Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁୟାରୀ ୩ରୁ ୫ପର୍ଯ୍ୟନ୍ତ ନାଗପୁରରେ ହିନ୍ଦ୍ ମଜଦୁର ସଭାର ୩୪ତମ ରାଷ୍ଟ୍ରୀୟ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ଜୟପ୍ରକାଶ ନାରାୟଣ ଓ ଅଶୋକ ମେହେଟ୍ଟାଙ୍କ ନେତୃତ୍ଵରେ ପ୍ରତିଷ୍ଠିତ ହିନ୍ଦ୍‌‍ ମଜଦୁର ସଭା ତାର 34ତମ ରାଷ୍ଟ୍ରୀୟ ଅଧିବେଶନ ମହାରାଷ୍ଟ୍ରର ନାଗପୁର ଠାରେ ଆସନ୍ତା ଜାନୁୟାରୀ 3, 4 ଓ 5 ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ସଂଗଠନର ସାଧାରଣ ସମ୍ପାଦକ ହରଭଜନ ସିଂ ସିଦ୍ଧୁ ଜଣାଇଛନ୍ତି ବୋଲି ଏଚଏମଏସର ରାଜ୍ୟ ଉପସଭାପତି ରବି ରଥ ପ୍ରକାଶ କରିଛନ୍ତି ।ଏହି ଅଧିବେଶନରେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ଆଇନ ଯାହାକି ଶ୍ରମିକ ବିରୋଧୀ ଅଟେ । ସେ ସମ୍ପର୍କରେ ଭାରତ ବର୍ଷର ବିଭିନ୍ନ ନେତୃତ୍ଵ ଆଲୋଚନା କରିବା ସହିତ ଏହାର ପ୍ରତିରୋଧ କରିବାକୁ ମଧ୍ୟ ପ୍ରସ୍ତାଗ ଗ୍ରହଣ କରାଯିବ ।ଏହି ପରିପ୍ରେକ୍ଷୀରେ ହିନ୍ଦ ମଜଦୁର ସଭା ଓଡ଼ିଶା ଶାଖାର କାର୍ଯ୍ୟକାରୀ କମିଟି ବୈଠକ ରାଜ୍ୟ ସଭାପତି ବରିଷ୍ଠ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ନାଗପୁର ସମ୍ମିଳନୀକୁ ସଫଳ କରିବା, ବିଭିନ୍ନ ଶ୍ରମିକ ଅନୁଷ୍ଠାନର ସମସ୍ୟା ସମାଧାନ କରିବା, ସର୍ବନିମ୍ନ ମଜୁରୀ ତୁରନ୍ତ ଘୋଷଣା କରିବା ଭଳି ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ଏହି ଅବସରରେ ହିନ୍ଦ ମଜଦୁର ସଭାର ଯୁବ ଶାଖାକୁ କ୍ରୀୟାଶୀଳ କରିବା ପାଇଁ ଆଡଭୋକେଟ ତଥା ଶ୍ରମିକ ନେତା ଆଦିତ୍ୟ ପ୍ରସାଦ ସ୍ଵାଇଁଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶ୍ରୀ ସ୍ଵାଇଁ ତାଙ୍କ ଭାଷଣରେ ଏଚଏମଏସକୁ ଏକ ପ୍ରମୁଖ ସଂଗଠନ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ । ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେବା ପାଇଁ ଓଡ଼ିଶାରୁ ଶତାଧିକ ପ୍ରତିନିଧି ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଥମେ ସଂଗଠନର ସାଧାରଣ ସମ୍ପାଦକ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗତ ବୈଠକର ବିବରଣୀ ପାଠ କରିବା ସହ ବିଭିନ୍ନ ଶ୍ରମିକ ସଂଗଠନର ଯେଉଁସବୁ ସମସ୍ୟା ରହିଛି ତାକୁ ସମାଧାନ କରିବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି ବୋଲି କହିଥିଲେ ଏବଂ ଖୁବଶୀଘ୍ର ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ଘୋଷଣା କରିବେ ବୋଲି ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କର୍ମକର୍ତ୍ତା ବୈଦ୍ୟନାଥ ଦାଶ, ଗୁଣନିଧି ଭୋଳ, ଲକ୍ଷ୍ମୀଧର ମହାନ୍ତି, ବିଜୟ କୁମାର ମହାନ୍ତି, ଗୋକୁଳ ମେହେର, ନାଲକୋ ୟୁନିୟନର ମଙ୍ଗିଲାଲ ସାମଲ, ନିର୍ମାଣ ଶ୍ରମିକ ସଂଘର ଜ୍ଞାନେନ୍ଦ୍ର ଦାଶ, ରାଜେନ୍ଦ୍ର ଦାଶ, ତ୍ରିଲୋଚନ ପ୍ରଧାନ, ପ୍ରଦୀପ ଦାଶ, ଦିଗମ୍ୱର ମହାନ୍ତି, ଶଙ୍କର ବେହେରା, ବି.ଏନ ମହାପାତ୍ର, ରାଜ୍ୟ ଉପସଭାପତି ରବି ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସଂଗଠନକୁ କ୍ରୀୟାଶୀଳ କରିବା ପାଇଁ ମତାମତ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ