିକା ନାଗରିକଙ୍କୁ ଟାର୍ଗେଟ୍ କରନ୍ତି ତେବେ ଆମେରିକା ପଛକୁ ହଟିବ ନାହିଁ। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟନି ବ୍ଲିଙ୍କନ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ କହିଛନ୍ତି ଯେ, ଆମେରିକୀୟଙ୍କ ଉପରେ କେଉଁଠି ବି ଇରାନ ପକ୍ଷରୁ ହମଲା ହେଲେ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବୁ।

ହମାସ ଓ ଇସ୍ରାଏଲ ଲଢେଇରେ ପୂରା ମଧ୍ୟପ୍ରାଚ୍ୟର ଅବସ୍ଥା ବିଗିଡ଼ିବାରେ ଲାଗିଛି। ହମାସ ଓ ହିଜବୁଲ୍ଲାକୁ ଇରାନର ସମର୍ଥିତ ଉଗ୍ରବାଦୀ ସଂଗଠନ କୁହାଯାଏ, ଯେଉଁମାନେ ବର୍ତ୍ତମାନ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଅନ୍ୟପଟେ ପାଲଟା ଜବାବ ଦେଇ ଇସ୍ରାଏଲ ପକ୍ଷରୁ ମଧ୍ୟ ଆକ୍ରମଣ ଜାରି ରହିଛି। ସୋମବାର ରାତିରେ ଇସ୍ରାଏଲର ଗାଜା ପଟ୍ଟି ଉପରେ ହୋଇଥିବା ଆକ୍ରମଣରେ ୭୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦରେ ବ୍ଲିଙ୍କନ କହିଛନ୍ତି, ଆମେରିକା ଇରାନ ସହିତ କୌଣସି ପ୍ରକାରର ବିବାଦ ଚାହୁଁନାହିଁ। ଆମେ ଚାହୁଁନୁ ଯେ, ଏହି ଲଢେଇ ଆହୁରି ବଢୁ। ମାତ୍ର ଇରାନ ଓ ତାର ସମର୍ଥିତ ସଂଗଠନ ଯଦି କେଉଁଠି ବି ଆମେରିକା ନାଗରିକଙ୍କ ଉପରେ ହମଲା କରନ୍ତି ତେବେ ଆମେ ପଛକୁ ହଟିବୁ ନାହିଁ। ନିଜ ଲୋକଙ୍କ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଉଠାଇବୁ।

ଏହା ମଧ୍ୟରେ ଆମେରିକା ମଧ୍ୟପ୍ରାଚ୍ୟରେ ସ୍ଥିତ ନିଜର ସୈନିକଙ୍କ ରକ୍ଷା ପାଇଁ ଯୁଦ୍ଧ ଜାହାଜ ପଠାଇଛି। ଏହା ବ୍ୟତୀତ ଲଢୁଆ ବିମାନ ମଧ୍ୟ ପଠାଇଛି। ଏବେ ଆମେରିକା ବୈଦେଶିକ ମନ୍ତ୍ରୀ ଇରାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ଯେ, ସେ ଇସ୍ରାଏଲ ଓ ହମାସ ଲଢେଇରେ ଆଉ ଏକ ମୋର୍ଚ୍ଚା ନ ଖୋଲୁ। ସମସ୍ତ ସଦସ୍ୟଙ୍କୁ ମୋର ଅପିଲ୍ ଯେ, ଇସ୍ରାଏଲ ଓ ହମାସ ଯୁଦ୍ଧରେ ଆଉ ନୂତନ ମୋର୍ଚ୍ଚା ଖୋଲା ନ ଯାଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ