ପିଏମ ମୋଦୀଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହେବେନି କେସିଆର, ବିମାନ ବନ୍ଦରରେ ସ୍ଵାଗତ ବି କରିବେ ନାହିଁ


ହାଇଦ୍ରାବାଦ: ଆଜି ତେଲେଙ୍ଗାନାକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଅପରାହ୍ନର ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ପ୍ରଧାନମନ୍ତ୍ରୀ ୧୧ ହଜାର ୩୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ୍ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହେବେ ନାହିଁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେଗମପେଟ ବିମାନ ବନ୍ଦରରେ ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆର ସ୍ଵାଗତ କରିବେ ନାହିଁ। ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବି ସେ ଯୋଗ ଦେବେ ନାହିଁ। ପ୍ରୋଟୋକଲ ଅନୁଯାୟୀ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ଦିଆଯାଇଥିଲା। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ନିକଟସ୍ଥ ଏମ୍ସ ବିବିନଗର ଏବଂ ପାଞ୍ଚଟି ଜାତୀୟ ରାଜମାର୍ଗ ପ୍ରକଳ୍ପର ଶିଳାନ୍ୟାସ୍ କରିବେ। ଏଥିସହ ରେଲଓ୍ଵେ ସଂପର୍କିତ ଅନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ରାଷ୍ଟ୍ରକୁ ସମର୍ପିତ କରିବେ।

ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ତେଲେଙ୍ଗାନାରେ ଆରମ୍ଭ ହେଉଥିବା ଏହା ହେଉଛି ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନ। ଏହା ହାଇଦ୍ରାବାଦକୁ ତିରୁପତି ସହର ସହ ସଂଯୋଗ କରିବ। ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହେଲେ ଦୁଇ ସହର ମଧ୍ୟରେ ଯାତ୍ରା ସମୟ ପାଖାପାଖି ସାଢେ ତିନି ଘଣ୍ଟା ହ୍ରାସ ଘଟିବ। ତେବେ ଏହି ସବୁ କାର୍ଯ୍ୟକ୍ରମରୁ ଦୂରେଇ ରହିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେସିଆରଙ୍କ ବିଆରଏସ ସମ୍ମୁଖରେ ବର୍ତ୍ତମାନ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ହେଉଛି ବିଜେପି। ରାଜ୍ୟରେ ଦୁଇ ଦଳ ମଧ୍ୟରେ ତିକ୍ତତା ଚରମରେ ରହିଛି। ସେହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯିବାକୁ ଉଚିତ୍ ମଣି ନଥିବା ଚର୍ଚ୍ଚା ହେଉଛି।