Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଜରିଓ୍ଵାଲଙ୍କୁ ସମନ ପରେ ଏବେ ପଞ୍ଜାବ ପର୍ଯ୍ୟନ୍ତ ପହଞ୍ଚିଲା ଇଡି, ଆପ୍ ବିଧାୟକଙ୍କ ଉପରେ ଚାଲିଛି ଚଢାଉ

ମୋହାଲି: ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତିର ଯାଞ୍ଚର ପରିଧି ଏବେ ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ସମନ ପରେ ଆଜି ପଞ୍ଜାବର ମୋହାଲିରେ ଆମ୍ ଆଦମୀ ପାର୍ଟିର ବିଧାୟକ କୁଲଓ୍ଵନ୍ତ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଛି। କୁଲଓ୍ଵନ୍ତଙ୍କ ଦପ୍ତରରେ ବି ଇଡି ଦଳ ତଲାସି ନେଇଛି। ବର୍ତ୍ତମାନ ମଧ୍ୟ ଇଡିର ଟିମ୍ ତାଙ୍କ ବାସଭବନ ଓ ଦପ୍ତରରେ ତଦନ୍ତ ଚଳାଇଛି। ଏହା ବ୍ୟତୀତ ଇଡି ବର୍ତ୍ତମାନ ଅମୃତସର, ଲୁଧିଆନା ଓ ମୋହାଲିରେ ମଦ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତରେ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛି।

ତେବେ ଇଡି ପକ୍ଷରୁ ଏ ଯାଏ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ଯେ, କୁଲଓ୍ଵନ୍ତ ସିଂଙ୍କ ଘରେ ରେଡ୍ କେଉଁ ମାମଲାରେ ହୋଇଛି। କିନ୍ତୁ ସୂତ୍ର ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଅବକାରୀ ଦୁର୍ନୀତିକୁ ନେଇ ହୋଇଛି। ନିକଟରେ ପରିବେଶ ମଞ୍ଜୁରୀ ସଂପର୍କିତ ମାମଲାରେ ମଧ୍ୟ କୁଲଓ୍ଵନ୍ତ ସିଂଙ୍କ ଉପରେ ଅଭିଯୋଗ ଲାଗିଥିଲା। ଏହାକୁ ନେଇ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କୁ ଚିଠି ଲେଖିଥିଲେ। ରାଜ୍ୟପାଳ କହିଥିଲେ ଯେ, ଆପଣଙ୍କ ବିଧାୟକ ଏଠାରେ ରିୟଲ ଏଷ୍ଟେଟ କାରବାର କରୁଛନ୍ତି। ଏହାରି ଆଳରେ ନିୟମର ଉଲ୍ଲଂଘନ ମଧ୍ୟ ହେଉଛି, ଯାହା ଉପରେ ଲଗାମ ଲାଗିବା ଜରୁରୀ।

ସୂଚନାଯାଗ୍ୟ, ସୋମବାର ଅବକାରୀ ଦୁର୍ନୀତି ମାମଲାରେ ଆପର ସବୁଠୁ ବଡ଼ ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଇଡି ସମନ ଜାରି କରିଛି। ଆପର ରାଷ୍ଟ୍ରୀୟ ସଂଯୋଜକଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କହିଛି ଇଡି। ଏହି ମାମଲାରେ ସିବିଆଇ ଅରବିନ୍ଦ କେଜରିଓ୍ଵାଲଙ୍କୁ ପଚରା ଉଚୁରା କରି ସାରିଛି, ମାତ୍ର ଇଡି କେଜରିଓ୍ଵାଲଙ୍କୁ ପ୍ରଥମ ଥର ପଚରାଉଚୁରା କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ