Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ବିଟରରେ ଟ୍ରେଣ୍ଡ୍‌ କରୁଛି ‘ଦେଶର ପ୍ରଧାନମନ୍ତ୍ରୀ ଅପାଠୁଆ’

ଅହମ୍ମଦାବାଦ: ଟ୍ବିଟରରେ ଟ୍ରେଣ୍ଡ୍‌ କରୁଛି ”ଦେଶ୍‌ କା ପିଏମ୍‌ ଅନପଢ ହୈ”। ଅର୍ଥାତ୍‌ ଦେଶର ପ୍ରଧାନମନ୍ତ୍ରୀ ଅପାଠୁଆ ବୋଲି ଟ୍ବିଟରରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ତେବେ ଏଇ କିଛି ଦିନ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମୋଦୀ କେତେ ପାଠ ପଢିଛନ୍ତି ସେ ନେଇ ଚର୍ଚ୍ଚା ଲାଗିରହିଛି। ଏହାକୁ ନେଇ ଅନେକ ହଙ୍ଗାମା ହୋଇସାରିଲାଣି।

ମୋଦୀଙ୍କ ପାଠପଢାକୁ ନେଇ ପ୍ରଶ୍ନ ଉଠାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତେବେ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ପ୍ରଶ୍ନ କରିବା କେଜ୍ରିୱାଲଙ୍କୁ ପଡ଼ିଲା ମହଙ୍ଗା। ମୋଦୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ମାଗିବା ଅଭିଯୋଗରେ ଗୁଜରାଟ ହାଇକୋର୍ଟ ତାଙ୍କୁ  ୨୫ ହଜାର ଟଙ୍କାର ଫାଇନ୍‌ ଲଗାଇଛନ୍ତି। ଏହାସହ କୋର୍ଟ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ସାର୍ବଜନୀନ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ପ୍ରମାଣ ପତ୍ର ମାଗିଥିଲେ କେଜ୍ରିୱାଲ। ସେ ଜାଣିବାକୁ ଚାହିଁଥିଲେ ମୋଦି କ’ଣ ଓ କେତେ ପାଠ ପଢିଛନ୍ତି । ଏହା ବଦଳରେ ତାଙ୍କୁ ଫାଇନ୍‌ ଭରିବାକୁ ପଡ଼ିଥିଲା।

ସେହିଭଳି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ “ଦେଶରେ ଅନେକ ଯୁବକ ଡିଗ୍ରୀ ଧରିଛନ୍ତି ହେଲେ ତାଙ୍କୁ ଚାକିରି ମିଳୁନି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀ ଦେଖାଇବାକୁ କୁହାଯାଉଛି ସେତେବେଳେ ୨୫ ହଜାର ଟଙ୍କାର ଫାଇନ ଲାଗୁ କରାଯାଉଛି। କ’ଣ ପାଇଁ ଏମିତି କରାଯାଉଛି? ପ୍ରଧାନମନ୍ତ୍ରୀ ଯେଉଁ କଲେଜରେ ପଢ଼ୁଥିଲେ ସେଠାକାର କର୍ତ୍ତୃପକ୍ଷ ଗର୍ବ କରିବା ପାଇଁ କାହିଁକି ସାମ୍ନାକୁ ଆସୁ ନାହାନ୍ତି? ଯେଉଁଠାରେ ପ୍ରଧାନମନ୍ତ୍ରୀ ପଢ଼ୁଥିଲେ, ସେ କଲେଜ କାହିଁକି ସାମ୍ନାକୁ ଆସୁନି?” ବୋଲି କହିଥିଲେ ଠାକରେ। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ ଅପାଠୁଆ କିଭଳି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବ ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଟ୍ବିଟରରେ ମଧ୍ୟ ଏହି ପ୍ରସଙ୍ଗ ଏବେ ଟ୍ରେଣ୍ଡ ହେବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ