କଳାହାଣ୍ଡି,୧୮/୧୨-ସ୍କୁଲରେ ପଢ଼ିବାବେଳେ ସାଙ୍ଗସାଥୀଙ୍କ ମିଶି ସ୍କୁଲ ହଷ୍ଟେଲରେ ବ୍ୟାଡମିଣ୍ଟନ ଖେଳୁଥିଲେ ! ଧିରେଧିରେ ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଆଗ୍ରହ ବଢ଼ିଲା, ସେଇଠୁ ବଢ଼ିଲା ଦୁର୍ବଳତା ! ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଦୁର୍ଗମ ଖଜୁରଗୁଡ଼ା ଗାଁର ବିଶାଖା ନାଏକଙ୍କ ପାଇଁ ପାଠ ପଢ଼ିବା ସହିତ ନିଜର ଖେଳ ସଉକକୁ ଆଗେଇ ନେବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ଥିଲା ! ତେବେ ଅଭାବୀ ପରିବାରର କନ୍ୟା ବିଶାଖା, ପାଠପଢ଼ା ସହିତ ବ୍ୟାଡ଼ମିଣ୍ଟନ ଖେଳକୁ ସମୟ ଦେଇ ସ୍କୁଲରୁ ଜିଲ୍ଲା ସ୍ତର ଓ ଜିଲ୍ଲା ସ୍ତରରୁ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରନ୍ତି ! ଇତିମଧ୍ୟରେ ସ୍କୁଲ ପାଠପଢ଼ା ଶେଷ କରି ସେ ଯୁକ୍ତ ଦୁଇ ପାଠ ପଢ଼ନ୍ତି ! ଯେଉଁ ଗାଁରେ ଝିଅ ତ ଝିଅ ପୁଅପିଲାମାନେ ବି ବିଭିନ୍ନ ସମସ୍ୟା ଯୋଗୁଁ ଦି ଅକ୍ଷର ପାଠ ପଢ଼ିପାରନ୍ତି ନାହିଁ, ପେଟପାଟଣାର ଦାୟରେ କେରଳ, ତାମିଲନାଡ଼ୁ, ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଆନ୍ତି, ସେଇଠି ଝିଅମାନେ ଦି’ ଅକ୍ଷର ପାଠ ପଢ଼ିବା ତ ଦୂରର କଥା, ଯଦି ବି ପାଠ ପଢ଼ିଲେ ବି ଅଧାରୁ ପାଠ ଛାଡ଼ନ୍ତି, ନଚେତ୍ କମ୍ ବୟସରୁ ବିବାହ କରିଯାଆନ୍ତି ! ତେବେ ଏତେସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସ୍ରୋତର ବିପରୀତ ଦିଗରେ ଗତି କରି ସେ ନିଜ ପାଇଁ ରାସ୍ତା ବାଛିଛନ୍ତି ! ଯୁକ୍ତ ଦୁଇ ପାଠପଢ଼ା ପରେପରେ ଅର୍ଥାଭାବ ଯୋଗୁଁ ଯୁକ୍ତ ତିନି ପାଠ ପଢ଼ିବା ପାଇଁ କଲେଜରେ ନାମ ଲେଖାଇଛନ୍ତି ସତ କିନ୍ତୁ ପାଠପଢ଼ା ସହିତ ବ୍ୟାଡମିଣ୍ଟନ ଖେଳ ଅଭ୍ୟାସ ପାଇଁ ସୁଦୂର ଭୁବନେଶ୍ବରଠାରେ ଜ୍ୟୋତିଲାବ ନାମକ ଏକ ସଂସ୍ଥାରେ ପାର୍ଟ ଟାଇମ୍ ଜବ୍ କରିବା ସହିତ ରେଲୱେ ଇନଡୋର ଷ୍ଟାଡ଼ିୟମ ଠାରେ ଅଭ୍ୟାସ ଜାରି ରଖିଛନ୍ତି ! ସେହିପରି ଅଭାବ ଅନାଟନ ମଧ୍ୟରେ ରହି ମଧ୍ୟ ନିଜର ଖେଳ ପ୍ରତି ରୁଚି ତାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି ! ଏହିପରି ଭାବେ ଗତ ୨୦୨୨ରେ ବର୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେ ସେମି ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ ! ସେହିପରି ଅନୁଗୁଳ ଓ ରାୟଗଡ଼ାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସେ ଯୋଗ୍ୟତା ଅର୍ଜନ କରିଥିବାବେଳେ ଚଳିତ ବର୍ଷ ବଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସେମି ଫାଇନାଲକୁ ଉନ୍ନୀତ ହେବା ସହିତ ରାଜ୍ୟସ୍ତରୀୟ ଯୋଗ୍ୟତା ବଜାୟ ରଖି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିଲେ ! ଏହିକ୍ରମରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ଦ୍ବାରା ମନୋନୀତ ହୋଇ ଚଳିତ ଡିସେମ୍ବର ୧୮ରୁ ୨୪ ତାରିଖ ଯାଏଁ ଆସାମର ଗୁଆହାଟୀଠାରେ ହେବାକୁ ଥିବା ଜାତୀୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବାକୁ ଆସାମ ଗସ୍ତ କରିଛନ୍ତି ବିଶାଖା ! ଓଡ଼ିଶା ବ୍ୟାଡମିଣ୍ଟନ ଏସୋସିଏସନ ତରଫରୁ ଏକ ୨୧ ଜଣିଆ କ୍ରୀଡ଼ାବିତଙ୍କ ଦଳ ଆସାମ ଗସ୍ତ କରିଥିବାବେଳେ କଳାହାଣ୍ଡିର ଜଣେ ମାତ୍ର ଝିଅ ଭାବରେ ବିଶାଖା ସ୍ଥା ପାଇଛନ୍ତି ! ଦୁର୍ଗମ ଖଜୁରଗୁଡ଼ାରୁ ନିଜର କ୍ରୀଡ଼ା ଓ ଅଧ୍ୟବସାୟ ଯୋଗୁଁ ଆସାମ ଗସ୍ତ କରିବା କଳାହାଣ୍ଡି ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ପ୍ରଦୀପ କୁମାର ଦାସ, ଲାଞ୍ଜିଗଡ଼ ବ୍ଲକ ବ୍ୟାଡମିଣ୍ଟନ ଏସୋସିଏସନର ସଂପାଦକ ଧବଳେଶ୍ବର ଠେଲା ଓ ନର୍ଲା ବ୍ଲକ ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ରବୀନ୍ଦ୍ର କୁମାର ସାହୁ, ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ ପ୍ରମୁଖ ମତ ଦେବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ! ତେବେ ଗରିବ ପରିବାରରୁ ଆସିଥିବା କ୍ରୀଡ଼ା ପ୍ରତିଭା ବିଶାଖାଙ୍କୁ ସରକାରୀ, ବେସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ କେବଳ ରାଜ୍ୟ କିମ୍ବା ଜାତୀୟ ସ୍ତରୀୟ ସମେତ ଆନ୍ତର୍ଜାତୀୟ ସ୍ତରରେ ଏପରିକି ଅଲିମ୍ପିକରେ ଭାଗ ନେଇ ବିଶାଖା ଦେଶ ପାଇଁ ମେଡାଲ ଆଣିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି !