‘ଜାତୀୟ ଦଳ’ ମାନ୍ୟତା ଲାଗି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଆପ୍‌


ବେଙ୍ଗାଲୁରୁ: ସରକାରୀ ଜାତୀୟ ମାନ୍ୟତା ପାଇବାରେ ବିଳମ୍ବ ପ୍ରସଙ୍ଗକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ (ପାର୍ଟି )ଆପ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆପ୍‌ କର୍ଣ୍ଣାଟକର ସଂଯୋଜକ ପୃଥ୍ବୀ ରେଡ୍ଡୀଙ୍କ ତରଫରୁ ଏହି ଆବେଦନ କରାଯାଇଛି।

ଆବେଦନରେ କୁହାଯାଇଛି ଯେ ଜାତୀୟ ଦଳ ହେବା ପାଇଁ ଆପ୍‌ ସମସ୍ତ ସର୍ତ୍ତ ପୂରଣ କରିଛି, କିନ୍ତୁ ଏହା ସତ୍ତ୍ୱେ ମାନ୍ୟତା ପାଇବାରେ ବିଳମ୍ବ କାହିଁକି ହେଉଛି? ଏଥର କର୍ଣ୍ଣାଟକ ବିଧାନସଭାରେ ସମସ୍ତ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ଘୋଷଣା କରିଛି। ଏଭଳି ପରିସ୍ଥିତିରେ, ଯଦି ଆମେ ଏକ ଜାତୀୟ ଦଳର ମାନ୍ୟତା ପାଉ, ତେବେ ଏହା ଆମକୁ ବହୁତ ସହାୟକ ହେବ।

ନିକଟରେ ଆପ୍‌କୁ ଜାତୀୟ ଦଳର ମାନ୍ୟତା ଦେବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ଆୟୋଗ ଏହାର ସମୀକ୍ଷା କରୁଛନ୍ତି। ବାସ୍ତବରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଦଳ ପ୍ରାୟ ୧୩ ପ୍ରତିଶତ ଭୋଟ୍ ଏବଂ ପାଞ୍ଚଟି ଆସନ ପାଇଥିଲା, ଏହା ପରେ ଏହା ଏକ ଜାତୀୟ ଦଳର ମାନ୍ୟତା ପାଇଁ ବୈଧ ହୋଇଥିଲା।

ବର୍ତ୍ତମାନ ପଞ୍ଜାବ ଏବଂ ଦିଲ୍ଲୀରେ ଆପ୍‌ ନିଜ ପତିଆରା ବଜାୟ ରଖିଛି। ଦଳ ଗୁଜୁରାଟ, ଗୋଆ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକ ନିର୍ବାଚନ କ୍ଷେତ୍ରରୁ ମଧ୍ୟ ଦଳର ଅନେକ ଆଶା ରହିଛି।

ସୂଚନା ଅନୁଯାୟୀ କର୍ଣ୍ଣାଟକର ସମସ୍ତ ୨୨୪ଟି ଆସନ ପାଇଁ ମେ ୧୦ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଏହାର ଫଳାଫଳ ମେ ୧୩ରେ ପ୍ରକାଶ ପାଇବ। ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନରେ ଶାସକ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ନିର୍ବାଚନୀ ଲଢେଇ ବେଶ୍‌ ଦମ୍‌ଦାର ହେବା ନେଇ ଆଶା କରାଯାଉଛି। ଯଦି ଏହି ଲଢେଇରେ ଆପ୍‌ ଏଣ୍ଟ୍ରି ମାରେ ତେବେ ଏହି ପ୍ରତିଯୋଗିତା ଆହୁରି ଆକର୍ଷଣୀୟ ହୋଇପାରେ ବୋଲି କୁହାଯାଉଛି।