Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ପଶ୍ଚିମବଙ୍ଗର ମନ୍ତ୍ରୀଙ୍କୁ ଗିରଫ କଲା ଇଡି

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାସନ ବିତରଣରେ ଦୁର୍ନୀତିର ଏକ ମାମଲାରେ ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ତଥା ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କୁ ୨୦ ଘଣ୍ଟାର ପଚରା ଉଚୁରା ପରେ ଗିରଫ କରିଛି। ତାଙ୍କୁ ଶୁକ୍ରବାର ଭୋର ୩ଟା ୨୩ରେ ଇଡି ଗିରଫ କରିଥିବା ଜଣା ପଡ଼ିଛି। ଗିରଫଦାରୀ ପୂର୍ବରୁ ମଲିକ କହିଥିଲେ ଯେ, ସେ ଗମ୍ଭୀର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି।

ଏହା ପୂର୍ବରୁ ଇଡି କୋଟି କୋଟି ଟଙ୍କାର ରାସନ ବିତରଣ ଦୁର୍ନୀତି ମାମଲାରେ ଗୁରୁବାର ସକାଳେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ କୋଲକାତାର ସଲ୍ଟ ଲେକ ଅଞ୍ଚଳ ସ୍ଥିତ ବାସଭବନ ଉପରେ ଚଢାଉ କରିଥିଲା। ଟିଏମସି ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି।
ଇଡିର ଜନୈକ ଅଧିକାରୀଙ୍କ ଅନୁଯାୟୀ, ମଲିକଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ କୋଠା ସହିତ ଅନ୍ୟ ବାସଭବନ ଉପରେ ମଧ୍ୟ ଚଢାଉ ଜାରି ରହିଛି। ମଲିକଙ୍କ ବାସଭବନ ଉପରେ ୮ ଅଧିକାରୀ ଚଡାଉ କରିଛନ୍ତି। ମାମଲାରେ ଜଣଙ୍କୁ ଗିରଫ କରାଯାଇଛି, ଯାହାଙ୍କ ଟିଏମସି ସହିତ ସଂପର୍କ ରହିଛି। ଏହା ସହିତ ମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯାଉଥିବା ଅଧିକାରୀ କହିଛନ୍ତି।

ଟିଏମସି ନେତା ତଥା ରାଜ୍ୟର ମନ୍ତ୍ରୀ ଶଶି ପାଞ୍ଜା କହିଛନ୍ତି, ବିଜୟା ଦଶମୀ ଅବସରରେ ମନ୍ତ୍ରୀଙ୍କ ବାସଭବନ ଉପରେ ଚଢାଉ ପଶ୍ଚିମବଙ୍ଗର ସଂସ୍କୃତି ଉପରେ ହମଲା। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟତୀତ ଆଉ କିଛି ନୁହେଁ। ଦୁର୍ଗା ପୂଜା ପୂର୍ବରୁ ମଧ୍ୟ ଆମ ଦଳର ନେତାମାନଙ୍କ ବାସଭବନ ଉପରେ ମଧ୍ୟ ଚଢାଉ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ