ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ : ଜାତୀୟ ମାନବାଧିକାର କମିଶନରେ ମାମଲା


କଳାହାଣ୍ଡି,୧୬/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମେଡିକାଲ ଛକ ନିକଟରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନ ସମୟରେ ବିଶ୍ୱନାଥପୁର-ଲାଞ୍ଜିଗଡ ରାସ୍ତା କାମ ଚାଲିଥିବା ଓ ରାସ୍ତା କଡ ଗଛ ସବୁ କଟା ଚାଲିଥିବାବେଳେ ସେଥିରୁ ଜାଳ କାଠ ସଂଗ୍ରହ ପାଇଁ ବିଶ୍ୱନାଥପୁର କଲୋନୀପଡାର ରାମେଶ୍ୱର ସାହୁ ରାସ୍ତାକଡକୁ ଯାଇଥିଲେ । କିନ୍ତୁ ରାସ୍ତା କଡ ଦେଇ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାର ଯାଇଥିବାବେଳେ ଗଛକଟା ଚାଲିଥିଲେ ହେଁ ବିଦ୍ୟୁତ୍ ବିଭାଗ ବିଦ୍ୟୁତ କାଟ କରିନଥିଲା । ଫଳରେ ଅସାବଧାନତାବଶତଃ କାଠ ସଂଗ୍ରହ ସମୟରେ ରାମେଶ୍ୱରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ତେବେ ନିଜର ତୃଟି ଧରା ପଡିବା ଭୟରେ ବିଦ୍ୟୁତ ବିଭାଗ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବିଶ୍ୱନାଥପୁର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ସେହିପରି ବିଶ୍ୱନାଥପୁରଠାରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡକୁ ନିଆଯାଇଥିଲା । ଶବ ନେବାବେଳକୁ ରାତି ହୋଇଯିବାରୁ ବ୍ୟବଚ୍ଛେଦ କରାଯାଇ ପାରିନଥିଲା । ଆଜି ଅପରାହ୍ନରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଅତ୍ୟନ୍ତ ଶୋକାକୁଳ ପରିସ୍ଥିତିରେ ତାଙ୍କର ଦାହ ସଂସ୍କାର କରାଯାଇଥିଲା । ସୂଚନାଯୋଗ୍ୟ, ରାମେଶ୍ୱର ସାହୁ ଜଣେ ଗରିବ ବ୍ୟକ୍ତି । ତାଙ୍କ ପତ୍ନୀ ଶାରୀରିକ ଭାବେ ଅକ୍ଷମ ଥିବାବେଳେ ପୁଅ ନାବାଳକ ଓ ତାଙ୍କ ଉପରେ ନିର୍ଭରଶୀଳ ଜଣେ ବିଧବା ଝିଅ ଅଛନ୍ତି । ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ସେ । ତେବେ ବିଶ୍ୱନାଥପୁର-ଲାଞ୍ଜିଗଡ ରାସ୍ତା କାମ ଚାଲିଥିବାବେଳେ ଠିକାଦାରଙ୍କ ଦ୍ୱାରା ଗଛ କଟା ଚାଲିଛି ଓ ରାସ୍ତା କଡ ଦେଇ ଯାଇଛି ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର । କିନ୍ତୁ ଠିକା ସଂସ୍ଥା, ପି ଡବ୍ଲୁଡି ବିଭାଗର ଅବହେଳା ସହିତ ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ରାସ୍ତାକଡରେ ପଡିଥିବା ଗଛରୁ କାଠ ସଂଗ୍ରହ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ବିଦ୍ୟୁତ ଆଘାତରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ଏଣୁ ବିଦ୍ୟୁତ ବିଭାଗ, ପିଡବ୍ଲ୍ୟୁଡି ବିଭାଗ, ସଂପୃକ୍ତ ଠିକା ସଂସ୍ଥାର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ଯୁବ ଲେଖକ, ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ । କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଜଣେ ମାନବାଧିକାର କର୍ମୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବାଗ ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ସହିତ ଏହି ବେସାହାରା ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି କରିଛନ୍ତି ।