Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୨ରୁ ୧୮ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ : ଲୋକେ ଅତିଷ୍ଠ

କଳାହାଣ୍ଡି,୦୭/୦୧-ଟାଟା ପାୱାରକୁ ବିଦ୍ୟୁତ୍ ବିତରଣ ଓ ପରିଚାଳନା ହସ୍ତାନ୍ତର କରିବା ଦିନଠାରୁ ସ୍ଥିତିରେ ସୁଧାର ଆସିବା ତ ଦୂରର କଥା, ବରଂ ଲୋକେ ବିଦ୍ୟୁତ୍ ସେବାରୁ ଏକ ପ୍ରକାର ବଞ୍ଚିତ ହେବା ପରିସ୍ଥିତିରେ ପହଞ୍ଚିଗଲେଣି । ଏହିପରି ପରିସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ଗୋପାଳପୁର, ଭାଲୁଚଞ୍ଚରା ଓ ପାଟଭାଲେର ଗାଁର ତିନି ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାର ଉପରୁ ସଂପୂର୍ଣ୍ଣ ଭାବେ ଭରସା ତୁଟାଇସାରିଲେଣି । ଟିପିଡବ୍ଲ୍ୟୁଡିଏଲ୍ ଅଧୀନରେ ଥିବା ନର୍ଲା ଉପଖଣ୍ଡ, ଶାନ୍ତପୁର ସେକ୍ସନର ଏହି ତିନୋଟି ଗାଁରେ ଅଘୋଷିତ ବିଦ୍ୟୁତ୍ କାଟ ଏକ ସାଧାରଣ ଘଟଣା ପାଲଟିଥିବାବେଳେ ମାସ ମାସ ଧରି ବିଦ୍ୟୁତ୍ କାଟ ହେଉଛି କିନ୍ତୁ ବିଭାଗ କିମ୍ବା ବିତରକ କଂପାନୀ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ । ଦିନକୁ ୧୨ରୁ ୧୮ ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ହେଉଥିବାବେଳେ ସନ୍ଧ୍ୟା ନହେଉଣୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଉଛି । ଦିନ ତମାମ ମଧ୍ୟ ବିଦ୍ୟୁତ୍ କାଟ ହେଉଥିବାବେଳେ ଏହି ତିନୋଟି ଗାଁର ବୃଦ୍ଧବୃଦ୍ଧାଙ୍କଠାରୁ ଆରମ୍ଭ କରି ସ୍କୁଲ ଓ କଲେଜ ପଢୁଆ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟୁତ୍ କାଟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଲଗାତାର ବିଦ୍ୟୁତ୍ କାଟ ଯୋଗୁଁ ତିନୋଟି ଗାଁରେ ରାତି ରାତି ଧରି ଅନ୍ଧାରର ରାଜୁତି ଚାଲିଥିବାବେଳେ ଜଙ୍ଗଲ ନିକଟରେ ଥିବା ଅଞ୍ଚଳବାସୀଙ୍କ ପାଇଁ ଜଙ୍ଗଲୀ ଜୀବଜନ୍ତୁ, ସାପ ଆଦି ବିଷାକ୍ତ ସରୀସୃପର ଭୟ ସର୍ବଦା ଲାଗିରହିଛି । ସେହିପରି ତିନୋଟି ଗାଁରେ ଅନ୍ଧାରର ସୁଯୋଗ ନେଇ ଚୋର ଓ ଅସାମାଜିକ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ଏପରିକି ଆଗକୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଥିବାବେଳେ ବିଦ୍ୟୁତ୍ କାଟ ଯୋଗୁଁ ଅନ୍ଧାର ନୁହେଁ ସତେ ଯେମିତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରିଦିଆଯାଉଥିବା ନେଇ ଅଭିଯୋଗ ହେଉଛି । ସପ୍ତାହ ସପ୍ତାହ, ମାସ ମାସ ଧରି ବିଦ୍ୟୁତ୍ କାଟ କରାଯାଉଥିବାବେଳେ ଗ୍ରାହକମାନଙ୍କ ନାମରେ କିନ୍ତୁ ବିନା ବିଦ୍ୟୁତ୍ ଯୋଗାଣରେ ବି ହଜାର ହଜାର ଟଙ୍କାର ଫଲ୍ସ ବିଲ୍ ଧରାଇ ଦିଆଯାଉଛି । ବିଦ୍ୟୁତ୍ ବିଲ୍ ପଇଠ ନକଲେ ସଂଯୋଗ ବିଚ୍ଛିନ୍ନ କରିଦିଆଯିବାକୁ ଚେତାବନୀ ଦିଆଯାଉଛି । ଏପରିସ୍ଥଳେ ମାସ ମାସ ଧରି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଦୁର୍ଦ୍ଦଶାର ଘୋର ଅନ୍ଧାର ମଧ୍ୟରେ କାଳ କାଟୁଥିବା ଏହି ତିନୋଟି ଗାଁର ଶତାଧିକ ଉପଭୋକ୍ତା ବିଦ୍ୟୁତ୍ ସେବା ନପାଇ ବି କେମିତି ବିଲ୍ ପଇଠ କରିବେ କୁଳକିନାରା ପାଉନାହାନ୍ତି । ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ, ବାରାହା ଶିକାରୀଙ୍କୁ ରୋକିବାକୁ ବିଦ୍ୟୁତ୍ କାଟ କରାଯାଉଛି ବୋଲି ବିଦ୍ୟୁତ୍ ବିଭାଗ ପକ୍ଷରୁ ସଫେଇ ଦିଆଯାଉଥିବାବେଳେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଳିତ ଭାବେ ରାତି ପେଟ୍ରୋଲିଂ କରାଯିବା ବଦଳରେ ବିଦ୍ୟୁତ୍ କାଟ କରି ଗ୍ରାହକମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିନା ବିଦ୍ୟୁତ୍ ଯୋଗାଣରେ ହଜାର ହଜାର ଟଙ୍କାର ଏରିୟର ଓ ମାତ୍ରାଧିକ ପରିମାଣର ଫଲ୍ସ ବିଲକୁ ନେଇ ଲୋକେ କ୍ଷୋଭ ପ୍ରକାଶ କରିବା ସହିତ ବିଦ୍ୟୁତ୍ ବିଭାଗ ଯଦି ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନେଇପାରୁନାହିଁ, ତେବେ ସବୁଦିନ ପାଇଁ ତିନୋଟି ଗାଁରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେବାକୁ ହତାଶ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ସେହିପରି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ସହିତ ତିନୋଟି ଗାଁର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।