କିଏ ହାତେଇବ ମୟୂରଭଞ୍ଜ ଆସନ ? ୨୦୧୯ର ସଫଳତା ଦୋହରାଇ ପାରିବ କି ବିଜେପି, ଚେକ୍ ଦେବାକୁ ପ୍ରସ୍ତୁତ ବିଜେଡି !


ମୟୂରଭଞ୍ଜ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହେଲାଣି ପାଗଭିଡା। ଓଡିଶାର ସମସ୍ତ ସଂସଦୀୟ କ୍ଷେତ୍ର ମଧ୍ୟରୁ ସମସ୍ତଙ୍କ ନଜରରେ ରହିବ ମୟୂରଭଞ୍ଜ ଆସନ। କାରଣ ମୟୂରଭଞ୍ଜ ବର୍ତ୍ତମାନ ଦେଶର ଚର୍ଚ୍ଚିତ ସ୍ଥାନ। କେନ୍ଦ୍ରରେ କ୍ଷମତାସୀନ ବିଜେପି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ଦ୍ରୌପଦୀ ମୁର୍ମୁଙ୍କୁ ବସାଇ ଆଦିବାସୀ ଭୋଟ୍ ଉପରେ ଫୋକସ୍ କରିଛି। କହିବାକୁ ଗଲେ ବିଜେପି ଓଡିଶାରେ ନିଜର ରାଜନୈତିକ ମିଶନ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପଦରେ ଅଭିସିତ କରିବା ପରଠୁ ଆରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରୀୟ ଏବଂ ରାଜ୍ୟ ବିଜେପି ପାଇଁ ସମ୍ମାନର ବିଷୟ ପାଲଟିଛି ମୟୂରଭଞ୍ଜ ଲୋକସଭା ଆସନ।

ବିଜେପିକୁ ଚେକ୍ ଦେବା ପାଇଁ ବିଜେଡିର ସମଜସଜ୍ଜା ଆରମ୍ଭ ହୋଇ ଯାଇଛି.। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତ କରି ଅନେକ ସରକାରୀ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ୍ କରିଛନ୍ତି। ଆଉ ଏହାରି ମାଧ୍ୟମରେ ପରୋକ୍ଷରେ ନବୀନ ସଙ୍କେତ ଦେଇଛନ୍ତି ଯେ, ବିଜେଡି ମଧ୍ୟ ପ୍ରସ୍ତୁତ। ମୟୂରଭଞ୍ଜ ଲୋକସଭା ଆସନ ବର୍ତ୍ତମାନ ବିଜେପି ହାତରେ ରହିଛି। ଏହାର ସାଂସଦ ହେଉଛନ୍ତି ବିଶ୍ଵେଶ୍ଵର ଟୁଡୁ, ଯିଏ ଜଳ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵରେ ଅଛନ୍ତି। ଗତ ୨୦୧୯ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଦମଦାର ରହିଥିଲା। ଦଳ ଜିଲ୍ଲାର ୯ଟି ବିଧାନସଭାରୁ ଛଅଟି ଆସନ ହାତେଇବା ସହ ଲୋକସଭା ସିଟ୍ ମଧ୍ୟ ଜିତିଥିଲା। ଏହି ସଫଳତାକୁ ୨୦୨୪ରେ ଦୋହରାଇବାକୁ ବିଜେପି ଲକ୍ଷ୍ୟ ରଖିଛି। ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପାଥେୟ କରି ଆଦିବାସୀ ଭୋଟ୍ ନିଜ ସପକ୍ଷକୁ ଟାଣିବା ପାଇଁ ନୂତନ ସମୀକରଣ ପ୍ରସ୍ତୁତ କରିଛି ଦଳ। ଅନ୍ୟପଟେ ବିଜେଡି ବି ତୃଣମୂଳସ୍ତରରେ ନିଜର ସଂଗଠନ ସୁଦୃଢ କରିବା ଦିଗରେ ଲାଗି ପଡିଛି। ଆଉ ଏହାର ଫଳାଫଳ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ଦେଖିବାକୁ ମିଳିଛି।

୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ମୟୂରଭଞ୍ଜରେ ମାଟି କାମୁଡିଛି। ୨୦୧୭ରେ ୪୯ଟି ଜିଲ୍ଲା ପରିଷଦ ଆସନ ଅକ୍ତିକାର କରିଥିବା ବିଜେପି ୨୦୨୨ରେ ଖାତା ବି ଖୋଲି ପାରିନି। ଅନ୍ୟପଟେ ମୋଟ୍ ୫୩ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୩ଟିରେ ବିଜୟୀ ହୋଇଛି। ଗତ ଜିଲ୍ଲା ପରିଷଦ ନିର୍ବାଚନର ସଫଳତାକୁ ବିଜେପି ଦୋହରାଇ ପାରିନି। ରାଜନୈତିକ ଦୃଷ୍ଟିକୋଣରୁ ଜିଲ୍ଲାର ଦୁଇ ପ୍ରମୁଖ ଚେହେରା ହେଉଛନ୍ତି ବିଜେପିର ବିଶ୍ଵେଶ୍ଵର ଟୁଡୁ ଏବଂ ବିଜେଡିର ସୁଦାମ ମାରାଣ୍ଡି। ଟୁଡୁ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ସୁଦାମ ରାଜ୍ୟ କ୍ୟାବିନେଟର ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଛନ୍ତି।

ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ତିନି ଥର ବିଜୟ ଲାଭ କରିଥିବା ବେଳେ ବିଜୁ ଜନତା ଦଳ ୨ ଥର ଜିତିବାରେ ସଫଳ ହୋଇଛି। ଏ ଆସନରୁ ବିଜେପି ଏବଂ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଆଦିବାସୀ ଭୋଟ୍ ଯାହା ସପକ୍ଷରେ ଯିବ ସେହି ଦଳର ବିଜୟ ସମ୍ଭାବନା ସେତେ ଅଧିକ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ୨୦୧୯ର ସଫଳତା ଦୋହରାଇ ପାରିବ କି ବିଜେପି ? ନା ବିଜେଡି କରିବ ବାଜିମାତ୍। ୨୦୨୪ ଲୋକସଭା ନିର୍ବାଚନରେ ଅନୁସୂଚିତ ଜନଜାତି(ଏସଟି) ସଂରକ୍ଷିତ ଏହି ବହୁ ଚର୍ଚ୍ଚିତ ଆସନ କିଏ ହାତେଇବ ତାହା ଦେଖିବା ବାକି ରହିଲା।