Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆରମ୍ଭହେଲା ଗଜପତି ମହୋତ୍ସବ-୨୦୨୩

ପାରଳାଖେମୁଣ୍ଡି:୨୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ସମୃଦ୍ଧ ପରମ୍ପରାର ସମାରୋହ ଗଜପତି ମହୋଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବର ସହକାରେ ତଥା ପ୍ରବଳ ଜନସମାଗମ ସହ ଉତ୍ସାହ ଉଦ୍ଦୀପନାରେ ଆଜି ଆରମ୍ଭ ହୋଇଯାଛି । ପ୍ରଥମେ ସହରର ଜଗନ୍ନାଥ ମନ୍ଦିର ଠାରେ ପୂର୍ବରୁ ରଖାଯାଇଥିବା ମଶାଲକୁ ଜ୍ୟୋତିକୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଅପରାହ୍ନ ସମୟରେ ଉତ୍ସବ ସ୍ଥଳ ତଥା ଗଜପତି ଷ୍ଟାଡିୟମକୁ ନିଆଯାଇଥିଲା । ପ୍ରଥମ ରଜନୀରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ତଥା ଗଜପତି ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମୋରିୟମ ରଇତ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍‌. କୁମାର, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଗଜପତି ଜିଲ୍ଲା ଏକ ସଂସ୍କୃତି ସମ୍ପର୍ଣ୍ଣ ସ୍ଥଳୀ ରୂପେ ବିବେଚନା କରି ଏଠାକାର ମାଟିର ମହତ୍ୱ ଗୁଣଗାନ କରିଥିଲେ । ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଲୋକ କଳା ଉତ୍ସବ, କୃଷିମେଳା ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ନୃତ୍ୟଶିଳ୍ପୀ ଯୋଗଦେଇ ଚିତାକର୍ଷକ ଓଡିଶୀ ନୃତ୍ୟ ସମେତ ଲୋକ ନୃତ୍ୟ, ପାରମ୍ପାରିକ ନାଚ ଗୀତ ପରିବେଷଣ କରିଥିଲେ । ମୁଖ୍ୟଅତିଥିଙ୍କ ସମେତ ମଞ୍ଚାସୀନ ଅତିଥିଗଣ ଏହି ଅବସରରେ ଖୋଲାଯାଇଥିବା ପଲ୍ଲିଶ୍ରୀମେଳା ସମେତ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ପରିଦର୍ଶନ କରି ପ୍ରଶଂସା କରିଥିଲେ । ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସୁଅଛି ମଞ୍ଚ ସମେତ ସମଗ୍ର ଷ୍ଟାଡିୟମ । ସାଂସ୍କୃତିକ ଏବଂ ବିଭିନ୍ନ ନାଚ ଗୀତରେ ଦୁଲୁକୁଛି ମଞ୍ଚ ସହ ଅଞ୍ଚଳ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରରେ ଗଜପତି ଜିଲ୍ଲାର ଐତିହ୍ୟ, ସଂସ୍କୃତି, କଳା ଆଦିକୁ ନେଇ ପ୍ରଥମେ ପ୍ରାମାଣିକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହାପରେ ପାରଳାଖେମୁଣ୍ଡି ସହରର “ପଦାମୃତ ନୃତ୍ୟାୟନ”, ପ୍ରସିଦ୍ଧ ପାଇକ ଆଖଡା, ଆସାମର ବିହୁ, ବ୍ରହ୍ମପୁରର ଜୋଡି ଶଙ୍ଖ, ରାଜସ୍ଥାନର ଲୋକ ନୃତ୍ୟ, ବଲାଙ୍ଗିରିର କଶଳ ଏକାଡେମୀ ପକ୍ଷରୁ ଡାଲଖାଇ, ଉତ୍ତର ପ୍ରଦେଶର ଲୋକ ନୃତ୍ୟ, ଗଜପତି ତାଇକୋଣ୍ଡୁ ଏବଂ ମହାରାଷ୍ଟ୍ରର ଲବାଣି ଚିତାକର୍ଷକ ନୃତ୍ୟ ଗୀତ ପରିବେଶଣ ହୋଇଥିଲା । ଯାହାକୁ ନେଇ ଶୀତକାକରରେ ମଧ୍ୟ ଦର୍ଶକ ବା ଶ୍ରୋତା ମାନେ ଭରପୁର ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଏହି ଗଜପତି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପ୍ରବଳ ଜନସମାଗମ ମଧ୍ୟରେ ଏହା ଆଉ ପାଞ୍ଚ ଦିନ ଧରି ଚାଲୁ ରହିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ