Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିକୁ ଝଟକା ଦେବେ ‘ମୋଦୀଙ୍କ ହନୁମାନ’ ! ବିହାରରେ କଲେ ବଡ଼ ଘୋଷଣା

ପାଟନା: ବିହାରରେ ଲୋକସଭା ନିର୍ବାଚନକୁ ନେଇ ତତ୍ପର ହୋଇ ଉଠିଛନ୍ତି ସମସ୍ତ ରାଜନୈତିକ ପାର୍ଟି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ୨୦୨୪ ଲୋକସଭା ନିର୍ବାଚନରେ ବିହାରରେ ବିଜେପି ସମସ୍ତ ୪୦ ଆସନରେ ଲଢିବାର ସଙ୍କେତ ଦେବା ପରେ ଅନ୍ୟ ପାର୍ଟି ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ତେବେ ବିଜେପିକୁ ବଡ ଝଟକା ଦେବାକୁ ଅଣ୍ଟା ଭିଡିଛନ୍ତି ଲୋକଜନ ଶକ୍ତି ପାର୍ଟିର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସଓ୍ଵାନଙ୍କ ପୁଅ ଚିରାଗ ପାସଓ୍ଵାନ। ଗତ ନିର୍ବାଚନରେ ବିଜେପି ସହିତ ରହିଥିବା ଚିରାଗ ମଧ୍ୟ ଇସାରା ଦେଇଛନ୍ତି ଯେ, ତାଙ୍କ ପାର୍ଟି ଏଥର ସମସ୍ତ ୪୦ ଲୋକସଭା ଆସନରେ ନିର୍ବାଚନ ଲଢିବ।

ରାଜଧାନୀ ପାଟନାରେ ସମ୍ବାଦଦାତାଙ୍କ ସହ ଆଲୋଚନା ବେଳେ ଚିରାଗ ପାସଓ୍ଵାନ କହିଛନ୍ତି, ପ୍ରତ୍ୟେକ ପାର୍ଟି ନିଜର ବିସ୍ତାର ଚାହୁଁଛନ୍ତି। ଅମିତ୍ ଶାହ ବି ଏହା କରୁଛନ୍ତି। ତେଣୁ ଆମେ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ସମସ୍ତ ୪୦ ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତି କରୁଛୁ। ପାସଓ୍ଵାନଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ।

ଚିରାଗ ଏହା ମଧ୍ୟ କହିଛନ୍ତି, ଲୋକଜନ ଶକ୍ତି ପାର୍ଟି(ଏଲଜେପି)ର ବିହାରରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ୟୁନିଟ୍ ରହିଛି ଏବଂ ଏହା ସକ୍ରିୟ ମଧ୍ୟ ରହିଛି। ତେଣୁ ଅନ୍ୟ ଦଳଙ୍କ ପରି ଆମେ ମଧ୍ୟ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବୁ। ଲୋକସଭା ନିର୍ବାଚନରେ ନିଜ କକାଙ୍କ ପାର୍ଟି ସହ ମେଣ୍ଟ ଏହି ଜନ୍ମରେ ସମ୍ଭବ ନୁହେଁ ବୋଲି ଚିରାଗ କହିଛନ୍ତି।

ଉଲ୍ଲେଖନୀୟ, ଚିରାଗ ପାସଓ୍ଵାନ, ପଶୁପତି କୁମାର ପାରସ ଏବଂ ଉପେନ୍ଦ୍ର କୁଶଓ୍ଵାହ ଖୋଲାଖୋଲି ବିଜେପିର ସମର୍ଥନ କରି ଆସିଛନ୍ତି। ସମସ୍ତେ ଆଶା କରିଛନ୍ତି ଯେ, ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ଆମ ସହ ମେଣ୍ଟ କରିବେ। କିନ୍ତୁ ଅମିତ୍ ଶାହଙ୍କ ଘୋଷଣା ପରେ ଏହି ତିନି ନେତାଙ୍କୁ ବଡ ଝଟକା ଲାଗିଛି। ତେଣୁ ଯେସାକୁ ତେସା ନୀତିରେ ଏଲଜେପି ମଧ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ସଙ୍କେତ ଦେଇଛି। ଏମିତି ହେଲେ ବିଜେପି ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ