ଲାଞ୍ଜିଗଡ ବିଡ଼ିଓଙ୍କ ବଦଳି ବାତିଲ ଦାବି : ଜିଲ୍ଲାପାଳଙ୍କୁ ଭେଟିଲେ ସମିତି ଓ ସରପଞ୍ଚ ସଙ୍ଘର କର୍ମକର୍ତା


କଳାହାଣ୍ଡି,୨୭/୦୧-କାର୍ଯ୍ୟରେ ଯୋଗଦେବାର ଦୁଇମାସ ନପୂରୁଣୁ ବାହାରିଛି ବଦଳି ନିର୍ଦ୍ଦେଶ। ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ପ୍ରଶାସନିକ ଅଧିକାରୀମାନେ ସୁରଖୁରୁ ଭାବେ ନିର୍ବାଚନ ପରିଚାଳନା କରିବାକୁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି। ଏପରିକି ପର୍ଯ୍ୟାୟ କ୍ରମେ ନିର୍ବାଚନ ଅଧିକାରୀମାନଙ୍କ ପ୍ରସ୍ତୁତି ଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବିଶେଷ କରି ବିଡିଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଉପରେ ରହିଛି ଗୁରୁଦାୟିତ୍ୱ। ତେବେ ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ରାଜ୍ୟର ୧୧୧ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ଏହିପରି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଳି ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ବ୍ଲକରେ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଶଶାଙ୍କ ପାତ୍ରଙ୍କ ହଠାତ ବଦଳି ନିର୍ଦେଶ ବାହାରିଯିବାରୁ ପ୍ରଶାସନିକ ସ୍ତରରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ଦେଖାଦେଇଛି। ଦୁଇ ମାସ ପୂର୍ବରୁ ଲାଞ୍ଜିଗଡ ବ୍ଲକରେ ବିଡ଼ିଓ ଭାବେ ଯୋଗ ଦେଇଥିବାବେଳେ ଠିକ ଭାବରେ ବ୍ଲକର ପ୍ରଶାସନିକ ଦାୟିତ୍ୱ ସମ୍ଭାଳିବା ଆଗରୁ ତାଙ୍କୁ ବଦଳି ପାଇଁ ନିର୍ଦ୍ଧେଶନାମା ଜାରି ହୋଇଥିବାରୁ ବ୍ଲକ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି। ଏପରିକି ଅଳ୍ପ ଦିନର ବ୍ୟବଧାନରେ ବିଡିଓଙ୍କ ବଦଳି ବ୍ଲକର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଥିବାବେଳେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଶିଥିଳ ହେବା ଆଶଙ୍କା କରାଯାଉଛି। ଏହାକୁ ନେଇ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ ସଙ୍ଘ ତରଫରୁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କୁ ତାଙ୍କ ଭବାନୀପାଟଣାସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହିତ ଲାଞ୍ଜିଗଡ ବ୍ଲକ ଅଂଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଡ଼ିଓ ଶ୍ରୀ ପାତ୍ରଙ୍କ ବଦଳିକୁ ବାତିଲ କରିବାକୁ ତାଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ, ପାହାଡପଦର ସମିତି ସଭ୍ୟ ଜଗଦୀଶ ବେନିଆ, କାନକୁଟରୁ ସମିତି ସଭ୍ୟ ମନୋହର ହରପାଲ, ସରପଞ୍ଚ ବନମାଳୀ ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡରୋଡ଼ ସରପଞ୍ଚ ମମତା ଶବର, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ଗୋବର୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, ଭୁର୍ଟିଗଡ଼ ସରପଞ୍ଚ ଦାନଦେଇ ମାଝୀ, ସମିତିସଭ୍ୟ ଶ୍ରୀଦେବୀ ମହାନନ୍ଦ, ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀ, ଭଟାଙ୍ଗପଦର ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆ, ସରପଞ୍ଚ ଦଶମୀ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ସମିତି ସଭ୍ୟ ଯଶୋବନ୍ତି ନାଏକ, ସମାଜସେବୀ ହରିଶଙ୍କର ପାତ୍ରଙ୍କ ସମେତ ପଚାଶରୁ ଉର୍ଧ୍ଵ ଜନ ପ୍ରତିନିଧି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେବା ସହିତ ବିଡିଓ ଶ୍ରୀ ପାତ୍ରଙ୍କ ବଦଳି ବାତିଲ କରିବାକୁ ନିବେଦନ କରିଛନ୍ତି।