କେନ୍ଦ୍ରାପଡାରୁ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ମିଳିବ କି ଟିକଟ୍ ? କ’ଣ ସାଂସଦଙ୍କ ଜନାଧାର କାଏମ ଅଛି ?


କେନ୍ଦ୍ରାପଡା: ୨୦୨୪ ନିର୍ବାଚନ ପାଇଁ ଏବେଠୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏବେ ତୃଣମୂଳର ସ୍ଥିତି ପରଖୁଛନ୍ତି ରାଜନୈତିକ ଦଳ। କେଉଁ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ଅଙ୍କକଷା ଚାଲିଛି। ୨୦୧୯ ନିର୍ବାଚନରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିବା କେନ୍ଦ୍ରାପଡା ଲୋକସଭା ଉପରେ ମଧ୍ୟ ରହିଛି ସଭିଙ୍କ ନଜର। କାରଣ ଗତ ନିର୍ବାଚନରେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି ଅପ୍ରତ୍ୟାଶିତ ଭାବେ ବିଜେପିର ପୁରୁଖା ନେତା ବୈଜୟନ୍ତ ପଣ୍ଡାଙ୍କୁ ହରାଇଥିଲେ। ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ଯେ, ବୈଜୟନ୍ତଙ୍କ ପରି ନେତାଙ୍କୁ ମାଟି କାମୁଡେଇଥିବା ଅନୁଭବଙ୍କୁ ଏଥର ଟିକଟ୍ ମିଳିବ ତ ? କଣ ତାଙ୍କର ରାଜନୈତିକ ଭବିଷ୍ୟତ ଆଗକୁ ସୁଗମ ରହିବ ତ ?

୨୦୧୩ରେ ବିଜୁ ଜନତା ଦଳରେ ଯୋଗ ଦେଇ ଅଭିନେତାରୁ ନେତା ପାଲଟିଥିଲେ ଅନୁଭବ ମହାନ୍ତି। ୨୦୧୪ରେ ଦଳ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲା। ରାଜ୍ୟସଭାରେ ସବୁଠୁ ଯୁବ ସାଂସଦ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଅନୁଭବ। ପୁଣି ୨୦୧୯ ମେ ୨୩ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ତେବେ ଜଣେ ଜନ ପ୍ରତିନିଧି ହିସାବରେ ନିଜର ସଂସଦୀୟ କ୍ଷେତ୍ର ପ୍ରତି ଯେତିକି ଦାୟିତ୍ଵବାନ ହେବା ଉଚିତ୍ ତାହା ଅନୁଭବଙ୍କ ନିକଟରେ ଦେଖିବାକୁ ମିଳିନାହିଁ। ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ତାଙ୍କର ଦେଖା ସାକ୍ଷାତ ନଥାଏ। ସାଂସଦ ହିସାବରେ କେନ୍ଦ୍ରାପଡାରେ ଯେତିକି ଉପସ୍ଥିତ ଜାହିର କରିବା କଥା ତାହା ଅନୁଭବଙ୍କ ନିକଟରେ ପରଲଖିତ ହୋଇନାହିଁ।

ଅନୁଭବ ସାଂସଦ ହିସାବରେ କମ ନିଜର ପାରିବାରିକ ବିବାଦ କାରଣରୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ତାଙ୍କର ପିଛା ଛାଡୁନି। କେନ୍ଦ୍ରାପଡାର ସାଂସଦ ଜଣେ ଲୋକ ପ୍ରତିନିଧି ହେବାର ପ୍ରତୀତମାନ ହେଉ ନାହାନ୍ତି। ସର୍ବଦା ବ୍ୟକ୍ତିଗତ ଜୀବନକୁ ନେଇ ସାମାଜିକ ଗଣମାଧ୍ୟମରେ ମେସେଜ୍ ଏବଂ ଭିଡିଓବାର୍ତ୍ତା ଦେଇ ଲୋକହସା ହୋଇ ଚାଲିଛନ୍ତି। ନିଜ ନିର୍ବାଚନୀ ମଣ୍ଡଳୀରେ ତାଙ୍କର ଜନାଧାର ମଧ୍ୟ କମିବାକୁ ଲାଗିଲାଣି ବୋଲି କେନ୍ଦ୍ରାପଡା ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ବ୍ୟକ୍ତିଗତ ଜୀବନରେ ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ଅନୁଭବଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ସେତେଟା ଦେଖିବାକୁ ମିଳୁନାହିଁ। ବିଜେଡି ମଧ୍ୟ ତାଙ୍କୁ ପୂର୍ବାପେକ୍ଷା ସେତେଟା ଗୁରୁତ୍ଵ ଦେଉନଥିବା ସାଂପ୍ରତିକ ଘଟଣାକ୍ରମରୁ ଜଣାଯାଏ। କହିବାକୁ ଗଲେ ଅନୁଭବ ବିଜେଡିରେ ଏକ ପ୍ରକାର କଣଠେସା ହୋଇ ରହିଛନ୍ତି। ସେଥିପାଇଁ ଜନତାଙ୍କ ମନରେ ପ୍ରଶ୍ନ ଅନୁଭବଙ୍କୁ ଏଥର କେନ୍ଦ୍ରାପଡାରୁ ଟିକେଟ୍ ମିଳିବ ନା ଦଳ ଅନ୍ୟ ବିକଳ୍ପ ଦେଖିବ।

ବିଜେଡିରେ ଅଭିନେତାରୁ ନେତା ପାଲଟିଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ସେ ବ୍ରହ୍ମପୁର ଲୋକସଭାରୁ ଦୁଇ ଥର ନିର୍ବାଚନ ଜିତିଛନ୍ତି। ଉକ୍ତ ଅଞ୍ଚଳରେ ତାଙ୍କର ଦବଦବା ମଧ୍ୟ ରହିଛି। ବୋଧହୁଏ ସେଥିପାଇଁ ହାଇକମାଣ୍ଡଙ୍କ ତରଫରୁ ଡାକରା ମିଳିବା ମାତ୍ରେ ସିଦ୍ଧାନ୍ତ ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇ ଉଠିଛନ୍ତି। ଏଥିରୁ ଜଣା ପଡୁଛି ଏବେ ବିଜେଡିକୁ ସିଦ୍ଧାନ୍ତଙ୍କ ଆବଶ୍ୟକତା ପଡିଛି। ନିକଟ ଦିନରେ ଏହି ପୂର୍ବତନ ସାଂସଦ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗସ୍ତ କରି କର୍ମୀଙ୍କ ସହ ସିଧାସଳଖ କଥା ହୋଇ ତୃଣମୂଳ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ତାଙ୍କର ଅଚାନକ ସକ୍ରିୟ ନେଇ ଗଞ୍ଜାମ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ସିଦ୍ଧାନ୍ତଙ୍କୁ ତ ଦଳରେ ଖୋଜା ପଡିଲା। କଣ ଅନୁଭବ ମହାନ୍ତିଙ୍କୁ ଦଳରେ ଖୋଜା ପଡିବ ? କଣ ବିଜେଡି କେନ୍ଦ୍ରାପଡା ସାଂସଦଙ୍କ ଉପରେ ପୁନଃ ଭରସା ରଖି ବଡ ଦାୟିତ୍ଵ ଦେବ ? କଣ କେନ୍ଦ୍ରାପଡା ଲୋକସଭା ଆସନରୁ ପୁଣି ଥରେ ଛିଡା ହେବେ ଅନୁଭବ ? ନିର୍ବାଚନ ପାଖେଇବା ସହ ଚିତ୍ର ସ୍ପଷ୍ଟ ହୋଇଯିବ ଏବଂ ଅନୁଭବଙ୍କ ରାଜନୈତିକ କ୍ୟାରିୟର ଆଗାମୀ ନିର୍ବାଚନରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।