Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ଦୁଇ ନାବାଳକ ଘରୁ ନିଖୋଜ, ଥାନାରେ ଅଭିଯୋଗ ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନି

ପାରଳାଖେମୁଣ୍ଡି:୨୫/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୨ ନମ୍ବର ୱାର୍ଡ ଅନ୍ତର୍ଗତ ତେଲି ସୁଣ୍ଢି ସାହି ଓ ତେଲିମେଲା ସାହିର ଦୁଇ ଜଣ ନାବାଳକ ଘରୁ କେଉଁ ଆଡେ ପଳାଇଯାଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଉଭୟଙ୍କ ନାମ ଯଥା ରୋହିତ କୁମାର ସାହୁ (୧୪) ଏବଂ ଏମ୍. ପବନକୁମାର (୧୪) ବୋଲି ଜଣାପଡିଥିବା ବେଳେ ଉଭୟେ ଅଲଗା ଅଲଗା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ରୋହିତ ମହେନ୍ଦ୍ରଗିରି ପୌର ସରକାରୀ ବିଦ୍ୟାଳୟରେ ପଢୁଥିବା ବେଳେ ପବନ କୁମାର ଜେଏନଭି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।ଘଟଣାରୁ ପ୍ରକାଶ ଯେ, ୨୦.୦୨.୨୦୨୪ ତାରିଖ ବିଳମ୍ବିତ ରାତିରେ ଦୁଇ ସାହିର ତଥା ଆମନା ସାମନାରେ ଥିବା ଘରରୁ କେଉଁ ଆଡେ ଚାଲିଯାଇଥିବାର ପ୍ରକାଶ କରିଛନ୍ତି ଦ୍ବୟ ନାବାଳକଙ୍କ ପିତା । ଏହି ଦୁଇ ଜଣ ବିଳମ୍ବିତ ରାତ୍ର ପ୍ରାୟ ୧୧.୩୦ ଘଣ୍ଟା ସମୟରେ ପାଠ୍ୟପୁସ୍ତକ ମଗାମଗି କରୁଥିବାର ପରିବାର ଲୋକେ କହିଛନ୍ତି । ଏହାପରେ କେଉଁଆଡେ ଚାଲିଯାଇଥିବାର ସନ୍ଦେହ କରୁଛନ୍ତି ପରିବାର ଏବଂ ସାହି ଲୋକେ । ଘରୁ ଏମାନେ କୌଣସି ଟଙ୍କା କିମ୍ବା ସାମଗ୍ରୀ ନେଇ ନଥିବା ବେଳେ ରୋହିତ ସଞ୍ଚିତ ରଖିଥିବା ମାଟିରେ ନିର୍ମିତ ସଞ୍ଚିତ ପାତ୍ରକୁ ନେଇଯାଇଛନ୍ତି । ସେହିପରି ପବନକୁମାର କିଛି ପୋଷାକ ନେଇଥିବାର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏମାନେ କେଉଁ ଆଡେ ଗଲେ, କୁଆଡେ ଗଲେ କାହାରି ପାଖରେ କିଛି ଖବର ନାହିଁ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୋହିତଙ୍କ ପିତା ଚନ୍ଦ୍ର ଶେଖର ସାହୁ ଲିଖିତ ଅଭିଯୋଗ କରିଛନ୍ତି
ଅନ୍ୟଜଣେ ନାବାଳକ ପବନଙ୍କ ପିତା ଏମ୍. ଗଣେଶ ଯିଏକି ହୋମଗାର୍ଡ ଭାବେ କାର୍ଯ୍ୟ କରନ୍ତି ସେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ଏବଂ ଖୋଜାଖୋଜି କରୁଛି ବୋଲି କହିଛନ୍ତି । ଉଭୟଙ୍କ ପିତା ତଥା ପରିବାର ଲୋକେ ସମଗ୍ର ସହର ସମେତ ସାହି ପଡିଶା, ନିକଟ ସମ୍ପର୍କିୟ, ସାଙ୍ଗ ସାଥିଙ୍କୁ ପଚରା ଉଚରା କରି ଖୋଜା ଖୋଜି କରୁଛନ୍ତି । ତେବେ ଦୁଇ ଦିନ ହେଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନାବାଳକ ଦ୍ବୟଙ୍କ କୌଣସି ପତ୍ତା ମିଳିପାରି ନଥିବାର ଜଣାପଡିଛି । ନିଜ ନିଜ ପୁଅଙ୍କ ନିଖୋଜକୁ ନେଇ ଉଭୟଙ୍କ ପରିବାର ଲୋକେ କାନ୍ଦବୋବାଳି କରୁଥିବା ଦୃଶ୍ୟକୁ ଦେଖିଲେ ଯେ କୌଣସି ବ୍ୟକ୍ତିର ହୃଦୟ ଶୀଥିଳ ହୋଇପଡୁଛି । ଦୁଇ ଦିନ ହେଲା ଏମାନେ ନ ଖାଇ ନପିଇ ନିଜ ନିଜ ପୁଅଙ୍କୁ ଖୋଜୁଛନ୍ତି । ଯାହାକୁ ପାରିଲା ତାକୁ ପୁଅକୁ ଖୋଜି ଆଣିଦିଅ ବୋଲି ଆକୁଳ ନିବେଦନ କରୁଛନ୍ତି । ରୋହିତ ଓଡିଆ, ହିନ୍ଦି ଓ ତେଲୁଗୁ ଜାଣି ଥିବା ବେଳେ ପବନ ମଧ୍ୟ ସମାନ ଭାଷା ଜାଣିଛନ୍ତି ।ଯେ କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କୁ ଦେଖିଲେ ତୁରନ୍ତ ନିକଟସ୍ତ ପୋଲିସ ଷ୍ଟେସନ କିମ୍ବା ୬୩୭୨୩୬୬୩୫୨/୭୦୯୩୪୩୫୬୨୧ ଯୋଗାଯୋଗ କରିବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ଯେ, ଲିଖିତ ଅଭିଯୋଗ ପାଇଛୁ । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ