Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚର୍ଚ୍ଚାରେ ତାରାଙ୍କ ବୋବାଲିଆ ଚୁମା ଓ ଜାଲ ଫେସବୁକ୍ ଆଇଡି

କଳାହାଣ୍ଡି,୨୫/୦୧-କଳାହାଣ୍ଡିରେ କଂଗ୍ରେସର ହୁଙ୍କାର ଜନସଭାରେ ଦଳର ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ଭାଷଣ ଦେବାର ୨୪ ଘଣ୍ଟା ନପୁରୁଣୁ ବିଜେଡି-ବିଜେପିର ବାହାଘର କାର୍ଡ ଛାପି ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି କଂଗ୍ରେସ। ମୋବାଇଲକୁ ମୋବାଇଲରୁ ଘୁରି ବୁଲୁଥିବା ବାହାଘର କାର୍ଡ ସହିତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଚୁମା ଓ ତାଙ୍କ ନାମରେ ଜାଲ ଫେସବୁକ୍ ଏକାଉଣ୍ଟ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଗତକାଲି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଦଳରେ ସାମିଲ ହେବା ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଯେତିକି ଆଗ୍ରହର ବିଷୟ ଥିଲା। ତା’ଠୁ ଅଧିକ ରୋଚକ ଥିଲା ମଞ୍ଚରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଭଳି ନିଜ ବେବାକ କଥା- ଭାଷା ପାଇଁ ସାରା ଓଡିଶାରେ ଚର୍ଚ୍ଚିତ ଦଳର ଫାୟାର ବ୍ରାଣ୍ଡ ନେତା ତାରା ଏଇଠି ବି ସଭା ମଞ୍ଚରେ ଛାଇଯାଇଥିଲେ। ଦଳର ନେତା, କର୍ମୀଙ୍କ ପରି ମଞ୍ଚ ତଳେ ଥିବା ଅନେକ ସାମ୍ବାଦିକ ମଧ୍ୟ ଭାଲୁ ଭାଇନାଙ୍କ ଉପରେ ନଜର ରଖିଥିଲେ। ହେଲା ବି ସେଇୟା। ନିଜ ଭାଷଣ ଛଳରେ ନାନାକେ, ଲଗାତାଳି, ମାଡିଚାଲ ବୋଲି କହିବାକୁ ଲୋକେ ବେଶ୍ ଉପଭୋଗ କରିଥିଲେ। ତେବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲା ଦଳରେ ସାମିଲ ହେବା ଘୋଷଣା ପରେ ବଳଭଦ୍ରଙ୍କୁ ସେ ଦେଇଥିବା ବୋବାଲିଆ କିସ୍। ଯାହା, ସାରା ରାଜ୍ୟର ଗଣମାଧ୍ୟମ ସହିତ ବିଭିନ୍ନ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଏହାକୁ ନେଇ କିଛି ରାଜନୈତିକ ବିଶ୍ଲେଷକଙ୍କ କହିବା କଥା ହେଲା, ବଳଭଦ୍ର ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଓ ପାଞ୍ଚ ଥରର ବିଧାୟକ ହୋଇଥିବାବେଳେ ତାରା ବି କଂଗ୍ରେସର ପୁରୁଖା ନେତା। ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଭାବେ ଏକାଧିକବାର ମୁହାଁମୁହିଁ ବି ହୋଇଥିବେ। ସେହିପରି ଉଭୟଙ୍କ ମଧ୍ୟରେ ବନ୍ଧୁତା ବି ରହିଛି। ଯାହାଫଳରେ ଗୋଟିଏ ମଞ୍ଚ, ଗୋଟିଏ ଦଳରେ ଦୁହେଁ ଏକାଠି ରହିବା ଆନନ୍ଦରେ ଆତ୍ମହରା ତାରାବାବୁ ବଳଭଦ୍ରଙ୍କୁ ଭିଡି ଧରି ବୋବାଲିଆ ଚୁମାଟେ ଦେଇଦେଲେ। ତେବେ ସେଇଠି କଥା ସରିନାହିଁ। ବିଶେଷ କରି ଅନ୍ୟ ରାଜନେତା ଭଳିଆ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ରହୁନଥିବା ତାରାବାବୁ କିନ୍ତୁ ଦୀର୍ଘ ମାସେରୁ ଅଧିକ ସମୟ ହେଲା ସଙ୍କଟରେ ପଡିଛନ୍ତି। ତାଙ୍କ ନାମରେ ଖୋଲାଯାଇଥିବା ଫେସବୁକ୍ ଏକାଉଣ୍ଟକୁ କେହି ଦୁବୃର୍ତ୍ତ ହ୍ୟାକ୍ କରିନେଇଛି । ଏପରିକି ସେଇ ଏକାଉଣ୍ଟରେ ଲଗାତାର ଭାବେ ନଗ୍ନ, ଅର୍ଦ୍ଧନଗ୍ନ ଯୁବତୀ ଓ ବାରମ୍ବାର ଅଶ୍ଲୀଳ ଫଟୋ ଓ ଭିଡିଓ ଫେସବୁକ୍ ଷ୍ଟୋରୀରେ ଦେଖାଉଛି। କିନ୍ତୁ କେଜାଣି କାହିଁକି ଆଜି ପର୍ଯ୍ୟନ୍ତ ତାକୁ ରୋକାଯାଇନାହିଁ। ଏ ସଂପର୍କରେ ସେ ଅବଗତ ଅଛନ୍ତି କି ନାହିଁ ଜଣାନାହିଁ କିମ୍ବା ତାଙ୍କ ନାମରେ କେହି ଫେକ୍ ଏକାଉଣ୍ଟ ଖୋଲି ଏପରି ତାଙ୍କୁ ବଦନାମ କରିବାକୁ ଅପଚେଷ୍ଟା ଚଳାଇଛି। ତାହା ବି ଜଣାପଡିନାହିଁ । ତେବେ ଗତକାଲି ତାରାଙ୍କ ଭାଷଣ, ତାଙ୍କ ବୋବାଲିଆ ଚୁମା ଭଳି ତାଙ୍କ ଫେସବୁକ୍ ଏକାଉଣ୍ଟ ହ୍ୟାକ୍ ହେବା ବି ସଭାରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ