Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକଙ୍କ ପାଇଁ କାର୍ଯ୍ୟକ୍ରମ, ଲୋକେ ବେଖବର : ଲାଞ୍ଜିଗଡ ବ୍ଲକରେ ବାଟବଣା ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୨୭/୦୧-ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ପାଇଁ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ହେଲା ଯେଉଁ ଲୋକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଅନ୍ଧାରରେ ରଖାଯାଉଛି। ଯାହା ଫଳରେ ଲୋକେ ବିଭିନ୍ନ ସରକାରୀ ଯୋଜନାର ସୂଚନା ପାଇବା ସହିତ ସଚେତନତା ହେବାରୁ ବଂଚିତ ହେଉଛନ୍ତି। ଏପରି ଅବ୍ୟବସ୍ଥା ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଂଚାୟତରେ ହେଉଥିବା ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଫସର ଫାଟୁଛି। ବ୍ଲକର କେତେକ ପଂଚାୟତକୁ ଛାଡିଦେଲେ ଅନ୍ୟ ସବୁ ପଂଚାୟତରେ ବାରମ୍ବାର ଏହି କାର୍ଯ୍ୟକ୍ରମର ଆୟୋଜନ ତାରିଖ ବଦଳୁଥିବାବେଳେ ଲୋକେ ସଠିକ ଭାବେ ସୂଚନା ପାଇବାରୁ ବଂଚିତ ହେବା ଦେଖିବାକୁ ମିଳିଛି। ପଂଚାୟତସ୍ତରୀୟ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରତି ପଂଚାୟତକୁ ଦୁଇ ଲକ୍ଷ ଟଙ୍କାର ଅନୁଦାନ ଆସିଥିବାବେଳେ ତଥାପି ପଂଚାୟତ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେତେ ଆଗ୍ରହ ଦେଖାଉନାହାନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଉଛି ସତ କିନ୍ତୁ କିଛି ପଂଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ତାରିଖ ପରେ ତାରିଖ ବଦଳୁଛି ସିନା ଫଳ ମିଳୁନି। ଗତ ୨୦୧୯ ନିର୍ବାଚନ ପୂର୍ବରୁ ପିଠା ଯୋଜନା ଭଳି ଏହା ତାର ପରିବର୍ଦ୍ଧିତ ରୂପ ଵୋଲି କୁହାଯାଉଥିବାବେଳେ ରାଜ୍ୟ ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ଯୋଜନାକୁ ଭଣ୍ଡୁର କରିବାକୁ କିଛି ନିର୍ବାହୀ ଅଧିକାରୀ ସତେ ଯେମିତି ଅଣ୍ଟା ଭିଡିଛନ୍ତି ବୋଲି ଅଭିଯୋଗ ହେଉଥିବାବେଳେ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏପରିକି କିଛି ପଂଚାୟତ ନାମକୁ ମାତ୍ର ଆୟୋଜନ ଦେଖାଇ ବିଲ ଭାଉଚର ଦେଖାଇବା ଚକ୍କରରେ ଥିବା ଅଭିଯୋଗ ମଧ୍ୟ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ଶ୍ରୀ ଜଗନ୍ନାଥ ଅର୍ପଣ ରଥ ବୁଲାଇବାକୁ ଆସିଥିବା ଦୁଇ ଲକ୍ଷ ଟଙ୍କାକୁ ଯେମିତି କିଛି ପଂଚାୟତ ହେରଫେର କରିବାକୁ ପଛାଇ ନଥିଲେ ଏବେ ଆମ ଓଡିଶା, ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରୁ ମଧ୍ୟ ନିଜ ପକେଟ ଗରମ କରିବାକୁ ସେମାନେ ଉଦ୍ୟମ ଆରମ୍ଭ କରିଦେଇଥିବା ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନନେଲେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ପାଇଁ ସଜବାଜ ହେଉଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ସେହିପରି ଲାଞ୍ଜିଗଡ ବ୍ଲକ ସମେତ ବିଭିନ୍ନ ପଂଚାୟତକୁ ଆସିଥିବା ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଓ ଆମ ଓଡିଶା ନବୀନ ଓଡିଶା ଅର୍ଥ ଅନୁଦାନ ଓ ବ୍ୟୟବରାଦର ଏକ ସ୍ୱତନ୍ତ୍ର ଅଡିଟ କରାଇବାକୁ ସାଧାରଣରେ ଦାବି ହେଉଛି। ସେହିପରି ବ୍ଲକରେ ଉଭୟ ଯୋଜନାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ସୂଚନା ଅଧିକାର ଆଇନରେ ଖୁଲାସା କରିବାକୁ କିଛି ସୂଚନା କର୍ମୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ