Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମ କରାଇ ଠକିଦେଲେ ଠିକାଦାର : ବାର ଦୁଆର ବୁଲୁଛନ୍ତି ହତାଶ ଶ୍ରମିକ

କଳାହାଣ୍ଡି,୧୭/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ଏକ କମ୍ପାନୀର ଆସପଣ୍ଡରେ କାମ କରୁଥିବା ଶ୍ରମିକମାନଙ୍କୁ ଦୀର୍ଘ ଆଠମାସ ଧରି ପାଉଣା ନଦେବା ଘଟଣାରେ ପୁଲିସ ଓ ଶ୍ରମ ବିଭାଗ ପାଖରୁ ନିରାଶ ହେବାପରେ ଏବେ ମାମଲା ଯାଇ ନ୍ୟାୟାଳୟରେ ପହଞ୍ଚିଛି । ହତାଶ ଶ୍ରମିକମାନେ ଏବେ ନ୍ୟାୟ ପାଇବା ପାଇଁ ବାର ଦୁଆର ବୁଲୁଛନ୍ତି। ଅଭିଯୋଗ ଅନୁଯାୟୀ, କମ୍ପାନୀରୁ ନିର୍ଗତ ଫ୍ଲାଏ ଆଶକୁ ଅନ୍ୟତ୍ର ସ୍ଥାନାନ୍ତରଣ ଓ ପ୍ରକ୍ରିୟାକରଣ ପାଇଁ ପ୍ରା ଇଣ୍ଡିଆ ଲିମିଟେଡ଼ ଟେଣ୍ଡର ପାଇଥିବାବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣାର ଶ୍ରୀ ସାଇ ଫ୍ଲାଏ ଆଶ ସଂସ୍ଥାର ମାଲିକ ମାନସ ରଞ୍ଜନ ପରିଡା ଏହାର ସବ କଣ୍ଟ୍ରାକ୍ଟ ନେଇଥିଲେ। ତେବେ ଗତ ବର୍ଷେ ହେଲା ଲାଞ୍ଜିଗଡସ୍ଥିତ ଫ୍ଲାଏ ଆଶ ପଣ୍ଡରୁ ସାଢେ ତିନି ଲକ୍ଷ ଟନରୁ ଅଧିକ ଫ୍ଲାଏ ଆଶ ପରିବହନ କରି ନେଇଥିବାବେଳେ ସେଠାରେ ନିୟୋଜିତ ୯ ଜଣ ଶ୍ରମିକଙ୍କୁ ଆଠ ମାସର ପାରିଶ୍ରମିକ ଦେଇନାହାନ୍ତି। ଏନେଇ ଶ୍ରମିକମାନେ ବାରମ୍ବାର ଦାବି ଓ ଅଭିଯୋଗ ପରେ ବି ମାଲିକ ଶ୍ରୀ ପରିଡା ସେମାନଙ୍କୁ ପାରିଶ୍ରମିକ ଦେବା ତ ଦୂରର କଥା ଓଲଟା ଧମକ ଚମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ, ଆଠମାସର ପାଉଣା ନପାଇ ଏହି ୯ ଜଣ ଶ୍ରମିକଙ୍କ ପରିବାର ଏବେ ଚୁଲି ଜଳିବା ମୁସ୍କିଲ ହୋଇପଡିଛି। ସେମାନେ ଏବେ ନିଜର ପାଉଣା ପାଇବାକୁ ବାର ଦୁଆର ହେଉଥିବାବେଳେ ସେମାନଙ୍କ ଦୁଃଖ ଦୂର ହୋଇପାରୁନାହିଁ। ଶ୍ରମିକମାନଙ୍କ ମଧ୍ୟରେ ଚନ୍ଦ୍ରା ମାଝୀ, ରୀତା ମାଝୀ, ପଙ୍କଜ ହରିଜନ, ଚମ୍ପା ମାଝୀ, ସଂକୁଲି ମାଝୀ, ଅଞ୍ଜନା ମାଝୀ, ଚନ୍ଦ୍ରଧ୍ଵଜ ତାଣ୍ଡି ପ୍ରମୁଖ ପାଉଣା ନପାଇ ହଇରାଣ ହେଉଥିବାବେଳେ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ