Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ : ଅଡିଟ୍ ରିପୋର୍ଟରେ ସାମ୍ନାକୁ ଆସିଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଘଟଣା : ଅଭିଯୁକ୍ତ ପୂର୍ବତନ ଅଧ୍ୟକ୍ଷଙ୍କୁ ଗିରଫ ଦାବିରେ ସାମ୍ୱାଦିକ ସମ୍ମିଳନୀ କଲା ମାଁ ହୀରାନୀଳା ସଂଗ୍ରାମ ସମିତି

କଳାହାଣ୍ଡି,୨୦/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁରଠାରେ ଥିବା ଏକ ମାତ୍ର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଅଡୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି। କଲେଜରେ ଗରିବ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ଓ ଫର୍ମ ପୂରଣ, ରି-ଆଡ଼ମିଶନ ବାବଦକୁ ଆସିଥିବା କୋଟିକୋଟି ଟଙ୍କା ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିବାବେଳେ କଲେଜରେ ଚାକିରୀ କରାଇଦେବା ନାଁରେ ଟଙ୍କା ଠକେଇ, ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ସେ ଦୁଇ ଦୁଇଥର ଜେଲ୍ ଯାଇଥିଲେ। ସେହିପରି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ କଲେଜର ଅର୍ଥ ହେରଫେର ସମ୍ପର୍କରେ ସ୍ଵତନ୍ତ୍ର ଅଡିଟ୍ କରାଯାଇଥିଲା। ଏଥିରେ ୧ କୋଟି ୨୩ ଲକ୍ଷ ୯୮ ହଜାର ଟଙ୍କା ହେରଫେର ହୋଇଥିବା ସାମ୍ନାକୁ ଆସିଥିଲା। ଏହି କ୍ରମରେ ଅନ୍ୟ ଅଭିଯୋଗରେ ଶ୍ରୀ ସାହୁ ଦୁଇଥର ଜେଲ୍ ଯାଇଥିବାବେଳେ ଆର୍ଥିକ ହେରଫେର ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅପର ପକ୍ଷରେ ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ କଲେଜର ଜଣେ ମହିଳା କର୍ମଚାରୀଙ୍କ ମାଧ୍ୟମରେ ସ୍ଥାନୀୟ ଜନ ସାଧାରଣଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ସାହୁ ବିଶ୍ଵନାଥପୁର ବସ୍ତିରେ ବମ୍ ପକାଇ ଉଡାଇଦେବାକୁ ଧମକ ଦେଇଥିଲେ ।ଶ୍ରୀ ସାହୁଙ୍କ ନାଁରେ ଗଦାଗଦା ଅଭିଯୋଗ ଥିବାବେଳେ ତାଙ୍କ ବିରୋଧରେ ପ୍ରଶାସନ ଓ ଉଚ୍ଚଶିକ୍ଷା ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାବେଳେ ତାଙ୍କର ଦୌରାତ୍ମ୍ୟ ବଢ଼ିଚାଲିଛି। ଏହାକୁ ନେଇ ମହାବିଦ୍ୟାଳୟରେ ଶିକ୍ଷାର ବାତାବରଣ ନଷ୍ଟ ହେଉଥିବାବେଳେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ନେଇ ଆଜି ବିଶ୍ଵନାଥପୁରସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ମାଁ ହୀରାନୀଳା ସଂଗ୍ରାମ ସମିତି ତରଫରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଷୋଦଗାର କରାଯାଇଛି। ଏପରିକି ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ଏବଂ ଜେଲଫେରନ୍ତା ଶ୍ରୀ ସାହୁଙ୍କ କୋଟିଏ ଟଙ୍କାରୁ ଅଧିକ ହଡପ ମାମଲାରେ କାହିଁକି ଅଭିଯୁକ୍ତ କରାଯାଉନାହିଁ ଓ ହଡ଼ପ ଅର୍ଥ ଭରଣା କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛି ସଂଗ୍ରାମ ସମିତି। ଏପରିକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଗ୍ରାମ ସମିତି କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ହୀରାନୀଳା ସଂଗ୍ରାମ ସମିତିର ସଭାପତି ରଘୁବୀର ନାଗ, ଉପସଭାପତି ହରିହର କୁମାର, ସାଧାରଣ ସଂପାଦକ ଲକ୍ଷ୍ମୀଧର ସନ୍ତୋଷରାୟ, ଜଗଦୀଶ ବେନିଆଁ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ମହେନ୍ଦ୍ର କରୁଆଁ, ରାଜୀବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ