Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ବିଜେପି ଶାସନରେ ଦଙ୍ଗା ହୁଏ ନାହିଁ’ ଅମିତ୍ ଶାହଙ୍କ ବୟାନ ଆଉ ଏକ ଜୁମଲା: କପିଲ୍ ସିବଲ

ନୂଆଦିଲ୍ଲୀ: ରାମ ନବମୀ ପାଳନ ଅବସରରେ ବିହାର ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ସାଂପ୍ରଦାୟିକ ହିଂସା, ଜଳାପୋଡା ଏବଂ ଭଙ୍ଗାରୁଜା ଘଟଣା ଘଟି ଯାଇଛି। ଏହାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ହଙ୍ଗାମା ଚରମରେ ରହିଛି। ଆରୋପ ପ୍ରତ୍ୟାରୋପର ପର୍ବ ଜାରି ରହିଛି। ଇତି ମଧ୍ୟରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ନିକଟରେ ଦେଇଥିବା ଟିପ୍ପଣୀକୁ ‘ଜୁମଲା’ର ଆଖ୍ୟା ଦେଇଛନ୍ତି ରାଜ୍ୟସଭା ସାଂସଦ କପିଲ୍ ସିବଲ। ସାଂପ୍ରଦାୟିକ ହିଂସାର ଅନେକ ଘଟଣା ଉପସ୍ଥାପନ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି ସିବଲ୍।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିହାରର ନଓ୍ଵାଦା ଜିଲ୍ଲା ଅନ୍ତର୍ଗତ ହିସୁଆରେ ଏକ ଜନସଭାକୁ ସମ୍ବୋଧିତ କରି ଗୃହ ମନ୍ତ୍ରୀ ଅମିତ୍ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୪ରେ ବହୁମତ ସହିତ ବିହାରରେ ୪୦ରୁ ୪୦ ଆସନ ଜିତାଇ କ୍ଷମତାସୀନ କରାନ୍ତୁ ଏବଂ ବିଜେପିକୁ ୨୦୨୫ ବିଧାନସଭା ନିର୍ବାଚନରେ ସରକାର ଗଢିବାରେ ସାହାଯ୍ୟ କରନ୍ତୁ। ଦଙ୍ଗାକାରୀଙ୍କୁ ଓଲଟା ଟାଙ୍ଗି ଦେବୁ।

ଶାହଙ୍କ ଉକ୍ତ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ସିବଲ୍ ଟ୍ଵିଟ୍ କରି କହିଛନ୍ତି, ‘ଅମିତ୍ ଶାହ: ଦଙ୍ଗା ଆମ ଶାସନରେ ହୁଏ ନାହିଁ, ଏହା ଆଉ ଏକ ଜୁମଲା(ବୟାନବାଜି)’। ଏନସିଆରବିର ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୦ ମଧ୍ୟରେ ଦେଶରେ ୫୪୧୫ ସାଂପ୍ରଦାୟିକ ଦଙ୍ଗା ଘଟିଛି। ୨୦୧୯ରେ କେବଳ ଉତ୍ତର ପ୍ରଦେଶରେ ୯, ମହାରାଷ୍ଟ୍ରରେ ୪, ଓ ମଧ୍ୟପ୍ରଦେଶରେ ୨ଟି ଦଙ୍ଗା ଘଟିଛି। ୨୦୨୧ରେ ହିଂସାକାଣ୍ଡରେ ହରିୟାଣା ଶୀର୍ଷରେ ରହିଥିବା ବେଳେ ତାଲିକାରେ ଗୁଜରାଟ ଏବଂ ମଧ୍ୟ ପ୍ରଦେଶ ବି ସାମିଲ୍। କେନ୍ଦ୍ର ସରକାର ଏବେ କୁହନ୍ତୁ, ବିଜେପି ନେତୃତ୍ଵାଧୀନ ସରକାରରେ ଦଙ୍ଗା ଘଟୁଛି କି ନାହିଁ ବୋଲି କଂଗ୍ରେସର ପୂର୍ବତନ ବରିଷ୍ଠ ନେତା କପିଲ୍ ସିବଲ୍ ପ୍ରଶ୍ନ କରିଛନ୍ତି।

ରାମନବମୀ ପାଳନ ଉପଲକ୍ଷେ ପଶ୍ଚିମବଙ୍ଗ ଏବଂ ବିହାରରେ ସଂଗଠିତ ସାଂପ୍ରଦାୟିକ ହିଂସା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କପିଲ୍ ସିବଲ। ସେ କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏମିତି ହିଂସାକାଣ୍ଡ କଦାପି ଗ୍ରହଣୀୟ ନୁହେଁ। ସାଧାରଣ ନିର୍ବାଚନ ପାଖେଇବା ସହିତ ବିଜେପି ସାଂପ୍ରଦାୟିକ ହିଂସା ଉସୁକାଇବାକୁ ଉଦ୍ୟମ କରୁଛି। ପଶ୍ଚିମବଙ୍ଗ ଏବଂ ଗୁଜରାଟରେ ନିକଟରେ ଘଟିଥିବା ଘଟଣା ଏକ ଟ୍ରେଲର ଥିଲା ବୋଲି ସିବଲ୍ କହିଛନ୍ତି। ଉଲ୍ଲେଖନୀୟ କପିଲ୍ ସିବଲ୍ ଗତ ବର୍ଷ ମେ ମାସରେ କଂଗ୍ରେସ ଛାଡିଥିଲେ। ପରେ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ