Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁଳିକନ୍ୟାର ଶୂନ୍ୟବାଣୀ, ଶ୍ରୀକୃଷ୍ଣଙ୍କ ଜନ୍ମ, ଗୋପପୁରେ ଆନନ୍ଦ ଉତ୍ସବ : ପଞ୍ଚମ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

କଳାହାଣ୍ଡି,୨୮/୦୧-ବନ୍ଦୀଶାଳରେ ବନ୍ଦୀ ଜୀବନ କାଟୁଥିବା ଦେବକୀ ଓ ବସୁଦେବଙ୍କ ଗୋଟିକ ପରେ ଗୋଟିଏ ଛଅଟି ପୁତ୍ରକୁ ହତ୍ୟା କରି ନିଜ ମରଣ ଭୟକୁ ପ୍ରଶମିତ କରିଛନ୍ତି ମହାରାଜ କଂସ। ସ୍ବର୍ଗପୁର ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବା ପରେ ସ୍ବର୍ଗପୁରୀରେ ହାହାକାର ପଡ଼ିଯାଇଛି। ସମସ୍ତ ଦେବଗଣ କଂସର ଅତ୍ୟାଚାରରୁ ରକ୍ଷା କରିବାକୁ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୋଇଛନ୍ତି। ଦେବଗଣଙ୍କ ପ୍ରାର୍ଥନାକୁ ସ୍ବୀକାର କରି ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ନେଇ ଅତ୍ୟାଚାରୀ କଂସ କବଳରୁ ସମସ୍ତଙ୍କୁ ମୁକ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଇତିମଧ୍ୟରେ ମହାରାଜ କଂସ ଦରବାର ବସାଇବା ସହିତ ରାଜଅତିଥିଙ୍କୁ ଆପ୍ୟାୟିତ କରିଛନ୍ତି।ସେହିପରି ଦେବକୀଙ୍କ ସପ୍ତମ ଗର୍ଭରେ ବିଜୁଳି କନ୍ୟାର ଆବିର୍ଭାବ ଓ ଶୂନ୍ୟବାଣୀ ‘ତତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ’ ଶୁଣି ମର୍ମାହତ ହୋଇପଡ଼ିଛନ୍ତି। ପୂର୍ବ ନିର୍ଦ୍ଧାରିତ ବିଧି ଅନୁସାରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଲୀଳାମୟ ଶ୍ରୀକ୍ରୁଷ୍ଣଙ୍କ ଆବିର୍ଭାବ ହୋଇଛି। ହଠାତ୍ ଖୋଲିଯାଇଛି ବନ୍ଦୀଶାଳର ଦ୍ବାର ଖୋଲିଯାଇଛି ଦେବକୀ ବସୁଦେବଙ୍କ ହାତରୁ ହାତକଡ଼ି, ଗୋଡ଼ରୁ ବେଡ଼ି। ଏପରି ଦୃଶ୍ୟ ଅଭିନୀତ ହୋଇଥିଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବରେ। ପଞ୍ଚମ ଦିନରେ ପହଞ୍ଚିଥିବା ଏଇ ମହୋତ୍ସବକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ବଲାଙ୍ଗୀର ଜିଲ୍ଲା ଲାଠୋରସ୍ଥିତ ମା ଦକ୍ଷିଣେଶ୍ବରୀ ନାଟ୍ୟ କଳାକୁଞ୍ଜ ତରଫରୁ ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ମହାମନ୍ତ୍ରୀ ଶକ୍ରାଜିତ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ଦେବକୀ ବାସୁମତୀ ନନ୍ଦ, ବସୁଦେବ ଦୀପକ ପ୍ରଧାନ, ଉଗ୍ରସେନ ଭୂମିକାରେ ନୀଳାମ୍ବର ରାଉତ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କଂସ ଦରବାରରେ ରାଜଅତିଥି ଭାବେ ଲାଞ୍ଜିଗଡ଼ ଯୁବକ ସଂଘର ସଭାପତି ହିମାଦ୍ରୀ ପେସନିଆ, ଧନୁଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବରିଷ୍ଠ ନାଗରିକ ଗଗନବିହାରୀ ସାମଲ, ପୋଖରୀବନ୍ଧ ଗୌନ୍ତିଆ କୁଳମଣି ବାଣୁଆ, ଅଧ୍ୟାପକ ତାପସରଞ୍ଜନ ଦଳେଇ, ଠାକୁରାଣୀ ଯୁବକ ସଂଘର ସଭାପତି ଭକ୍ତ ଗରଡିଆ ପ୍ରମୁଖ ଯୋଗ ଦେଇଥିଲେ। ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ବନବିହାରୀ ଦଳେଇଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ବାହୁବଳୀ ତପସ୍ୟା ଗଣନାଟ୍ୟ ପ୍ରଦର୍ଶିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ