Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିଚୟ କିମ୍ବା ପୁରୁଣା ବିବାହ ଲୁଚାଇ ସଂପର୍କ ରଖିଲେ ମିଳିବ ୧୦ ବର୍ଷ ଦଣ୍ଡ, ଆସୁଛି ନୂଆ ଆଇନ

ନୂଆଦିଲ୍ଲୀ: ବିବାହିତ ହୋଇ ନିଜର କିମ୍ବା ପ୍ରକୃତ ପରିଚୟ ଲୁଚାଇ ଅନ୍ୟ କୌଣସି ମହିଳାଙ୍କୁ ବିବାହ କରିବା କିମ୍ବା ଶାରୀରିକ ସଂପର୍କ ରଖିଲେ ଭାରତୀୟ ଆଇନ ଅନୁସାରେ ଏହାକୁ ଅପରାଧ କୁହାଯିବ। ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୬୯ ଅନୁଯାୟୀ ଏମିତି କଲେ ଏହାକୁ ଛଳ କପଟ ବୋଲି କୁହାଯିବ। ଏମିତି ମାମଲାରେ ଦୋଷୀଙ୍କୁ ୧୦ ବର୍ଷର କାରା ଦଣ୍ଡାଦେଶ ମିଳିପାରେ। ଆଇନ ବିଭାଗର ସଂସଦୀୟ କମିଟି ଏହି ସମ୍ଵନ୍ଧରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ଏକ ବିଧେୟକ ଆସିପାରେ। ଏହା ଅନୁଯାୟୀ, କୌଣସି ବ୍ୟକ୍ତି ଯଦି ବିବାହ ପାଇଁ ନିଜର ପ୍ରକୃତ ପରିଚୟ ଲୁଚାନ୍ତି କିମ୍ବା ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଏମିତି କରନ୍ତି ତେବେ ଏହାକୁ ବଳାତ୍କାର ରୂପେ ବିବେଚନା କରାଯିବ ନାହିଁ, କିନ୍ତୁ ଏହାକୁ ଛଳ କପଟ କୁହାଯିବ।

ଏମିତି ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡର ନିୟମ ତିଆରି କରିବା ପାଇଁ ପ୍ରସ୍ତୁତି କରାଯାଉଛି। ଏହି ସେକ୍ସନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ପ୍ରକୃତ ପରିଚୟ ଲୁଚାଇ ରୋଜଗାର ଦେବା, ପଦୋନ୍ନତି କିମ୍ବା ବିବାହର ପ୍ରତିଶ୍ରୁତି ଦେବା ଆଦିକୁ ଛଳ ବୋଲି ବିବେଚନା କରାଯିବ। ଭାରତୀୟ ନ୍ୟାୟ ସଂହିତା ବିଧେୟକ ଉପରେ ଷ୍ଟାଣ୍ଡିଂ କମିଟିର ଡ୍ରାଫ୍ଟ ରିପୋର୍ଟ ଶୁକ୍ରବାର ଉପସ୍ଥାପନ କରାଯିବ। ଗତ କିଛି ବର୍ଷରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠି ବିବାହିତ ଲୋକେ ସତ ଲୁଚାଇ ମହିଳାଙ୍କୁ ବିବାହ କରିଛନ୍ତି।

ଏହା ବ୍ୟତୀତ ଧର୍ମ ଲୁଚାଇ ବିବାହ କରିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏମିତି ପ୍ରଥମ ଥର ହେବ ଯେଉଁଠି ପରିଚୟ ଲୁଚାଇ ବିବାହ କରିବାକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବ ଏବଂ ମୋକଦ୍ଦମା ଚଳାଯିବ। ଏମିତି ମାମଲାକୁ କେମିତି ପରିଚାଳନା କରିବ ଏହାକୁ ନେଇ ପୋଲିସ ମଧ୍ୟ ଦ୍ଵନ୍ଦ୍ଵରେ ରହିଥାଏ। ଏହା ଉପରେ ଆଇନ ହେବା ପରେ ସ୍ପଷ୍ଟ ହୋଇଯିବ ଯେ, ଏମିତି ମାମଲାରେ କେଉଁଭଳି କାର‌୍ୟ୍ୟାନୁଷ୍ଠାନ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ