ବିଜେପିରେ ସାମିଲ୍ ହେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେ ସିଂ ଭଦୌରିଆ, ଲଢି ପାରନ୍ତି ଲୋକସଭା ନିର୍ବାଚନ


ନୂଆଦିଲ୍ଲୀ: ବାୟୁସେନାର ପୂର୍ବତନ ପ୍ରମୁଖ ଏୟାର ଚିଫ ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି । ୨୦୧୯ରେ ସେ ବାୟୁସେନାର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଏହା ପୂର୍ବରୁ ଉପ ପ୍ରମୁଖ ଥିଲେ । ଭଦୌରିଆ ବିଜେପିରେ ସାମିଲ ହୋଇଥିବାର ସୂଚନା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟୁଇଟ କରି ଦେଇଛନ୍ତି । ଭଦୌରିଆଙ୍କ ସହିତ ପୂର୍ବତନ ସାଂସଦ ତିରୁପତି ଶ୍ରୀ ବାରାପ୍ରସାଦ ରାଓ ମଧ୍ୟ ବିଜେପିରେ ମିଶିଛନ୍ତି । ବିଜେପିର ପରବର୍ତୀ ପ୍ରାର୍ଥୀ ତାଲିକାରେ ଭଦୌରିଆଙ୍କ ନାମ ସାମିଲ ହୋଇପାରେ । କୁହାଯାଉଛି ଗାଜିଆବାଦରୁ ତାଙ୍କୁ ପୂର୍ବତନ ସେନାଧ୍ୟକ୍ଷ ଭିକେ ସିଂଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇପାରେ ।

ଆରକେ ସିଂ ଭଦୌରିଆ ଉତର ପ୍ରଦେଶର ନିବାସୀ । ତାଙ୍କ ପିତା ସୂରଜପାଲ ସିଂ ଏୟାରଫୋର୍ସରେ ମାଷ୍ଟର ୱାରେଂଟ ଅଫିସର ଥିଲେ । ତାଙ୍କ ଝିଅ ସୋନାଲି ମଧ୍ୟ ଜଣେ ପାଇଲଟ । ଦେଶରେ ରାଫେଲ ଆଣିବାରେ ଭଦୌରିଆଙ୍କ ଭୂମିକା ଥିବା କୁହାଯାଏ । ୨୦୧୯ ସେପ୍ଟେମ୍ବରରୁ ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଭଦୌରିଆ ବାୟୁସେନା ପ୍ରମୁଖ ପଦରେ ଥିଲେ । ସେହି ସମୟରେ ଭଦୌରିଆ ଉକ୍ତ ଟିମର ସଦସ୍ୟ ଥିଲେ, ଯିଏ ରାଫେଲ ଲଢୁଆ ବିମାନ ପାଇଁ ଫ୍ରାନ୍ସ ସହ ଆଲୋଚନା କରୁଥିଲେ ।

ସୂଚନାଯୋଗ୍ୟ, ବିଜେପି ଏ ପର୍ଯ୍ୟନ୍ତ ୨୯୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । ଖୁବ୍ ଶୀଘ୍ର ପଂଚମ ତାଲିକା ଜାରି ହୋଇପାରେ । ଉତର ପ୍ରଦେଶରୁ ଏ ପର୍ଯ୍ୟନ୍ତ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ଅବଶିଷ୍ଟ ସିଟ ଉପରେ ଏଥର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଗାଜିଆବାଦ ଓ ପିଲିଭିଟ ସିଟରେ କିଏ ଲଢିବ ତାର ଚିତ୍ର ସ୍ପଷ୍ଟ ହୋଇପାରେ ।