Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଆଦମୀ ପାର୍ଟି ତରଫରୁ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ବିରୋଧରେ ପ୍ରତିବାଦ

କଳାହାଣ୍ଡି,୨୮/୦୩-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରିକୁ ବିରୋଧ କରି ସାରା ଦେଶରେ ଆମ ଆଦମୀ ପାର୍ଟିର ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିବାବେଳେ ଏହାର ପ୍ରଭାବ ଗାଁରୁ ସହର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପାଟଭାଲେରଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆମ ଆଦମୀ ପାର୍ଟି ନେତା ସୁରେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ଏକତ୍ରିତ ହୋଇ କେନ୍ଦ୍ରର ବିଜେପି ସରକାର ବିରୋଧରେ ନାରାବାଜି କରିଥିଲେ। ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡି ଲଗାଇ ଗିରଫ କରି ଜେଲ ପଠାଇବା ବିଜେପି ସରକାରର ଆକ୍ରୋଶମୂଳକ ନୀତିର ଉଦାହରଣ ବୋଲି ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜ୍ରିୱାଲଙ୍କୁ ଭୟ ଦେଖାଇ ବେଆଇନ ଭାବେ ଗିରଫ କରିଛନ୍ତି ଵୋଲି ଆପ ନେତା ଶ୍ରୀ ମାଝୀ ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ, କେଜ୍ରିୱାଲଙ୍କ ଗିରଫଦାରିକୁ ନେଇ ବିରୋଧୀ ଦଳଗୁଡିକ ମୋଦୀ ସରକାରଙ୍କ ବିରୋଧରେ ବିଷୋଦଗାର କରୁଥିବାବେଳେ ଆମ ଆଦମୀ ପାର୍ଟି ସାରା ଦେଶରେ ଏହି ଗିରଫଦାରିକୁ ନେଇ ବିଜେପିକୁ ଘେରିବା ଆରମ୍ଭ କରିଛି। ଏହିକ୍ରମରେ ଆଜି ଲାଞ୍ଜିଗଡ ବ୍ଲକ ପାଟଭାଲେରଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଥିବାବେଳେ ଏଇ ନିକଟରେ ଆମ ଆଦମୀ ପାର୍ଟିରେ ଯୋଗଦେଇଥିବା ପୂର୍ବତନ ସରପଞ୍ଚ ତଥା ଆଦିବାସୀ ନେତା ସୁରେନ୍ଦ୍ର ମାଝୀ ଏହାର ନେତୃତ୍ୱ ନେଇଥିଲେ। ଏପରିକି ଏଥର ନିର୍ବାଚନରେ ଶ୍ରୀ ମାଝୀଙ୍କୁ ଲାଞ୍ଜିଗଡ ବିଧାନସଭା ପ୍ରାର୍ଥୀ ଭାବେ ଦଳ ଟିକେଟ ଦେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି।