Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଆଘାତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା : ଶକ୍ତି ସଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର ଆୟୋଗ

କଳାହାଣ୍ଡି,୧୩/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମେଡିକାଲ ଛକ ନିକଟରେ ବିଦ୍ୟୁତ ଆଘାତରେ ବିଶ୍ୱନାଥପୁର କଲୋନୀପଡାର ରାମେଶ୍ୱର ସାହୁଙ୍କ ମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଗତ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ବିଶ୍ୱନାଥପୁର-ଲାଞ୍ଜିଗଡ ରାସ୍ତା କାମ ଚାଲିଥିବା ଓ ରାସ୍ତା କଡ ଗଛ ସବୁ କଟା ଚାଲିଥିବାବେଳେ ସେଥିରୁ ଜାଳ କାଠ ସଂଗ୍ରହ ପାଇଁ ବିଶ୍ୱନାଥପୁର କଲୋନୀପଡାର ରାମେଶ୍ୱର ସାହୁ ରାସ୍ତାକଡକୁ ଯାଇଥିଲେ । କିନ୍ତୁ ରାସ୍ତା କଡ ଦେଇ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାର ଯାଇଥିବାବେଳେ ଗଛକଟା ଚାଲିଥିଲେ ହେଁ ବିଦ୍ୟୁତ୍ ବିଭାଗ ବିଦ୍ୟୁତ କାଟ କରିନଥିଲା । ଫଳରେ ଅସାବଧାନତାବଶତଃ କାଠ ସଂଗ୍ରହ ସମୟରେ ରାମେଶ୍ୱରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ତେବେ ନିଜର ତୃଟି ଧରା ପଡିବା ଭୟରେ ବିଦ୍ୟୁତ ବିଭାଗ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ସେହିପରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲାର ଜଣେ ଆଗଧାଡିର ମାନବାଧିକାର କର୍ମୀ ତଥା ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ । ଏପରିକି ମୃତ ରାମେଶ୍ୱର ସାହୁ ଜଣେ ଗରିବ ବ୍ୟକ୍ତି । ତାଙ୍କ ପତ୍ନୀ ଶାରୀରିକ ଭାବେ ଅକ୍ଷମ ଥିବାବେଳେ ପୁଅ ନାବାଳକ ଓ ତାଙ୍କ ଉପରେ ନିର୍ଭରଶୀଳ ଜଣେ ବିଧବା ଝିଅ ଅଛନ୍ତି । ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ଏଣୁ ବିଦ୍ୟୁତ ବିଭାଗ, ପିଡବ୍ଲ୍ୟୁଡି ବିଭାଗ, ସଂପୃକ୍ତ ଠିକା ସଂସ୍ଥାର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ଶ୍ରୀ ବାଗ । କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଜଣେ ମାନବାଧିକାର କର୍ମୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବାଗ ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ସହିତ ଏହି ବେସାହାରା ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି କରିଥିଲେ । ଏପରିକି ଏହି ମାମଲାରେ ଶକ୍ତି ସଚିବ, ବିଦ୍ୟୁତ୍ ବିଭାଗ ତଥା ଟାଟା ପାୱାରର ମୁଖ୍ୟ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ, ପିଡବ୍ଲ୍ୟୁଡି ବିଭାଗର ମୁଖ୍ୟ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ ତଥା କାର୍ଯ୍ୟକାରୀ ସଂସ୍ଥା ଠାକୁର ବିଲ୍ଡଟେକକୁ ପକ୍ଷଭୁକ୍ତ କରିଥିଲେ । ଏହାକୁ ଜାତୀୟ ମାନବାଧିକାର କମିଶନ ଗ୍ରହଣ କରିବା ସହିତ କେସ୍ ନଂ ୨୭୧୯/୧୮.୦୬.୨୦୨୩ରେ ଏକ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ଓ ହସ୍ତକ୍ଷେପ କରିବା ପାଇଁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୃତ ରାମେଶ୍ୱରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବେ ସାମ୍ନାକୁ ଆସିଥିବାବେଳେ ଏଥିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି । ଯାହା ଏବେ ବିଦ୍ୟୁତ୍ ବିଭାଗର ଅଡୁଆ ବଢାଇଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ