Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋରୁବେପାରୀଙ୍କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ : ୨ ଅଟକ, ୫ ଫେରାର

କଳାହାଣ୍ଡି,୦୧/୦୪-ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କଦମ୍ବଗୁଡା ଛକରେ ଗୋରୁ ବେପାରୀମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିବା ସହିତ ତିନୋଟି ଦାମୀ ମୋବାଇଲ ଓ ନଗଦ ୮୬ ହଜାର ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଗୋରୁ ବେପାରୀଙ୍କ ଏକ ବୋଲେରୋ ଗାଡିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ସିକେରକୁପା ଫାଣ୍ଡି ପୁଲିସ। ଏନେଇ ସିକେରକୁପା ଫାଣ୍ଡିରେ ଏତଲା ଦେଇଛନ୍ତି ଗୋରୁବେପାରୀମାନେ। ଅଭିଯୋଗ ଅନୁଯାୟୀ, ଆଜି ରାୟଗଡା ଜିଲ୍ଲା ମୁନିଗୁଡା, ଅମ୍ବାଦଳା ଆଦି ଅଂଚଳର ଗୋରୁ ବେପାରୀମାନେ ନର୍ଲା ବ୍ଲକ ବାଲିପଡ଼ା ବଜାରରୁ ଗୋରୁ କିଣି ଲୋକ ଲଗାଇ ଅଡ଼େଇ ନେଉଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ଲାଞ୍ଜିଗଡ ବ୍ଲକ କଦମ୍ବଗୁଡା ଛକ ନିକଟରେ ଗୋରୁପଲ ପହଂଚିବା ଦେଖି ପୂର୍ବରୁ ଏକ ଆର୍ଟିଗା (ଓଡି ୦୨ ବିଆର ୮୩୪୦) କାରରେ ଆସି ଛକିଥିବା ସାତଜଣ ଦୁର୍ବୃତ୍ତ ହଠାତ ଖଣ୍ଡା, ଭୂଜାଲି, ହାତୁଡି ଧରି ଆକ୍ରମଣ କରିବା ସହିତ ଛଅଜଣ ଗୋରୁ ବେପାରୀଙ୍କୁ ପ୍ରବଳ ମାଡ଼ ମାରିବା ସହିତ ମାରଣାସ୍ତ୍ର ଦେଖାଇ ୮୬ ହଜାର ଟଙ୍କା ଓ ତିନୋଟି ଦାମୀ ଏଣ୍ଡ୍ରଏଡ଼ ମୋବାଇଲ ଛଡାଇ ନେଇଥିଲେ। ଗୋରୁବେପାରୀମାନଙ୍କୁ ମାଡମାରି ଟଙ୍କା ଓ ମୋବାଇଲ ଛଡାଇ ନେଉଥିବା ଦେଖି ସ୍ଥାନୀୟ ଲୋକେ ସିକେରକୁପା ଫାଣ୍ଡିକୁ ଫୋନ କରିବା ପରେ ସିକେରକୁପା ପୁଲିସ ଘଟଣାସ୍ଥଳରେ ପହଂଚି ତୁଷାରକାନ୍ତ ପଣ୍ଡା ଓ ବିଶ୍ୱେଶ୍ୱର ସାହୁଙ୍କୁ କାବୁ କରି ସିକେରକୁପା ଫାଣ୍ଡିରେ ଅଟକ ରଖିଥିବା ଜଣାପଡିଛି। ତେବେ ଦିନ ଆଲୁଅରେ ଲୁଟତରାଜ କରି ଆତଙ୍କ ଖେଳାଇଥିବା ଶ୍ରୀତମ ଦତ୍ତ, ଗୁଲିସ ପଣ୍ଡା, ବାବୁ ଚଣ୍ଡୀ, ରାଜେଶ ମେହେର ଓ ଟୁଲୁ ଘଟଣାସ୍ଥଳରୁ ଗାଡି ସହିତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗୋରୁବେପାରୀଙ୍କ ଅଭିଯୋଗକୁ ଭିତ୍ତି କରି ସିକେରକୁପା ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ଘଟଣାସ୍ଥଳରୁ ମାରଣାସ୍ତ୍ରରେ ସଜ୍ଜିତ ସାତଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ସାହସ ଦେଖାଇ ଦୁଇଜଣଙ୍କୁ କାବୁ କରିବାକୁ ନେଇ ଫାଣ୍ଡି ଅଧିକାରୀ ମୀନାରାଓ ଶବର, ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ୱନାଥ ମହଲାଙ୍କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ