Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଢ଼ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ : ୨୨ରୁ ୨୬ ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

କଳାହାଣ୍ଡି,୦୯/୦୨-ଦୀର୍ଘ ଦେଢ଼ଶହ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। କଳାହାଣ୍ଡି ଜିଲ୍ଲା ତଥା ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀଙ୍କ ଆସ୍ଥାର ପ୍ରାଣକେନ୍ଦ୍ର ଲାଞ୍ଜିଗଡସ୍ଥିତ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ସୂଚନା ମିଳିଛି। ଏଥପାଇଁ ଆଜି ମନ୍ଦିର କାର୍ଯ୍ୟାଳୟ ପରିସରରେ ଔପଚାରିକ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀଧର ପେସନିଆ, ଅଶୋକ ପଟ୍ଟନାୟକ, ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସାଧାରଣ ସଂପାଦକ କାମରାଜ ଦଳବେହେରା, କୋଷାଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପେସନିଆ, ମନ୍ଦିର ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ସେଥିମଧ୍ୟରୁ ଫେବୃଆରୀ ୨୨ ତାରିଖରେ କଳସ ଯାତ୍ରା, ୨୩ ତାରିଖରେ ସୂର୍ଯ୍ୟ ପୂଜା, ହୋମ ଯଜ୍ଞ ଆଦି ଅନୁଷ୍ଠିତ ହେବାକୁ ଥିବାବେଳେ ୨୬ ତାରିଖରେ ନବ ନିର୍ମିତ ମନ୍ଦିରର ପ୍ରତିଷ୍ଠା କରାଯିବ। ଏଥିସହିତ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଧ୍ୟାତ୍ମିକ ପୂଜାର୍ଚ୍ଚନା, ପ୍ରବଚନ, ନାମଯଜ୍ଞ ଆଦି ଅନୁଷ୍ଠିତ ହେବ। ଏଥିରେ ଶ୍ରୀକ୍ଷେତ୍ର ପୁରୀ ମୁକ୍ତିମଣ୍ଡପରୁ ପଣ୍ଡିତ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ଯୋଗଦେବେ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସମେତ ପଡୋଶୀ ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ