Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଅନ୍ତୁ, ସମସ୍ୟାର ସମାଧାନ ନହେଲେ ମୁଁ ଛାଡିବି ନାହିଁ: ସିଜେଆଇ

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଫିସରଙ୍କ ପ୍ରତି କେମିତି ଭେଦଭାବ କରାଯାଉଛି, ତାହା ଜାଣିବା ପରେ ସ୍ତବ୍ଧ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ। ପ୍ରଧାନ ବିଚାରପତି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଚେତାବନୀ ଦେଇ କହିଛନ୍ତି, ପ୍ରଥମେ ନିଜ ଘର ସଜାଡନ୍ତୁ, ନଚେତ୍ କିଛି ଭଲ ହେବ ନାହିଁ। ସିଜେଆଇ ମହିଳା ଅଫିସରଙ୍କ ପ୍ରତି ହେଉଥିବା ଭେଦଭାବ ବିଷୟରେ ଜାଣିବା ପରେ ଏମିତି କ୍ଷୁବ୍ଧ ହୋଇ ଉଠିଛନ୍ତି ଯେ, ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ଭାବେ ତାଗିଦ୍ କରିଛନ୍ତି।

ପ୍ରଧାନ ବିଚାରପତି ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି, ସେନାରେ ସର୍ବୋଚ୍ଚ ସ୍ଥାନରେ ବସିଥିବା ବ୍ୟକ୍ତିଙ୍କୁ ଜଣାଇ ଦିଅନ୍ତୁ ଯେ, ଯଦି ଆମ ନିଷ୍ପତ୍ତିକୁ ଅଣଦେଖା କରିବାକୁ ଉଦ୍ୟମ କରାଯାଏ ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଉଲ୍ଲେଖନୀୟ ଶୁଣାଣି ସମୟରେ ସିଜେଆଇଙ୍କୁ ଅବଗତ କରାଗଲା ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ଵେ ମହିଳା ଅଫିସରଙ୍କ ପଦୋନ୍ନତିକୁ ଅଣଦେଖା କରିବା ପାଇଁ ନୂତନ ନିୟମ ପ୍ରଣୟନ କରାଯାଇଛି। ଏହି କାରଣରୁ ମହିଳା ଅଫିସରଙ୍କୁ ପଦୋନ୍ନତି ମାମଲାରେ ପୁରୁଷ ଅଫିସରଙ୍କଠୁ ସର୍ବଦା ପଛରେ ରହିବାକୁ ପଡୁଛି। ପ୍ରଧାନ ବିଚାରପତି ଏହା ଜାଣି ଆଚମ୍ବିତ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏବେ ଆମେ କେବଳ ନୋଟିସ୍ ଦେଉଛୁ। ଏ ସମସ୍ୟାର ସମାଧାନ ନହେଲେ ଆପଣଙ୍କୁ ଉଚିତ୍ ଶିକ୍ଷା ଦେବାରେ ଆମେ କୁଣ୍ଠାବୋଧ କରିବୁ ନାହିଁ ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରରଚୂଡ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଉଚ୍ଚପଦସ୍ଥ ଅଧିକରୀଙ୍କୁ ସବୁ କିଛି ଠିକ୍ କରିବାକୁ କହି ଦିଅନ୍ତୁ। ନଚେତ୍ ଆମେ ଅବମାନନା କାର୍ଯ୍ୟାନୁଷ୍ଠାନ ନେବୁ। ପରବର୍ତ୍ତୀ ଶୁଣାଣିରେ ଯଦି ଆପଣ ଆଉ କିଛି କହି ଭ୍ରମିତ କରିବାକୁ ଉଦ୍ୟମ କରନ୍ତି, ଆମେ ଆପଣଙ୍କୁ କାମ କରିବାର ସଠିକ୍ ତରିକା ଜଣାଇ ଦେବୁ। ସିଜେଆଇ ସୁପ୍ରିମକୋର୍ଟଙ୍କ ପୂର୍ବର ନିଷ୍ପତ୍ତି ଉଲ୍ଲେଖ କରି କହିଛନ୍ତି, ଆପଣ ଆମ ଆଦେଶକୁ ମାନୁ ନାହାନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ସିଜେଆଇ ସଲିସିଟର ଜେନେରାଲଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସିଜେଆଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେବି ପାରଦିଓ୍ଵାଲାଙ୍କ ପୀଠ ସେନାରେ ମୁତୟନ ମହିଳା ଅଫିସରଙ୍କ ଯାଚିକା ଉପରେ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାଚିକାରେ କୁହାଯାଇଛି ଯେ, ନିଃସନ୍ଦେହ ଭାରତୀୟ ସେନା ମହିଳାଙ୍କୁ କମିଶନ ଅଫିସର ପଦରେ ନିଯୁକ୍ତ କରୁଛି। ମାତ୍ର ପ୍ରମୋସନ ଏବଂ କମାଣ୍ଡ ପୋଷ୍ଟିଂରେ ଭେଦଭାବ କରାଯାଉଛି। ମହିଳା ଅଫିସରଙ୍କ କହିବା କଥା ଏସିଆର ନିୟମରେ କାଣ୍ଟଛାଣ୍ଟ କରି ସେମାନଙ୍କ ସହ ଭେଦଭାବ କରାଯାଉଛି। ପ୍ରମୋସନ ମାମଲାରେ ପୁରୁଷ ଅଫିସରଙ୍କୁ ମହିଳା ଅଫିସର ଉପରେ ଅଗ୍ରାଧିକାର ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ