Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ମାଣାଧୀନ ରାସ୍ତାରେ ଧୂଳିଗୁଣ୍ଡ ଉଡ଼ି ଜନଜୀବନ ବେହାଲ : ଉତ୍ୟକ୍ତ ଲୋକଙ୍କ ଛତିକୁଡା-କିଡିଙ୍ଗ ରାସ୍ତା ଅବରୋଧ

କଳାହାଣ୍ଡି,୧୦/୦୩-କଳାହାଣ୍ଡିର ଲାଇଫଲାଇନ କୁହାଯାଉଥିବା ୬ ନମ୍ବର ରାଜ୍ୟ ରାଜପଥ ଭବାନୀପାଟଣାରୁ ପୋଖରୀବନ୍ଧ ରାସ୍ତା ଏତେ କଦର୍ଯ୍ୟ ଯେ, ନିଜ ଆଖିରେ ନଦେଖିଲେ କେହି ବିଶ୍ୱାସ କରିବେନି। ଏକାଧିକ ସୁପର କ୍ଲାସ ଠିକାଦାର ଏହି ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବାବେଳେ ଅତ୍ୟନ୍ତ ନିମ୍ନମାନ ସହିତ ଧୀର ମନ୍ଥର ଗତିରେ କାମ କରୁଥିବାରୁ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି। ଧୀର ମନ୍ଥର ଗତିରେ କାମ ଚାଲିଥିବାବେଳେ ଠିକାସଂସ୍ଥା ତରଫରୁ ରାସ୍ତା ଖୋଲିଦିଆଯାଉଛି ସତ କିନ୍ତୁ ନା ପାଣି ଦେଇ କ୍ୟୁରିଂ କରାଯାଉଛି ନା ନିର୍ଦ୍ଧାରିତ ସମୟ ମଧ୍ୟରେ ପିଚୁ କରାଯାଉଛି। ଯାହାଫଳରେ ଦିନତମାମ ଶହଶହ ଭାରୀଯାନ ଚାଲିବା ଯୋଗୁଁ ପ୍ରବଳ ମାତ୍ରାରେ ଧୂଳି ଉଡ଼ି ଦିନବେଳେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି। ଏହି ଧୂଳି ଯୋଗୁଁ ଲୋକେ ଅତିଷ୍ଠ ହୋଇପଡୁଥିବାବେଳେ ଏଥିଯୋଗୁଁ ବହୁ ଲୋକେ ଶ୍ୱାସ, କାଶ, ଟିବି ଆଦି ରୋଗର ଶିକାର ହେଉଛନ୍ତି। ସେହିପରି ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେଉଛି। ତେବେ ଠିକା ସଂସ୍ଥା କିମ୍ବା କାର୍ଯ୍ୟ ନିର୍ବାହୀ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ମଧ୍ୟ ଲୋକଙ୍କ ସମସ୍ୟା ପ୍ରତି ଦୀର୍ଘଦିନ ଧରି ଆଖିବୁଜି ଦେଇଥିବାରୁ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ପୁଞ୍ଜିଭୂତ ଜନ ଅସନ୍ତୋଷ ଆଜି ଉଗ୍ର ରୂପ ଧାରଣ କରିଥିବାବେଳେ ଉତ୍ୟକ୍ତ ଲୋକେ ଆଜି ଛତିକୁଡା-କିଡିଙ୍ଗ ରାସ୍ତାର ବଡଧାରପୁର ଛକ ନିକଟରେ ରାସ୍ତାରୋକ କରିଥିଲେ। ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଥିବାବେଳେ ଆଜି ସକାଳ ୯ଟାରୁ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଥିଲା। ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ରହିବାରୁ ଏହି ରାସ୍ତାରେ ଯାତାୟତ ଠପ ହୋଇଯାଇଥିଲା। ରାସ୍ତା ଅବରୋଧ ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ହେଁ ପୂର୍ତ୍ତ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏପରିକି ରାସ୍ତା ଅବରୋଧକାରି ଜନସାଧାରଣଙ୍କୁ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ରାସ୍ତାରୋକ ପାଇଁ କୌଣସି ଆଧିକାରିକ ଅନୁମତି ନେଇନଥିବାରୁ ଶେଷରେ ଲୋକେ ନିଜଆଡୁ ରାସ୍ତା ଅବରୋଧ ହଟାଇ ନେଇଥିଲେ। ତେବେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରିବାକୁ ଲୋକେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କୁ ପଚାରିବାରୁ ସେ ଲୋକଙ୍କ ସମସ୍ୟାକୁ ନଜରଅନ୍ଦାଜ କରିବା ସହିତ ଅତି ହାଲୁକା ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗିରହିଛି। ଲୋକେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବେ ବୋଲି ଜଣାପଡିଛି।