ଧର୍ମେନ୍ଦ୍ରଙ୍କ ତେରଚ୍ଛା ବାଣ- ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଛୁଇଁ କୁହନ୍ତୁ, ହିଞ୍ଜିଳିରୁ କେହି ଦାଦନ ଯାଇ ନାହାନ୍ତି


ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ନେତା ଓ କର୍ମୀଙ୍କ ଦଳ ଅଦଳ ବଦଳ ପର୍ବ ଆରମ୍ଭ ହୋଇ ଯାଇଛି । ତାହା ସହ ନେତାଙ୍କ ତୁଣ୍ଡ ମଧ୍ୟ ଶାଣିତ ହେବାରେ ଲାଗିଛି । ଏହି କ୍ରମରେ ବିଜେପି ଅଫିସରେ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଡା ସମାଲୋଚନା । ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ କଲେ ଟାର୍ଗେଟ୍ । ଧର୍ମେନ୍ଦ୍ର କହିଛନ୍ତି, ଏନସିଆରଟି ରିପୋର୍ଟରେ ଓଡିଶାର ସ୍ଥିତି ଅତ୍ୟନ୍ତ ଖରାପ । ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠୁ ଖରାପ ୩ ରାଜ୍ୟ ଭିତରେ ରହିଛି ଓଡିଶା ।

ଧର୍ମେନ୍ଦ୍ର କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡର କୌଣସି ଉତର ମିଳିଲା ନାହିଁ । ଆପଣଙ୍କ ବଡପଣ୍ଡାମାନେ ମମିତାଙ୍କୁ ମାରି ପୋତିଦେଲେ । ଅଭିଯୁକ୍ତର ଜେଲରେ ମୃତ୍ୟୁ ଘଟିଲା । ଧରା ପଡିବା ଭୟରେ ସବୁ ପ୍ରମାଣ ହଟାଇ ଦିଆଗଲା । ଭଟଲି ଅଂଚଳରେ ଥାନାରେ ପଶି ପୋଲିସକୁ ମାଡ ମରାଗଲା । କାର୍ଯ୍ୟାନୁଷ୍ଠାନ ଶୂନ । ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ ଗୃହମନ୍ତ୍ରୀ, ଏହାର ଉତର ତ ଦିଅନ୍ତୁ । ଏସବୁ ସତ୍ୱେ ବିରୋଧୀ ଅନ୍ଧପୁଟୁଳି ବାନ୍ଧିଛନ୍ତି କହିଲେ ଲୋକେ ଏହାର ଜବାବ ଦେବେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଜାତନ୍ତ୍ରରେ ଲୋକେ ଅହଙ୍କାରକୁ ବରଦାସ୍ତ କରିବେ ନାହିଁ । ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କଠାରୁ ମୋର ସାର୍ଟିଫିକେଟ୍ ଦରକାର ନାହିଁ । ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଛୁଇଁ କହନ୍ତୁ ଯେ, ହିଞ୍ଜିଳିରୁ କେହି ଦାଦନ ଯାଇ ନାହାନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ସ୍ଥିତି ଯଦି ଏମିତି ତେବେ ରାଜ୍ୟରୁ କେତେ ଦାଦନ ଯାଉଛନ୍ତି ବୋଲି ଧର୍ମେନ୍ଦ୍ର କଡା ଶବ୍ଦରେ ସମାଲୋଚନା କରି କହିଛନ୍ତି ।