Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ଉଦଘାଟିତ ହେବ ୨୬ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ : ସହିଦ ରେଣ୍ଡୋ ମାଝୀ ମଂଚ ପାଲଟିବ ପାଞ୍ଚ ହଜାର କଳାକାରଙ୍କ ମହାମିଳନସ୍ଥଳୀ

କଳାହାଣ୍ଡି,୧୩/୦୧-ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖ ସକାଳୁ ୨୬ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଶୁଭାରମ୍ଭ ହେବ। ଜିଲ୍ଲାର ବିଭିନ୍ନ ପବିତ୍ର ପୀଠରୁ ଆସିଥିବା ମଶାଲ ସବୁ ଗାନ୍ଧୀ ଛକରେ ଏକତ୍ରିତ ହେବା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହିତ ଉତ୍ସବ ସ୍ଥଳ ସହିଦ ରେଣ୍ଡୋ ମାଝୀ ମଂଚକୁ ଯିବେ। ସେଠାରେ ମଶାଲ ସ୍ଥାପନ ପରେ ଉତ୍ସବର ବିଧିବଦ୍ଧ ଭାବେ ଉଦଘାଟନ କରାଯିବ। ଏହି ଅବସରରେ ମଂଚ ଉଦ୍‌ଘାଟନ, ଉଦ୍‌ଘାଟନୀ ସଭା ପରେପରେ ସହିଦ ରେଣ୍ଡୋ ମାଝୀ ମଂଚ ଓ ପାରବା ମଂଚରେ ଆରମ୍ଭ ହେବ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ସେହିପରି ଉତ୍ସବ ସ୍ଥଳ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ସ୍ଥାପିତ ଆକର୍ଷଣୀୟ ଷ୍ଟଲ ସହିତ ହସ୍ତଶିଳ୍ପ ମେଳା, ବିଭିନ୍ନ ପ୍ରାୟୋଜକମାନଙ୍କ ପ୍ରଦର୍ଶନୀ ଆଦି ଲକ୍ଷଲକ୍ଷ ଜନସାଧାରଣଙ୍କ ପାଇଁ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିବ। ଚାରିଦିନ ବ୍ୟାପି ହେବାକୁ ଥିବା ମହୋତ୍ସବ ଅବସରରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ କଳାକାରଙ୍କ ସମାଗମ ହେବା ସହିତ ଦଶଲକ୍ଷରୁ ଅଧିକ ଜନସମାଗମ ହେବ ବୋଲି ଏକ ଆକଳନରୁ ଜଣାପଡିଛି। ସେହିପରି କବି ସମ୍ମିଳନୀ, ସେମିନାର ଓ ଆଲୋଚନା ଚକ୍ର ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ବିଭିନ୍ନ ଦିନମାନଙ୍କରେ ଆୟୋଜିତ ହେବାର ସୂଚନା ରହିଛି । ସେହିପରି ମନୋରଞ୍ଜନ ଉପରେ ଗୁରୁତ୍ୱ ଦିଆଯାଇ ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ ଗାୟକ ସର୍ବେଶ୍ୱର ଭୋଇ, ଦ୍ୱିତୀୟ ସନ୍ଧ୍ୟାରେ ରକଷ୍ଟାର ରୁକୁ ସୁନା, ତୃତୀୟ ସନ୍ଧ୍ୟାରେ ସିମ୍ଫୋନୀ କାର୍ଯ୍ୟକ୍ରମ ଏବଂ ଚତୁର୍ଥ ତଥା ଅନ୍ତିମ ସାଂସ୍କୃତିକ ସନ୍ଧ୍ୟାରେ ମଧ୍ୟ ପଶ୍ଚିମ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତର ମହାସଙ୍ଗମ ଘଟିବ। କଳା, ସଂସ୍କୃତି, ପରମ୍ପରାର ଏଇ ନିଆରା ମହୋତ୍ସବକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ବିଭାଗ ସମେତ ବିଭିନ୍ନ ଉପକମିଟିଗୁଡିକ ସର୍ବାଦୌ ଉଦ୍ୟମ ଜାରି ରଖିଛନ୍ତି। ଉଦ୍‌ଘାଟନୀ ଉତ୍ସବ ଦିନ ରବିବାର ଥିବାରୁ ପ୍ରଥମ ଦିନରୁ ହିଁ ଜନସମାଗମ ଆଶାତୀତ ହେବ ବୋଲି ଆକଳନ କରାଯାଉଥିବାବେଳେ କଳାହାଣ୍ଡି ପୁଲିସ, ଅଗ୍ନିଶମ ବାହିନୀ, ବିଶ୍ୱ ବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ୍ ଓ ବହୁସଂଖ୍ୟକ ସ୍ୱେଚ୍ଛାସେବୀ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ