ବରଗଡ ଲୋକସଭା ସିଟରେ ଅସିତ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ ବିଜେଡି, ମୁରଲୀକ୍ରିଷ୍ଣାଙ୍କୁ ମାତ୍ ଦେବା ମୁସ୍କିଲ !


ବରଗଡ: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାନସଭା ନିର୍ବାଚନ ହାରିଥିଲେ ହେଁ ଲୋକସଭାରେ ବିଜୁ ଜନତା ଦଳକୁ ମୁହଁତୋଡ ଜବାବ ଦେଇଥିଲା । ୨୧ ଲୋକସଭା ଆସନରୁ ବିଜେପି ୮ଟି ଜିତି ପ୍ରମାଣିତ କରି ଦେଇଥିଲା ଯେ, ଓଡିଶାବାସୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାହୁଁଛନ୍ତି । ଏହି ୮ଟି ଆସନରୁ ୫ଟି ଆସନ ଦଳ ପଶ୍ଚିମ ଓଡିଶାରୁ ଜିତିଥିଲା । ଏଥିରୁ ପ୍ରମାଣିତ ହୋଇଥିଲା ଯେ, ପଶ୍ଚିମ ଓଡିଶାର ଭୋଟର ବିଧାନସଭାରେ ବିଜେଡିକୁ ଭୋଟ୍ ଦେଇଥିଲେ ହେଁ ଲୋକସଭା ପାଇଁ ଏହି ଦଳକୁ ଦ୍ୱିତୀୟରେ ରଖିବାକୁ ପସନ୍ଦ କରିଥିଲେ । କିନ୍ତୁ ୨୦୨୪ରେ ବିଜେଡି ଏମିତି ଫଳାଫଳ ଦେଖିବାକୁ ଚାହୁଁନାହିଁ । ଦଳ ଲୋକସଭା ନିର୍ବାଚନରେ ବିଜେପିକୁ କେମିତି ମାତ୍ ଦେବ ସେ ନେଇ ଅଙ୍କ କଷିଲାଣି । କେଉଁ ଆସନରୁ କାହାକୁ ପ୍ରାର୍ଥୀ ଦେଲେ ବିଜେପିକୁ ଧରାଶାୟୀ କରି ହେବ ସେ ନେଇ ପାର୍ଟିରେ ମାନସ ମନ୍ଥନ ଚାଲିଛି । କୁହାଯାଉଛି କିଛି ଆସନରେ ପ୍ରଶାସନିକ ଅଧିକାରୀ ଭିଆରଏସ ନେଇ ଲୋକସଭା ନିର୍ବାଚନ ଲଢି ପାରନ୍ତି କିମ୍ବା ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କୁ ଦଳ ମଇଦାନରେ ଓହ୍ଲାଇପାରେ । ଏମିତି ଗୁଂଜରଣ ବରଗଡ ସଂସଦୀୟ କ୍ଷେତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ଏଥର ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀଙ୍କୁ ବରଗଡ ଲୋକସଭାରୁ ପ୍ରାର୍ଥୀ କରିପାରେ ବୋଲି ରାଜନୌତିକ କରିଡରରେ ବେଶ ଚର୍ଚ୍ଚା ।

୨୦୦୯ ସାଧାରଣ ନିର୍ବାଚନରେ ବରଗଡକୁ ସଂସଦୀୟ କ୍ଷେତ୍ରର ମାନ୍ୟତା ମିଳିଥିଲା । ତିନୋଟି ନିର୍ବାଚନ ଦେଖିଥିବା ବରଗଡ ସଂସଦୀୟ କ୍ଷେତ୍ରରେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କ୍ରମାଗତ ଦୁଇ ଥର ନିର୍ବାଚନ ଜିତି ନାହାନ୍ତି । ବର୍ତମାନ ଏହି ଆସନ ବିଜେପି କବଜାରେ ରହିଛି । ସାଂସଦ ସୁରେଶ ପୂଜାରୀ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀକୁ ମାତ୍ ଦେଇ ଲୋକସଭାକୁ ଯାଇଛନ୍ତି । ହେଲେ ତାଙ୍କୁ ଏଥର ଟିକଟ୍ ମିଳିବାର ସମ୍ଭାବନା କମ୍ ଥିବା କୁହାଯାଉଛି । ସୁରେଶ ପୁଜାରୀଙ୍କୁ ଚେକ୍ ଦେଇ ପାରନ୍ତି ଡି ମୂରଲୀକ୍ରିଷ୍ଣା। ତାଙ୍କର ଗତିବିଧି ଓ ସକ୍ରିୟତା ଦେଖି ଦଳ ସୁରେଶଙ୍କ ସ୍ଥାନରେ ତାଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ମାନସିକ ଭାବେ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ମୁରଲୀକ୍ରିଷ୍ଣା ଫାଉଣ୍ଡେସନ ନାମରେ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଲୋକ ସମ୍ପର୍କ ରଖିଛନ୍ତି।

ଆଉ ବିଜେପିର ଗତିବିଧି ଉପରେ ନଜର ରଖିଛି ବିଜେଡି । ବିଜେପି ପକ୍ଷରୁ ମୁରଲୀକ୍ରିଷ୍ଣାଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଥିବା ବେଳେ ବିଜେଡି ପୂର୍ବତନ ଆଇଏଏସ ଅଧିକାରୀ ତଥା ବର୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଅସିତ୍ ତ୍ରିପାଠୀଙ୍କୁ ବରଗଡ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିପାରେ। ସୁରେଶ ପୂଜାରୀଙ୍କୁ ବରଗଡ ଲୋକସଭା ଆସନରୁ ଟିକେଟ୍ ନ ମିଳିବା ସ୍ଥିତିରେ ମୁରଲୀକ୍ରିଷ୍ଣା ବନାମ ଅସିତ ତ୍ରିପାଠୀ ଲଢେଇ ଦେଖିବାକୁ ମିଳିପାରେ । ଯଦି ରାଜନୈତିକ ପାଣିପାଗ ଏମିତି ରହେ ତେବେ ଅସିତ ତ୍ରିପାଠୀଙ୍କ ତୁଳନାରେ ମୁରଲୀକ୍ରିଷ୍ଣାଙ୍କ ପଲ୍ଲା ଭାରି ରହିବ । କାରଣ ମୁରଲୀକ୍ରିଷ୍ଣାଙ୍କ ବରଗଡରେ ଜନାଦୃତ ବେଶ ଅଧିକ ରହିଛି । ଯଦିଓ ଅସିତ ନବୀନଙ୍କ ଚେହେରାରେ ନିର୍ବାଚନ ଲଢିବେ ତଥାପି ମୁରଲୀକ୍ରିଷ୍ଣାଙ୍କ ଜନାଧାରକୁ ଏଡାଇବା କାଠିକର ପାଠ ହୋଇପାରେ । ମୁରଲୀକ୍ରିଷ୍ଣା ଜଣେ ତୃଣମୂଳସ୍ତରରୁ ସଂଘର୍ଷ କରି ଆଗକୁ ବଢିଥିବାର ମଣିଷ । ବିନମ୍ରର ସ୍ୱଭାବର ମଣିଷ ଥିବା ମୁରଲୀକ୍ରିଷ୍ଣା ବାବୁଗିରିଙ୍କୁ ପସନ୍ଦ କରନ୍ତି ନାହିଁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ସେ ବିରାଟ ସାମ୍ରାଜ୍ୟ ଗଢିଥିଲେ ମଧ୍ୟ ଜନସଂପର୍କକୁ କେବେ ବି ଭୁଲି ନାହାନ୍ତି । ବିକାଶ ଗ୍ରୁପର ଅଧ୍ୟକ୍ଷ ଡି ମୂରଲୀକ୍ରିଷ୍ଣା। ବରଗଡ଼ ଓ ଝାରସୁଗୁଡ଼ାରେ ବୁଲି ବୁଲି ନୂଆଁଖାଇ ଭେଟ୍ ଘାଟ୍ ଆୟୋଜନ କରି ପଶ୍ଚିମ ଓଡିଶାର ପରମ୍ପରାକୁ ସମ୍ମାନ ଦେଇ ଜନାଧାର ହାସଲ କରି ପାରିଛନ୍ତି ।

ମୁରଲୀକ୍ରିଷ୍ଣା ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ସେ ମୂଳତଃ ଆନ୍ଧ୍ର ବାସିନ୍ଦା ହୋଇଥିଲେ ହେଁ ବରଗଡକୁ ନିଜର କର୍ମଭୂମି କରି ସାରିଛନ୍ତି । ତେଣୁ ଜିଲ୍ଲାରେ ତାଙ୍କ ଗ୍ରହଣୀୟତା ବେଶ ଅଧିକ ରହିଛି। ବିକାଶ ଗ୍ରୁପ ସହ ଯେତିକି ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରହିଛନ୍ତି ସେହି ଭୋଟ୍ ବ୍ୟାଙ୍କକୁ ମଧ୍ୟ ବିଜେପି ଅଣଦେଖା କରି ପାରିବ ନାହିଁ। ସାଂପ୍ରତିକ ବରଗଡ ସଂସଦୀୟ କ୍ଷେତ୍ର ଉପରେ ନଜର ପକାଇଲେ ବିଜେପିର ସାଂସଦ ସୁରେଶ ପୂଜାରୀଙ୍କ ଆସନ ଦୋଦୁଲ୍ୟମାନ ସ୍ଥିତିରେ ରହିଛି । ପ୍ରଶାସନିକ କ୍ଷେତ୍ରରେ ଅସିତ ତ୍ରିପାଠୀଙ୍କ ବେଶ ଅଭିଜ୍ଞତା ଥିଲେ ମଧ୍ୟ ସେ ମୁରଲୀକ୍ରିଷ୍ଣାଙ୍କ ପରି ଜନାଦୃତ ହୋଇ ପାରି ନାହାନ୍ତି । ପଶ୍ଚିମ ଓଡିଶାର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସେ ୨୦୨୦ରୁ କାର୍ଯ୍ୟରତ ରହିଛନ୍ତି । ରାଜନୈତିକ ସମୀକରଣକୁ ଦେଖିଲେ ବରଗଡରେ ବର୍ତମାନ ମୁରଲୀକ୍ରିଷ୍ଣାଙ୍କ ପ୍ରତି ଜନତାଙ୍କ ଜନସମର୍ଥନ ଅଧିକ ରହିଛି । ତେଣୁ ଦେଖିବା ବାକି ରହିଲା ବରଗଡରେ ବିଜେପି ଓ ବିଜେଡି ମଧ୍ୟରେ ମୁକାବିଲା କେମିତି ହେଉଛି ।